ଗ୍ରୀନ ଜୋନ୍‌ରେ ଖୁବ୍ ଶୀଘ୍ର ଗଡ଼ିବ ବସ୍‌, ହେଲେ ଭଡ଼ା ହୋଇ ପାରେ ଡବଲ୍

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗ୍ରୀନ୍ ଜୋନ୍‌ରେ ବସ୍ ଗଡ଼ାଇବା ନେଇ ଆଉ ଟିକେ ତତ୍ପର ହୋିଛନ୍ତି ରାଜ୍ୟ ସରକାର । ବସ୍ ଚଳାଚଳ ନେଇ ରହିଥିବା କିଛି ସମସ୍ୟାକୁ ଦୂର କରି ଖୁବ୍ ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ଘୋଷଣା କରାଯିବ । ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳି ସାରିଛି । ତେଣୁ ବାକି ଥିବା କିଛି ଔପଚାରିକତା ସମ୍ପୂର୍ଣ୍ଣ ହୋଇଗଲେ ବସ୍ ଚାଲିବ ବୋଲି ଆଜି ସୂଚନା ମିଳିଛି ।
ରାଜ୍ୟରେ ଲକ୍‌ଡାଉନ୍ ହେଲା ଦିନରୁ ଆଉ ରାସ୍ତାରେ ବସ୍ ଗଡୁନାହିଁ । ଯାତାୟାତ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ କେବଳ ଗ୍ରୀନ୍ ଜୋନ୍‌ରେ ବସ୍ ଚଳାଚଳ କରିବାକୁ ସ୍ଥିର ହୋଇଥିଲା । ଯାହାକୁ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଥିଲେ । କାରଣ ଗାଇଡ୍ ଲାଇନ୍ ଅନୁସାରେ କେବଳ ୫୦ ପ୍ରତିଶତ ବସ୍ ଚାଲିବ ଓ ୫୦ ପ୍ରତିଶତ ଯାତ୍ରୀ ହିଁ ଯାଇ ପାରିବେ । ଯାହାଫଳରେ ବସ୍ ମାଲିକଙ୍କର କ୍ଷତି ହିଁ ହେବ । ତେଣୁ ସେମାନଙ୍କ ବିରୋଧ ପରେ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପ୍ରସ୍ତୁତ କରିଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଥିରେ ଯାତ୍ରୀ ଭଡ଼ାକୁ ଦୁଇ ଗୁଣ କରିବାକୁ ବ୍ୟବସ୍ଥା ହୋଇଛି।

ତେବେ ବସ୍‌ଟିଏ ଗ୍ରୀନ ଜୋନ୍‌ରୁ ଆସିଲେ କେତେକ ଜାଗାରେ ରେଡ୍ ଜୋନ୍ ଦେଇ କିମ୍ବା ରେଡ୍ ଜୋନ୍‌କୁ ଆସିବାକୁ ପଡ଼ି ପାରେ । ତେଣୁ ଏହାକୁ ନେଇ ନିଷ୍ପତ୍ତି ହୋଇ ପାରିନାହିଁ । ଦିନେ ଦୁଇ ଦିନ ଭିତରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନାଦେଇଛନ୍ତି ।
ତେବେ ସରକାରୀ ଅଧିକାରୀଙ୍କ ଯିବା ଆସିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବସ ଚଳାଇବେ । ଆସନ୍ତା କାଲି ଠାରୁ ଏହି ସେବା ଆରମ୍ଭ ହେବ। କେବଳ କଟକରୁ ଭୁବନେଶ୍ୱରକୁ ଗୋଟିଏ ବସ ଚାଲିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.