ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା, ଫାର୍ମାସିଷ୍ଟଙ୍କୁ ମାଡ ମାରିବା ସହ ରାସ୍ତାରେ ଟାଣି ଟାଣି ଥାନାକୁ ନେଲେ ପରିବାର ଲୋକେ

ମାଲକାନଗିରି(କେନ୍ଯୁଜ୍):ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଅଭାବନୀୟ ଘଟଣା । ଜଣେ ନାବାଳିକାର ମୃତ୍ୟୁ ଘଟିବା କାରଣରୁ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି। କାର୍ଯ୍ୟରତ ଫର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରି ରାଜରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଛନ୍ତି ପରିବାର ଲୋକେ।
ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ. ଭି ୪୪ଗ୍ରାମର ବାସୁଦେବ ବାଲାଙ୍କ ଝିଅ ୧୪ ବର୍ଷୀୟା ଝିଅ ବନ୍ଦନା ବାଲାଙ୍କ ଦେହ ଖରାପ ହେବାରୁ ତାଙ୍କୁ ସଦର ଡାକ୍ତରଖାନାର ଫାର୍ମାସିଷ୍ଟ ସଞ୍ଜୟ ବେହେରାଙ୍କ ନିକଟରେ ଚିକିତ୍ସା କରାଇଥିଲେ। ଝିଅଟିର ପେଟଲେଟ କମିଯାଇଛି କହି ୪ଦିନ ଯାଏ ଚିକିତ୍ସା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିପାରି ନଥିଲା । ଯାହାଫଳରେ ଗତକାଲି ଝିଅଟିର ମୃତ୍ୟୁ ଘଟିଥିଲା ।
ଫାର୍ମାସିଷ୍ଟ ଚିକିତ୍ସା କରିନପାରି ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅପରପକ୍ଷରେ ଫାର୍ମାସିଷ୍ଟ ଜଣକ ଅଭିଯୋଗକୁ ଭିତିହୀନ ବୋଲି କହିଛନ୍ତି। ଏହାସହ ମୃତ ଝିଅର ପରିବାର ଲୋକେ ଘରକୁ ଯାଇ ଫାର୍ମାସିଷ୍ଟଙ୍କ ପରିବାର ଲୋକଙ୍କୁ ମଧ୍ଯ ବହୁତ ଗାଳିଗୁଲଜ କରିଥିବା ନେଇ ଓଲଟି ଅଭିଯୋଗ କରିଛନ୍ତି ଫାର୍ମାସିଷ୍ଟ ଜଣଙ୍କ। ତେବେ ଡାକ୍ତରଖାନାରୁ ମୃତ ଝିଅର ପରିବାର ଲୋକ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରି ରାଜରାସ୍ତାରେ ଟାଣି ଟାଣି ଥାନାକୁ ଆଣିଥିଲେ। ଏହି ଦୃଶ୍ୟକୁ ସାଧାରଣରେ ବହୁତ ନିନ୍ଦା କରାଯାଇଛି। ଆଇନକୁ ହାତକୁ ନେବାର କାହାର ଅଧିକାର ନାହିଁ ବୋଲି ଚର୍ଚ୍ଚା ହେଉଛି।