Below header

ମନ୍ଦିର ଆଗରେ ଭିକ ମାଗୁଥିବା ଝିଅର ପ୍ରାଞ୍ଜଳ ଇଂରାଜୀ ଶୁଣି ପ୍ରଭାବିତ ହେଲେ ଅନୁପମ ଖେର, ବହନ କରିବେ ସବୁ ପଢ଼ାଖର୍ଚ୍ଚ

ବଲିଉଡ୍‌ ଅଭିନେତା ଅନୁପମ ଖେର ସବୁବେଳେ ଅସହାୟଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଯେଉଁଠି ବି ତାଙ୍କ ନଜର କୌଣସି ଅସହାୟ ତଥା ଗରିବ ଲୋକ ଉପରେ ପଡ଼େ, ସେ ନିହାତି ଭାବେ ତାକୁ ସାହାଯ୍ୟ କରିଥାନ୍ତି। ଏବେ ମଧ୍ୟ ଅନୁପମ ଖେର ଏହି ଧାରାକୁ ବଜାୟ ରଖିଛନ୍ତି ଓ ଏକ ଝିଅକୁ ସାହାଯ୍ୟର ହାତ ବଢ଼ାଇଛନ୍ତି।

ଅନୁପମ ଖେର ନିକଟରେ ନେପାଳର କାଠମାଣ୍ଡୁ ଯାଇଥିଲେ। ସେଠାରେ ସେ ପଶୁପତିନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରେ ସେ ଏକ ଭାରତୀୟ ଝିଅକୁ ଭେଟିଥିଲେ ଓ ଏବେ ସେ ଉକ୍ତ ଝିଅର ପାଠପଢ଼ା ଖର୍ଚ୍ଚ ଉଠାଇବେ ବୋଲି କହିଛନ୍ତି। ଏନେଇ ଅନୁପମ ଖେର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ଅନୁପମ ଖେର ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଝିଅର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଝିଅଟି ଅତି ପ୍ରାଞ୍ଜଳ ଭାବେ ଇଂରାଜୀ କହୁଥିବା ଦେଖାଯାଇଛି। ଝିଅଟିର ନାଁ ଆରତୀ ଓ ସେ ଇଂରାଜୀରେ କହୁଛି ଯେ ତା’ ପାଖରେ ପାଠ ପଢ଼ିବାକୁ ପଇସା ନଥିବାରୁ ଭିକ ମାଗୁଛି। ତା’ ଘର ପ୍ରକୃତରେ ଭାରତର ରାଜସ୍ଥାନରେ। କିନ୍ତୁ ଏଠାରେ ତାକୁ ଚଳିବାରେ ଅସୁବିଧା ହେବାରୁ ଏବେ ସେ ନେପାଳରେ ଭିକ ମାଗୁଛି। ତେବେ ଜଣେ ଭିକାରୁଣୀ ଏତେ ସୁନ୍ଦର ଭାବେ ନିର୍ଭୁଲ ଇଂରାଜୀ କହୁଥିବା ଦେଖି ଅନୁପମ ଖେର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ସେ ଆରତୀ ବିଷୟରେ ଅଧିକ ଜାଣିବାକୁ ଚାହିଁଥିଲେ। ଆରତୀ ଠାରୁ ସବୁ କିଛି ଶୁଣି ସାରିବା ପରେ ସେ ତା’ର ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।

ଅନୁପମ ଖେର କହିଛନ୍ତି, ଆରତୀ ମନ୍ଦିର ସାମ୍ନାରେ ଭିକ ମାଗୁଥିବା ବେଳେ ତାକୁ ଦେଖିଥିଲି। ସେ ମୋତେ ଦେଖି ଖୁବ୍‌ ଖୁସି ହୋଇଯାଇଥିଲା ଓ ମୋ ସହ ଫଟୋ ଉଠାଇଥିଲା। ତା’ ସହ ଅଧିକ କଥା ହେବାରୁ ଜାଣିଲି ଯେ ସେ ଖୁବ୍‌ ପ୍ରାଞ୍ଜଳ ଓ ନିର୍ଭୁଲ ଇଂରାଜୀ କହୁଛି। ତା’ କହିବା ଶୈଳୀ ମୋତେ ପ୍ରଭାବିତ କରିଛି। ଏଣୁ ତା ପଢ଼ା ଖର୍ଚ୍ଚ ମୁଁ ବହନ କରିଛି। ସ୍କୁଲରେ ଆଡମିଶନ କରିବା ପରେ ତା’ ଜୀବନ ବଦଳିଯିବ ବୋଲି ମୁଁ ଆଶା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.