Below header

ପଥଚାରୀଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଅଭିନେତା ରଜତ ବେଦୀ, ଦୁର୍ଘଟଣାଗ୍ରସ୍ତଙ୍କ ଅବସ୍ଥା ଗୁରୁତର

ବେପରୁଆ ଗାଡ଼ି ଚାଳନା ଅଭିଯୋଗରେ ଅଭିନେତା ରଜତ ବେଦୀଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ। ମୁମ୍ବାଇର ଅନ୍ଧେରୀ ସ୍ଥିତ ଡିଏନ୍‌ ନଗର ପୋଲିସ ରଜତଙ୍କ ବିରୋଧରେ ଜଣେ ବ୍ୟକ୍ତିଙ୍କୁ ଗାଡ଼ି ଧକ୍କା କରିଥିବା ନେଇ ମାମଲା ରୁଜୁ କରିଛି। ମୁମ୍ବାଇ ପୋଲିସଠାରୁ ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରଜତ ସୋମବାର ସନ୍ଧ୍ୟା ୬ ଟାରେ ଜୁହୁ-ଅନ୍ଧେରୀ ଅଞ୍ଚଳରେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗାଡ଼ି ଧକ୍କା କରିଥିଲେ।


ଡିଏନ୍‌ ନଗର ପୋଲିସ ଷ୍ଟେସନ୍‌ର ବରିଷ୍ଠ ଅଧିକାରୀ ମିଲିନ୍ଦ କୁରଦେ କହିଛନ୍ତି, ରଜତ ନିଜେ ହିଁ ଗାଡ଼ି ଚଲାଉଥିଲେ। ସେ ରାସ୍ତା ପାର ହେଉଥିବା ରାଜେଶ ଧୁତ ନାମକ ଜଣେ ବ୍ୟକ୍ତିଙ୍କୁ ଗାଡ଼ି ଧକ୍କା କରିଥିଲେ। ଘଟଣା ପରେ ରଜତ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ କୁପର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୀଡ଼ିତ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଆଇପିସି ଧାରା ୨୭୯ ଓ ୩୩୮ ରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ରାଜେଶ ଧୁତଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ବିଷୟରେ ଜଣାପଡ଼ିବା ପରେ ସ୍ଥାନୀୟ ପୋଲିସ କୁପର ହସ୍ପିଟାଲରେ ପହଞ୍ଚିବା ବେଳେ ଅଭିନେତା ରଜତ ସେଠାରୁ ଯାଇସାରିଥିଲେ। ମୁମ୍ବାଇ ପୋଲିସ ଖୁବ୍‌ଶୀଘ୍ର ତାଙ୍କୁ ଥାନାକୁ ଡାକି ବୟାନ ନେବ ବୋଲି କହିଛି। ଉକ୍ତ ଘଟଣା ବିଷୟରେ ଅଧିକ ତଦନ୍ତ ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.