ହାଜିରା ପକାଇବାକୁ ଏନ୍‌ସିବି ଅଫିସରେ ପହଞ୍ଚିଲେ ଆର୍ଯ୍ୟନ୍‌ ଖାନ୍‌, ସାଙ୍ଗରେ ଆସିଲେ ଶାହାରୁଖଙ୍କ ବଡିଗାର୍ଡ

ଜାମିନ୍‌ରେ ବାହାରକୁ ଆସିଥିବା ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ ଆଜି ହାଜିରା ପକାଇବାକୁ ମୁମ୍ବାଇସ୍ଥିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସରେ ପହଞ୍ଚିଛନ୍ତି। ଆର୍ଯ୍ୟନ୍‌ଙ୍କ ସହ ଏହି ସମୟରେ ଶାହାରୁଖ ଖାନ୍‌ଙ୍କ ବଡି ଗାର୍ଡ ମଧ୍ୟ ଥିଲେ। ଶାହାରୁଖଙ୍କ ବଡିଗାର୍ଡ ଆର୍ଯ୍ୟନ୍‌ଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଗାର୍ଡ କରି କରି ଏନ୍‌ସିବି ଅଫିସ୍‌ ଭିତର ଯାଏଁ ନେଇଥିଲେ।


ଆର୍ଯ୍ୟନ୍‌ ଖାନ୍‌ ଏବେ ଜାମିନ୍‌ରେ ବାହାରେ ଅଛନ୍ତି। ମୁମ୍ବାଇ ହାଇକୋର୍ଟ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ସର୍ତ୍ତ ମୁତାବକ ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ଆର୍ଯ୍ୟନ୍‌ ମୁମ୍ବାଇ ସ୍ଥିତ ଏନ୍‌ସିବି ଅଫିସରେ ହାଜିରା ପକାଇବେ। ସୂଚନାଯୋଗ୍ୟ ଯେ ଆର୍ଯ୍ୟନ୍‌ ଖାନ୍‌ ଅକ୍ଟୋବର ୩୦ରେ ଜେଲରୁ ବାହାରକୁ ଆସିଥିଲେ।

ପ୍ରକାଶ ଯେ ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡ଼େଙ୍କ ନେତୃତ୍ୱରେ ଏକ ଟିମ୍‌ ଅକ୍ଟୋବର ୨ରେ ମୁମ୍ବାଇର ଏକ କ୍ରୁଜ୍‌ ସିପ୍‌ ଉପରେ ଚଢ଼ଉ କରିଥିଲା। ଏହି ସମୟରେ ସିପ୍‌ରୁ ଡ୍ରଗ୍ସ ଜବତ ହୋଇଥିଲା। ଏହି ଅଭିଯୋଗରେ ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚ୍ଚାଣ୍ଟ ଓ ମୁନ୍‌ମୁନ୍‌ ଧମେଚାଙ୍କୁ ଅଟକ ରଖାଯାଇଥିଲା। ପରେ ସମସ୍ତଙ୍କୁ ଗିରଫ କରିଥିଲା ଏନ୍‌ସିବି। ଏହି ମାମଲାରେ ଏନ୍‌ସିବି ପାଖାପାଖି ୨୦ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ କିଛି ଲୋକ ଏବେ ଜାମିନ୍‌ରେ ବାହାରକୁ ଆସିଛନ୍ତି।