ଲକ୍‌ଡାଉନ୍‌ ସତ୍ତ୍ୱେ ଆମିଷ, ପରିବା ଓ ରାସନ୍‌ ଦୋକାନରେ ଭିଡ଼; ଦୂରତା ରକ୍ଷା କରିବାକୁ ଭୁଲି ଯାଉଛନ୍ତି ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇ ସାରିଛି । କିଛି ଲୋକ ଭାବି ନେଇଥିଲେ ଯେ ଆମ ରାଜ୍ୟରେ ଅନ୍ତତଃ ମୁଖ୍ୟମନ୍ତ୍ରୀଙ୍କ ଘେଶଷଣା ଅନୁସାରେ ମାର୍ଚ୍ଚ ୨୯ କିମ୍ବା ୩୧ ପରେ କଟକଣା ହଟିଯିବ । ହେଲେ ଭବିଷ୍ୟତ ପରିସ୍ଥିତିକୁ ବର୍ତ୍ତମାନ ଠାରୁ ନଜର କରି ଉଭୟ ଓଡ଼ିଶା ଓ କେନ୍ଦ୍ର ସରକାର କଡ଼ା କଟକଣା ଜାରି କରିଛନ୍ତି । ଏହାକୁ ମାନୁଛନ୍ତି ଅନେକ । ହେଲେ କିଛି ଅମାନିଆ ଅଛନ୍ତି ଯେଉଁମାନେ ନିୟମ ମାନୁ ନାହାନ୍ତି ଏବଂ କରୋନା ପରାମର୍ଶକୁ ବି ବେଖାତିର କରୁଛନ୍ତି । ଆଜି ଆମେ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସହର ସମ୍ପର୍କରେ ଖବର ନେଇଥିଲୁ । ସୂଚନା ମିଳିଲା ପ୍ରାୟତଃ ଗ୍ରୋସରୀ ଏବଂ ପରିବା ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ସେପଟେ ଆଜି ବୁଧବାର ଥିବାରୁ ଆମିଷ ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମିଥିଲା ।

AMISHA

ଯେତେ କହିଲେ ଭାଗବତ…

ତେବେ ଗୋଟିଏ କଥା ଅତି ଆଶ୍ଚର୍ଯ୍ୟ ଲାଗିଲା ଯେ ଏତେ କଟକଣା, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପୁଣି ବିଭିନ୍ନ ସେଲିବ୍ରିଟି ପ୍ରତି ମୁହୂର୍ତ୍ତରେ ବାର୍ତ୍ତା ଦେଉଛନ୍ତି । କଣ କରିବେ କଣ କରିବେ । ହେଲେ ଯେମିତି କିଛି ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ । ସେମାନେ ବିନା ମାସ୍କରେ ଏକାଠି ପରିବା କିଣୁଛନ୍ତି, ରାସନ୍‌ ଦୋକନ ଓ ଆମିଷ ଦୋକାନରେ ଭିଡ଼ ଲଗାଉଛନ୍ତି ।

DHENKANAL

ରାଜଧାନୀରେ କଡ଼ା କଟକଣା

ଏପଟେ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ୍‌ ବ୍ୟାରିକେଡ୍‌ କରି ବିଭିନ୍ନ ଯାନବାହନ ଏବଂ ଏଥିରେ ଯାଉଥିବା ଲୋକଙ୍କୁ ଯାଞ୍ଚ କରୁଛି । କେଉଁ କାରଣ ପାଇଁ ବାହାରକୁ ଆସିଛନ୍ତି ସେ ସମ୍ପର୍କରେ ଟିକିନିଖି ବୁଝୁଛି । ତଥାପି କିଛି ଲୋକ ବିଭିନ୍ନ ବାହାନା କରି ବାହାରେ ବୁଲିବାକୁ ଚେଷ୍ଟା କରୁଛନ୍ତି । ତେବେ ଯଦି କାହାର ଅଜତି ଜରୁରୀ କାମ ଅଛି ଏବଂ କେହି ରାସନ୍‌ ଓ ପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆସିଛନ୍ତି ତେବେ ବାରମ୍ବାର କୁହାଯାଉଛି ଯେ ସେମାନେ ଅନ୍ୟମାନଙ୍କ ଠାରୁ ଅତି କମ୍‌ରେ ଏକ ମିଟର ଦୂରରେ ରୁହନ୍ତୁ । ହେଲେ ସେଇ କଥାଟି ଦେଖିବାକୁ ମିଳୁନାହିଁ । ଅନ୍ୟପକ୍ଷରେ ଅଯଥା ବାହାରେ ବୁଲୁଥିବା ଲୋକଙ୍କର ଚାଲାଣ କାଟିବା ଆରମ୍ଭ କରିଛି କମିଶନରେଟ୍‌ ପୋଲିସ୍‌ ।

