ଭାରତରେ କାହିଁକି ହେଲା କରୋନା ବିସ୍ଫୋରଣ? WHOର ଟପ ବୈଜ୍ଞାନିକ ଜଣାଇଲେ ଅସଲି କାରଣ

ଭାରତରେ କରୋନାର କରାଳ ରୂପ ଦେଖିବାକୁ ମିଳିଛି। ଦେଶରେ ଏହି ମହାମାରୀର ଏମିତି ବିସ୍ଫୋରଣ ହୋଇଛି ଯେ ଦୈନିକ ୪ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି ଏବଂ ପାଖାପାଖି ୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଉଛି। ତେବେ ଭାଇରସର ଏହି ଦ୍ରୁତ ବୃଦ୍ଧି ପଛରେ ଅନେକ କାରଣ ରହିଛି। ସେଥି ମଧ୍ୟରୁ କେତେକ କାରଣ ବିଷୟରେ ଜଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଟପ ବୈଜ୍ଞାନିକ ତଥା ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଡା. ସୌମ୍ୟା ସ୍ୱାମୀନାଥନ।

ସ୍ୱାମୀନାଥନଙ୍କ କହିବା ହେଲା, ଭାରତରେ ହଠାତ କରୋନା ବିସ୍ଫୋରଣ ପଛର କାରଣ ଭାଇରସର ନୂଆ ଭେରିଏଣ୍ଟ, ଯାହାକି ବହୁତ ଅଧିକ ସଂକ୍ରାମକ ଏବଂ ମାରାତ୍ମକ। ଏଥି ସହିତ ଟିକାକରଣର ଧିମା ଗତିକୁ ବି ସେ ଆଉ ଏକ କାରଣ ବୋଲି କହିଛନ୍ତି। ସ୍ୱାମୀନାଥନ ଏକ ଇଣ୍ଟରଭ୍ୟୁରେ ପରାମର୍ଶ ଦେଇ କହିଛନ୍ତି, ଭାରତରେ କରୋନା ବିସ୍ଫୋରଣରୁ ବଞ୍ଚିବାର ଉପାୟ କେବଳ ଟିକାକରଣ ଅଭିଯାନ। ଏହାକୁ ଦ୍ରୁତ ଗତିରେ ଆଗେଇ ନେବାର ଆବଶ୍ୟକତା ରହିଛି।

ସେ ଆହୁରି କହିଥିଲେ କି, କରୋନାର ନୂଆ ଭେରିଏଣ୍ଟ B.1.617, ଯାହାକି ଭାରତରେ ଅକ୍ଟୋବର ମାସରେ ଦେଖିବାକୁ ମିଳିଥିଲା। ଆଉ ଏବେ ଏହା କରୋନା ବିସ୍ଫୋରଣର ସବୁଠାରୁ ବଡ଼ କାରଣ। ଏହି ନୂଆ ଭେରିଏଣ୍ଟ ଦେଶରେ ଲକ୍ଷାଧିକ ଲୋକଙ୍କୁ ନିଜ ଶିକାର ବନାଉଛି ଏବଂ ମାରାତ୍ମକ ପ୍ରମାଣିତ ହେଉଛି। ଭାରତରେ ମିଳିଥିବା କରୋନାର ଏହି ନୂଆ ଭେରିଏଣ୍ଟ ବହୁତ ଭୟଙ୍କର, ଯାହାକି ଶରୀରରେ ଆଣ୍ଟିବଡି ତିଆରି ହେବା ପ୍ରକ୍ରିୟାକୁ ବି ରୋକି ଦେଇଥାଏ। ପୁରୁଣା ଭେରିଏଣ୍ଟ ତୁଳନାରେ ଏହା ବହୁତ ଜଲଦି ମ୍ୟୁଟେଟ କରିଥାଏ।

corona3
photo credit: Yahoo News Singapore

ସ୍ୱାମୀନାଥନ ଆଗକୁ କହିଥିଲେ ଯେ ବ୍ରିଟେନ ଓ ଆମେରିକା ଭଳି ଦେଶ ଏହି ଭେରିଏଣ୍ଟକୁ ଗମ୍ଭୀରତାର ସହ ନେଇଛନ୍ତି। ସେମାନେ ଭାରତରେ କରୋନା ବିସ୍ଫୋରଣ ପଛରେ ଲୋକଙ୍କ ଦାୟିତ୍ୱହୀନତା ଏବଂ ଅସାବଧାନତାକୁ ଦାୟୀ କରିଛନ୍ତି। ଅଧିକ ସଂଖ୍ୟାରେ ଲୋକେ ମେଳି ହେବା ଏବଂ ସାମାଜିକ ଦୂରତା ପାଳନ ନ କରିବା ଏହାର କାରଣ ବୋଲି ଦର୍ଶାଇଛନ୍ତି।

ଡା. ସ୍ୱାମୀନାଥନଙ୍କ କହିବା ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ରାଜନେତାମାନଙ୍କ ଦ୍ୱାରା ଆୟୋଜିତ ବିଶାଳ ନିର୍ବାଚନ ଶୋଭାଯାତ୍ରା ବି ଏଥିପାଇଁ ଦାୟୀ। ଶୋଭାଯାତ୍ରାରେ ହୋଇଥିବା ଭିଡ଼ କରୋନା ବ୍ୟାପିବାରେ ସାହାଯ୍ୟ କଲା। ଏହାଛଡା ଭାରତରେ ଅନେକ ଲୋକ ଏହା ଭାବିଲେ କି, ସଙ୍କଟ ଟଳି ଯାଇଛି, ଯାହାକି ସବୁଠାରୁ ବଡ଼ ଭୁଲ। ଆଉ ଏଥିପାଇଁ ଅନେକ ଲୋକ ମାସ୍କ ପିନ୍ଧିବା ଛାଡି ଦେଲେ ଏବଂ ନିୟମ ପାଳନ କଲେ ନାହିଁ, ଯେଉଁ କାରଣରୁ କରୋନା ସହଜରେ ବ୍ୟାପିଗଲା।

କେବଳ ଏତିକି ନୁହେଁ, ସ୍ୱାମୀନାଥନ ଟିକାକରଣର ଧିମା ଗତିକୁ ଭାଇରସ ବ୍ୟାପିବାର କାରଣ ବୋଲି ବି ଧରିଛନ୍ତି। ସେ କହିଛନ୍ତି, ଭ୍ୟାକ୍ସିନ ବନାଉଥିବା ଦୁନିଆର ସବୁଠାରୁ ବଡ଼ ଦେଶ ଭାରତ ଏ ପର୍ଯ୍ୟନ୍ତ ୧.୩ ବିଲିୟନରୁ ଅଧିକ ଜନସଂଖ୍ୟା ଭିତରୁ ମାତ୍ର ୨ ପ୍ରତିଶତକୁ ସମ୍ପୂର୍ଣ୍ଣ ଟିକାକରଣ କରେଇଛି। ୭୦ରୁ ୮୦ ପ୍ରତିଶତ ଟିକାକରଣ ପର୍ଯ୍ୟନ୍ତ ପହଞ୍ଚିବାରେ ମାସ ମାସ ଲାଗିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.