ନିଆରା ପରମ୍ପରା ସହ ଜଡିତ ଲଙ୍ଗଳେଶ୍ୱର ମହାଦେବଙ୍କ ପୀଠ, ଏଠି କାନ୍ଦୁଲ ସିଝା ସହ ମଦର ଲଗାଯାଏ ଭୋଗ

ଅଞ୍ଚଳବାସୀଙ୍କ ଇଷ୍ଟଦେବ ଶ୍ରୀ ଲଙ୍ଗଳେଶ୍ୱରଙ୍କ ଲିଙ୍ଗରେ ରହିଛି ଲଙ୍ଗଳର ଦାଗ, ଯାହାକୁ ନେଇ ଯୋଡି ହୋଇରହିଛି ଆଦିବାସୀଙ୍କ ସଂସ୍କୃତି ଓ କିମ୍ବଦନ୍ତୀ ।

ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ର ତିତିସିଂ ଗ୍ରାମ..ଏଠାରେ କେଉଁ ପୁରାତନ କାଳରୁ ପୂଜା ପାଇ ଆସୁଛନ୍ତି ବାବା ଲଙ୍ଗଳେଶ୍ୱର ମହାଦେବ। ପାହାଡିଆ ବଗଡ଼ ସବୁଜ ବନାନୀ ଘେରା ମଧ୍ୟରେ ରହିଥିବା ଏହି ଭବ୍ୟ ମନ୍ଦିର ଟି ଦେଖିବାକୁ ଯେତିକି ରମଣୀୟ ତାଠାରୁ ଅଧିକ ଆଦିବାସୀଙ୍କ ପରମ୍ପରା ଓ ବିଶ୍ୱାସ । ଅଞ୍ଚଳବାସୀଙ୍କ ଇଷ୍ଟଦେବ ଶ୍ରୀ ଲଙ୍ଗଳେଶ୍ୱରଙ୍କ ଲିଙ୍ଗରେ ରହିଛି ଲଙ୍ଗଳର ଦାଗ, ଯାହାକୁ ନେଇ ଯୋଡି ହୋଇରହିଛି ଆଦିବାସୀଙ୍କ ସଂସ୍କୃତି ଓ କିମ୍ବଦନ୍ତୀ । ପୂଜା ପାଇଁ ପ୍ରମୁଖ ନୈବେଦ୍ୟ ଭାବେ ଭକ୍ତ ମାନେ କାନ୍ଦୁଲ ସିଝା ସହ ଲଣ୍ଡା ମଦ କୁ ନେଇ ବାବାଙ୍କ ପାଖରେ ଭୋଗ ଲଗାନ୍ତି ।

ବାବାଙ୍କ ଅନେକ ନାମ ମଧ୍ୟରୁ ଆଶୁତୋଷ ଅନ୍ୟ ଗୋଟିଏ ନାମ । ଆଶୁତୋଷ ଭକ୍ତ ଙ୍କ ସବୁ ଦୁଃଖ କଷ୍ଟ କୁ ଲାଘବ କରି ସମସ୍ତ ମନବାଞ୍ଛା ପୂରଣ କରନ୍ତି ବୋଲି ଅତୁଟ ବିଶ୍ୱାସ ରହିଥିବା ବେଳେ, ଅଞ୍ଚଳରେ ଯେ କୌଣସି ନୂତନ ଫସଲ ଅମଳ ହେଲେ ଭକ୍ତ ମାନେ ପ୍ରଥମେ ବାବାଙ୍କ ପାଖରେ ଭୋଗଲାଗି କରିଥାନ୍ତି । ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ଦର୍ଶନୀୟ ସ୍ଥାନତି ଗଢିଉଠିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ସହ ସହ ପର୍ଯ୍ୟଟକଙ୍କ ସମାଗମ ହେଉଛି | ତେବେ ଏହି ମନ୍ଦିରଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଥିବାରୁ ଏ ପର୍ଯ୍ୟନ୍ତ ମନ୍ଦିରର ଉର୍ନତି ହୋଇପାରୁନାହିଁ । ଏହାସତ୍ୱେ ଏହି ଦର୍ଶନୀୟ ସ୍ଥାନକୁ ଭଲ ରାସ୍ତା ଟିଏ ମଧ୍ୟ ନଥିବା ହେତୁ ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ସହ ମନ୍ଦିରର ଉର୍ନତି କଲେ ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି କହିଛନ୍ତି ଅଞ୍ଚଳବାସୀ |

ମନ୍ଦିର କିମ୍ବଦନ୍ତୀ ଅନୁସାରେ ଅନେକ ବର୍ଷ ପୂର୍ବେ ତିତିସିଂ ଗ୍ରାମର ଆଦିବାସୀ ମାନଙ୍କ ମୁଖିଆ (ପାଟମଣ୍ଡଳ)ବିଲରେ ଚାଷ କରୁଥିବା ସମୟରେ ହଠାତ ପଥରରେ ଲଙ୍ଗଳ ମୁନ ବାଜିଯିବା ଫଳରେ ଏକ ଭୟଙ୍କର ଗର୍ଜନ ଶୁଭିଲା ଏବଂ ଜମିଟି ରକ୍ତ ମୟ ହୋଇଯାଇଥିଲା । ପାଟମଣ୍ଡଳ ଭୟଭୀତ ହୋଇ ଜମିରେ ଚାଷ ନକରି ଘରକୁ ଚାଲି ଯାଇଥିଲେ। ତା ପରଦିନ ବାବା ସେହି ଗ୍ରାମର ମୁଖିଆ /ପାଟମଣ୍ଡଳ ଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ସେହି ଚାଷ ଜମିରେ ଆବିର୍ଭାବ ହେବା କଥା ଜଣାଇଥିଲେ ଏବଂ ପାରମ୍ପରିକ ଖାଦ୍ୟ କାନ୍ଦୁଲ ସିଝା ଓ ଲଣ୍ଡା ମଦ କୁ ଭୋଗ ଲାଗି କରିବା ନିମନ୍ତେ ଆଜ୍ଞା ଦେଇଥିଲେ । ଶିବଲିଙ୍ଗରେ ଲଙ୍ଗଳ ର ଦାଗ ଯେମିତି ରହିଥିଲା ଆଜିବି ସେମିତି ସେହି ଦାଗ ଦେଖିବାକୁ ମିଳେ । ଦୀପ, ଧୂପ, ନୈବେଦ୍ୟ ସହ ଲଣ୍ଡା ମଦ ଏବଂ କାନ୍ଦୁଲ ସିଝା ଭୋଗ ଲାଗି କରାଯାଉଥିବା କଥା କହିଛନ୍ତି ସ୍ଥାନୀୟ ପରିଚାଳନା କମିଟି । ଆଖ ପାଖ ଅଞ୍ଚଳବାସୀ ଙ୍କ ସମେତ ବହୁ ଦୂର ଦୁରାନ୍ତରୁ ଏହି ପବିତ୍ର ଶୈବ ପୀଠ କୁ ବଣଭୋଜି କରିବାକୁ ଆସି ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ବେଳେ ଅନୁସଙ୍ଗିକ ସୁବିଧାର ଅଭାବ ରହିଛି ।

ଗଜପତି ଜିଲ୍ଲା ର ନୂଆଗଡ ବ୍ଲକ ସମେତ ବିଭିର୍ଣ୍ଣ ସ୍ଥାନ ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବାବେଳେ ଲଙ୍ଗଳେଶ୍ୱର ପୀଠ ନିଆରା। ଏହି ପର୍ଯ୍ୟଟନ ସ୍ଥଳୀଟି ଲୋକଲୋଚନର ଅଭାବରୁ ବଣମଲି ବଣରେ ଫୁଟି ମଉଳିବାରେ ଲାଗିଛି। ତେବେ ସରକାର ଏଦିଗରେ ଦୃଷ୍ଟି ଦେଇ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କଲେ ଅଞ୍ଚଳର ବିକାଶ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.