POLICE

ସାମଗ୍ରୀ ଦର ବଢ଼ିଲେ କାର୍ଯ୍ୟାନୁଷ୍ଠାନ

ସହରରେ ପରିବା ଦର କିଛି ଜାଗାରେ ଠିକ୍‌ ମୂଲ୍ୟ ରହିଥିବା ବେଳେ ଆଉ କିଛି ଜାଗାରେ ଚଢ଼ା ହୋଇଛି । ତେବେ ଆଳୁ ଓ ପିଆଜ ଆବଶ୍ୟକ ପରିମାଣରେ ମହଜୁଦ ରହିଥିବାରୁ ଲୋକେ ଅଯଥାରେ ଅଧିକ କିରନ୍ତୁ ନାହିଁ କିମ୍ବା ସରିଯିବ ବୋଲି ଭୟ କରନ୍ତୁ ନାହିଁ ବୋଲି ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମ ତରଫରୁ କୁହାଯାଇଛି । ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କେହି ଜାଣିଶୁଣି ବଢ଼ାଇଲେ କିମ୍ବା ଏହାର ହୋର୍ଡିଂ କଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ କରିଛନ୍ତି

PATATO

ଅଭ୍ୟସ୍ତ ହେବାକୁ ଟିକେ ଟାଇମ୍‌ ଲାଗିବ, ହେଲେ ହାତରେ ସମୟ ଅଛି ତ ?

ଏକଥା ସତ ଯେ ଅଚାନକ ଜଙ୍ଗଲରେ ବୁଲୁଥିବା ବାଘ କି ସିଂହକୁ ପିଞ୍ଜରାରେ ବନ୍ଦ କରିଦେଲେ ସେ ଗର୍ଜିବ । ଏହାକୁ ଭାଙ୍ଗିବ ଲାଗି ଚେଷ୍ଟା କରିବ । ବିଶେଷ କରି ସାମାଜିକ ସହଭାଗିତାରେ ଚଳି ଆସିଥିବା ମଣିଷ ଏବେ ସେହିଭଳି ଜନ୍ତାରେ ପଡ଼ିଲା ପରି ମନେ କରୁଛି । ତେବେ ମଣିଷ ହେଉଛି ସବୁଠାରୁ ବୁଦ୍ଧିମାନ ଜୀବ । ତେଣୁ ନିଜର ରକ୍ଷା ପାଇଁ ନିଶ୍ଚୟ ସଚେତନ ହେବ ବୋଲି ଆମେ ଆଶା କରୁଛୁ । କାରଣ କରୋନାର ଭୟାବହତା ଧୀରେ ଧୀରେ ଭାରତରେ ବଢ଼ିବାକୁ ଲାଗିଲାଣି । ଆଉ ଏହି ଅଦୃଶ୍ୟ ଶତ୍ରୁକୁ ବିନାଶ କରିବାର ଏକମାତ୍ର ରାସ୍ତା ହେଉଛି ଘର ଭିତରେ ରହିବା। ଅଧିକାଂଶ ଏହି ନିୟମକୁ ମାନୁଥିବାରୁ ସେମାନେ ଧନ୍ୟବାଦର ପାତ୍ର ନିଶ୍ଚୟ । କିଛି ଦିନ ଅଭ୍ୟାସରେ ପଡ଼ିଗଲେ ଏଇ ସାମାଜିକ ଦୂରତା ଆମକୁ ବେଶି ବାଧିବ ନାହିଁ ।

BBSR

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.