Below header

ଆମେ ୪୯ଥର କଲ୍‌ କରିବା ପରେ ସେ ଫୋନ୍‌ ଉଠାଇଥିଲେ : ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଲକ୍ଷଣ ଥିଲେ ମଧ୍ୟ ଅନେକ ଲୋକ ଏହାକୁ ଲୁଚାଉଛନ୍ତି । ଯାହାଫଳରେ ଏହା ବଢୁଛି । ତେବେ ଭୟରେ ଲୋକେ କଥା ଲୁଚାଉଛନ୍ତି ବୋଲି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ଉଦାହରଣ ଦେଇ ସେ କହିଛନ୍ତି ଯେ ପଜେଟିଭ୍‌ ବାହାରିଥିବା ପଞ୍ଚମ ବ୍ୟକ୍ତିଙ୍କୁ ୪୯ଥର କଲ୍‌ କରିବା ପରେ ସେ ଫୋନ୍‌ ଉଠାଇଥିଲେ । ଭୟ ଯୋଗୁଁ ସେ ଏଭଳି କରିଥିଲେ । ଭୟକୁ ଜୟ କରିବା ପାଇଁ ବାଗଚୀ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି, ନିଜକୁ ସନ୍ଦିଗଧ ମନେ କଲେ ସାହସର ସହ ଆଗେଇ ଆସନ୍ତୁ ଏବଂ କୁହନ୍ତୁ ମୋ ଠାରେ କରୋନାର ଲକ୍ଷଣ ରହିଛି। ଏହା ଦ୍ୱାରା ଆପଣ ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାଇ ପାରିବେ । ସମସ୍ତେ ଶପଥ ନିଅନ୍ତୁ ଯଦି ଏଭଳି କିଛି ଲକ୍ଷଣ ଦେଖା ଦିଏ ତେବେ ଖୋଲାଖୋଲି ସ୍ୱୀକାର କରନ୍ତୁ ବୋଲି ବାଗଚୀ କହିଛନ୍ତି ।

ଜ୍ୱର, କାଶ ଓ ନିଶ୍ୱାସ ନେବାରେ ସମସ୍ୟା । ୧୪ ଦିନ ଅଲଗା ରହିଲେ ଭଲ ହେବ । ୯୦ ଭାଗ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ତେଣୁ ଏହାକୁ ନ ଡରି ଏହାର ମୁକାବିଲା କରନ୍ତୁ ବୋଲି ସେ କହିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୯୦୦ ନମୂନା ରିପୋର୍ଟ ଆସିଛି। ସେଥିରୁ ପଜେଟିଭ୍‌ ସଂଖ୍ୟା ୫ ବୋଲି ସେ ସୂଚନା ଦେଇଛନ୍ତି ।

କୋଭିଡ୍‌ ହସ୍‌ପିଟାଲ

ମାର୍ଚ୍ଚ ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍‌ ହସପିଟାଲ ପାଇଁ ପ୍ରସ୍ତାବ ଦେଇଥିଲେ । ଆଉ ଆଜି ତାର ଉଦ୍‌ଘାଟନ କରିଛନ୍ତି । କିମ୍‌ସ ଏବଂ ଅଶ୍ୱିନୀ ହସପିଟାଲରେ ଏହି ବ୍ୟବସ୍ଥା କରାଯାଇଛି ।
ବରିଷ୍ଠ ପ୍ରଶାସକ ଶାଳିନୀ ପଣ୍ଡିତ କହିଥିଲେ ଯେ ବିଦେଶ କିମ୍ବା ଓଡ଼ିଶା ବାହାରୁ ଫେରିଥିବା ଲୋକମାନେ ଅଲଗା ଘରେ ରହିବା ସହିତ ପରିବାର ଲୋକଙ୍କ ଠାରୁ ୧ ମିଟର ଦୂରରେ ରହି କାମ କରିବେ । ୧୪ ଦିନ ଅଲଗା ରହିବା ପରେ ମଧ୍ୟ ପରବର୍ତ୍ତୀ ୧୪ ଦିନ ନିଜର ଲକ୍ଷଣ ପ୍ରତି ସଚେତନ ରହିବେ । ଦରକାର ହେଲେ ୧୦୪କୁ ଫୋନ୍‌ କରି ପରାମର୍ଶ ନେବେ । ଲକ୍ଷଣ ଥାଉ କି ନଥାଉ ନିଜେ ନିଜକୁ ଯାଞ୍ଚ କରିବା ଦରକାର ବୋଲି ସେ କହିଛନ୍ତି ।
ଯଦିଓ ଆବଶ୍ୟକ ହୁଏ ତେବେ ସରକାରଙ୍କ ତରଫରୁ ଗାଡ଼ି ଯାଇ ତାଙ୍କୁ ହସପିଟାଲ ନେଇ ଆସିବେ । ପଜେଟିଭ୍‌ ହେଲେ ସ୍ୱତନ୍ତ୍ର କୋଭିଡ ହସପିଟାଲ କିମ୍ବା ଅନ୍ୟ ଯେଉଁଠାରେ କରୋନା ଚିକିତ୍ସାର ବ୍ୟବସ୍ଥା ରହିଛି ସେଠାରେ ଚିକିତ୍ସା ହେବ । ଲକ୍ଷଣ ନଥିବା ଲୋକେ ଘର ଭିତରେ ରୁହନ୍ତୁ ଏବଂ ବାହାରକୁ ଆସିଲେ ଅନ୍ୟମାନଙ୍କ ଠାରୁ ୧ ମିଟର ଦୂରରେ ରହିବେବୋଲି ଶାଳିନୀ ପଣ୍ଡିତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.