ବଦଳିଲା ଅକ୍ଷୟ କୁମାରଙ୍କ ‘ପୃଥ୍ଵୀରାଜ୍‌’ର ରିଲିଜ୍‌ ତାରିଖ, ଏହି ଦିନ ଆସିବ ପରଦାକୁ

ବଲିଉଡ୍‌ ଅଭିନେତା ତଥା ଖିଲାଡ଼ି ଭାବେ ଲୋକପ୍ରିୟ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ଵୀରାଜ’ର ରିଲିଜ୍‌ ଡେଟ୍‌ ପୁଣିଥରେ ବଦଳିଯାଇଛି। ଅକ୍ଷୟଙ୍କର ଏହି ଫିଲ୍ମ ଏବେ ଜୁନ୍‌ ୩, ୨୦୨୨ରେ ପରଦାକୁ ଆସିବ। ପୂର୍ବରୁ ଏହି ଫିଲ୍ମ ୧୦ ଜୁନ୍‌ ୨୦୨୨ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏବେ ଏହା ଘୋଷଣା ତାରିଖ ପୂର୍ବରୁ ହିଁ ପରଦାକୁ ଆସିବ। ଏନେଇ ନିଜେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଅକ୍ଷୟ କୁମାର ଫିଲ୍ମର ଏକ ପୋଷ୍ଟର ଜାରି କରିଛନ୍ତି। ପୋଷ୍ଟରରେ ଅକ୍ଷୟ କୁମାର ପୃଥ୍ଵୀରାଜ ରୂପରେ ନଜର ଆସିଛନ୍ତି। ଏହି ପୋଷ୍ଟର ସହ ସେ ଲେଖିଛନ୍ତି- ଏହି କଥା ସେୟାର କରିବା ବେଳେ ମୁଁ ଅତ୍ୟନ୍ତ ଖୁସି ଯେ ସମ୍ରାଟ ପୃଥ୍ଵୀରାଜ ଚୌହ୍ଵାନଙ୍କ ଭବ୍ୟ ଗାଥା ଏବେ ଖୁବ୍‌ଶୀଘ୍ର ୩ ଜୁନ୍‌ରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଅକ୍ଷୟ କୁମାରଙ୍କ ପୃଥ୍ଵୀରାଜ ଓଟିଟିରେ ନୁହେଁ, ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ ବୋଲି କୁହାଯାଇଛି।


ଡାକ୍ତର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। ଏ ନେଇ ସେ କହିଛନ୍ତି, ଫିଲ୍ମ ପୃଥ୍ଵୀରାଜ ମୁଖ୍ୟତଃ ପୃଥ୍ଵୀରାଜ ରାସୋ ନାମକ ଏକ ମଧ୍ୟକାଳୀନ ମହାକାବ୍ୟ ଉପରେ ଆଧାରିତ। ଏହାକୁ ମହାକବି ଚନ୍ଦ ବରଦାଇ ରଚନା କରିଥିଲେ।

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ମିସ ଓ୍ଵାର୍ଲ୍ଡ ୨୦୧୭ ମାନୁଷୀ ଛିଲ୍ଲର ମଧ୍ୟ ନଜର ଆସିବେ। ମାନୁଷୀ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ସୋନୁ ସୁଦ୍‌ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ସୋନୁ ସୁଦ୍‌ ଫିଲ୍ମରେ ମହାକବି ଚନ୍ଦ ବରଦାଇ ଭୂମିକାରେ ନଜର ଆସିବେ। ଫିଲ୍ମରେ ସଞ୍ଜୟ ଦତ୍ତ କାକା କହ୍ନା ଭୂମିକାରେ ଅଭିନୟ କରୁଛନ୍ତି।