କେକେଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା! ୨ ହଜାର କ୍ଷମତା ବିଶିଷ୍ଟ ଅଡିଟୋରିୟମ୍ରେ ପଶିଥିଲେ ୫ ହଜାର ଲୋକ; ଛଡ଼ା ଯାଇଥିଲା ଟିୟର ଗ୍ୟାସ୍

ବଲିଉଡ୍ର ଲୋକପ୍ରିୟ ସିଙ୍ଗର କେକେଙ୍କ ନିଧନକୁ ନେଇ ଏବେ ଏକ ବଡ଼ ଖୁଲାସା ହୋଇଛି। ଦାବି କରାଯାଇଛି ଯେ ଯେଉଁ ଅଡିଟୋରିୟମ୍ରେ କନସର୍ଟ ଆୟୋଜିତ ହୋଇଥିଲା, ସେଠାରେ କ୍ଷମତା ଠାରୁ ଦୁଇ ଗୁଣା ଅଧିକ ଲୋକ ପହଞ୍ଚିଥିଲେ। କୁହାଯାଉଛି କି, ୨ରୁ ଅଢ଼େଇ ହଜାର କ୍ଷମତା ରଖୁଥିବା ଅଡିଟୋରିୟମ୍ରେ ପାଖାପାଖି ୫ ହଜାର ଲୋକ ଉପସ୍ଥିତ ଥିଲେ। ଏତିକି ହିଁ ନୁହେଁ, ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକଙ୍କୁ ଅଡିଟୋରିୟମ୍ରୁ ବାହାର କରିବା ପାଇଁ ଟିୟର ଗ୍ୟାସ୍ ଛଡ଼ା ଯାଉଛି। ଏବେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କହି ରଖୁଛୁ, ପଶ୍ଚିମବଙ୍ଗର କୋଲକାତାରେ ଲୋକପ୍ରିୟ ଗାୟକ କେକେଙ୍କ କନସର୍ଟ ଥିଲା, ଯେଉଁ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା ଏବଂ ଏହାର କିଛି ସମୟ ପରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। କେକେଙ୍କ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ସେଥିରେ ଦେଖାଯାଉଛି କି, କେକେ ନିଜ ମୁହଁରୁ ଝାଳ ପୋଛୁଛନ୍ତି। ଏଥି ସହିତ ଗରମ ହେଉଥିବା ନେଇ ଅଭିଯୋଗ ମଧ୍ୟ କରୁଛନ୍ତି।
ତେବେ ମୃତ୍ୟୁ ପୂର୍ବରୁ କେକେଙ୍କୁ ହାର୍ଟ ଆଟାକ୍ ଆସିଥିବା କଥା କୁହାଯାଉଛି। ପରେ ସୂଚନା ଆଧାରରେ ପୋଲିସ କେକେଙ୍କ ମୃତ୍ୟୁରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କୋଲକାତାର ନ୍ୟୁ ମାର୍କେଟ୍ ଥାନାରେ ଏହି ମାମଲା ରୁଜୁ କରାଯାଇଛି। କେକେ ଯେଉଁ ପଞ୍ଚତାରକା ହୋଟେଲରେ ରହିଥିଲେ, ତାହା ଏହି ଥାନା ଅଧୀନରେ ଆସୁଛି। ହସ୍ପିଟାଲ ଯିବା ପୂର୍ବରୁ ଏହି ହୋଟେଲରେ କେକେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ନେଇ ଅଭିଯୋଗ ରହିଥିଲା।
କେକେଙ୍କ ମୃତ୍ୟୁ ମାମଲାରେ ପୋଲିସ କହିଛି କି, ଆମେ ଘଟଣାର ତଦନ୍ତ ଆରମ୍ଭ କରି ଦେଉଛୁ। ହୋଟେଲ ଅଧିକାରୀ ମାନଙ୍କୁ ଏ ବିଷୟରେ ପଚରାଉଚରା କରୁଛୁ। ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି, ଯେଉଁଥିରୁ ଜଣା ପଡ଼ିବ ଯେ କେକେଙ୍କୁ ହସ୍ପିଟାଲ ନେବା ପୂର୍ବରୁ କ’ଣ ଘଟିଥିଲା। ପୋଲିସର କହିବା ଅନୁସାରେ, ଏହି ଘଟଣାରେ ଦୁଇ ଜଣଙ୍କୁ ପଚରାଉଚରା କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ କଲେଜର ଦୁଇଟି କାର୍ଯ୍ୟକ୍ରମରେ ପରଫର୍ମାନ୍ସ କରିବା ପାଇଁ କେକେ ଦୁଇ ଦିବସୀୟ କୋଲକାତା ଯାତ୍ରାରେ ଆସିଥିଲେ। ୫୩ ବର୍ଷୀୟ ଏହି ଗାୟକଙ୍କୁ ହୋଟେଲରେ ଶହ ଶହ ଫ୍ୟାନ ଘେରି ଯାଇଥିଲେ। ତେବେ କେକେଙ୍କ ମୃତ୍ୟୁରେ ପୂରା ବଲିଉଡ୍ ଜଗତ ଶୋକରେ ବୁଡ଼ି ଯାଇଛି। ତାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି।