ଦମନ ଫିଲ୍ମର ମନୋରଞ୍ଜନ ସାଙ୍ଗକୁ ଦମ୍‌ ବିରିୟାନୀର ସ୍ୱାଦ ନେଲେ ଦର୍ଶକ

ଯାଜପୁର (କେନ୍ୟୁଜ୍‌) : ଅନେକ ଦିନ ପରେ କୌଣସି ଓଡ଼ିଆ ସିନେମା ପାଇଁ ଓଡ଼ିଆ ଦର୍ଶକଙ୍କ ଭିତରେ ଏମିତି କ୍ରେଜ୍‌ ଦେଖିବାକୁ ମିଳିଛି । ଆଉ ସେ ଫିଲ୍ମଟି ହେଉଛି ‘ଦମନ’ । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକ ଏମିତି ଭିଡ଼ ଜମାଉଛନ୍ତି ଯେ ସବୁଠି ସବୁ ବେଳେ ହାଉସ ଫୁଲ । ଦୀର୍ଘ ବ୍ୟବଧାନରେ ଏକ ଭଲ ଓଡିଆ ଚଳଚ୍ଚିତ୍ର ନିର୍ମାଣ ହୋଇଥିବାରୁ ସମସ୍ତେ ଏହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ପୁଣି ଫିଲ୍ମଟି ବାସ୍ତବଧର୍ମୀ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି । ତେଣୁ ସିନେମା ହଲ୍‌ରେ ଦର୍ଶକଙ୍କ ଖଚାଖଚ୍‌ ଭିଡ଼ ।

ଏହିକ୍ରମରେ ଯାଜପୁର ଜିଲ୍ଲା ଜାରକା ଠାରେ ଥିବା କେ ୱାନ୍ ଟକିଜରେ ଚାଲିଛି ଦମନ ଚଳଚ୍ଚିତ୍ର । ଏଠାରେ ୩ଟି ଯାକ ସୋ ପାଇଁ ପୂର୍ବରୁ ଟିକେଟ ବିକ୍ରି ହୋଇ ଯାଇଛି । ତେବେ ଆଜି ରବିବାର ଥିବାରୁ ଟକିଜର ମାଲିକ ଏକ ଅଭିନବ ପ୍ରୟାସ କରିଥିବା ଦେଖିବାକୁ ମିଳିଛି । ‘ଦମନ’ ଫିଲ୍ମ ଦେଖିବା ସାଙ୍ଗକୁ ଦର୍ଶକଙ୍କ ପାଇଁ ଦମ୍ ବିରିୟାନୀର ବ୍ୟବସ୍ଥା କରାଯାଇଛି।

ସୋ ସରିବା ପରେ ଫିଲ୍ମ ଦେଖି ବାହାରକୁ ବାହାରୁଥିବା ଦର୍ଶକଙ୍କ ପାଇଁ ଏକ ବିରିୟାନୀ ପ୍ୟାକେଟ ସାଙ୍ଗକୁ ପାଣି ବୋତଲ ଦିଆଯାଉଛି। ଏତେଦିନ ପରେ ଏକ ଭଲ ଓଡିଆ ଫିଲ୍ମ ଦେଖି ଦର୍ଶକ ପ୍ରଶଂସା କରିଥିବା ବେଳେ ତା ସାଙ୍ଗକୁ ବିରିୟାନୀ ଅଫର, ଏହାର ଭରପୂର ମଜା ଉଠାଇଛନ୍ତି ଦର୍ଶକ । ଟକିଜ ମାଲିକଙ୍କ କହିବା ଅନୁଯାୟୀ କୋଭିଡ ପରିସ୍ଥିତି ପର ଠାରୁ ହଲ ଗୁଡିକ ଯେପରି ସ୍ଥାଣୁ ପାଲଟି ଯାଇଥିଲା । ଏଠି କେବଳ ମଶା ଉଡୁଥିଲେ । ଲୋକେ ଫିଲ୍ମ ଦେଖିବାକୁ ହଲକୁ ଆସୁନଥିଲେ ।

ତେବେ ‘ଦମନ’ ରିଲିଜ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଫିଲ୍ମ ଭଲ ବ୍ୟବସାୟ କରୁଛି । ରାଜ୍ୟ ସରକାର ମଧ୍ୟ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବା ସହ ଏହାର ପ୍ରମୋଶନ ପାଇଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ଓଡ଼ିଆ ଫିଲ୍ମ ପ୍ରତି ଆହୁରି ଆକର୍ଷିତ କରିବା ପାଇଁ ବିରିୟାନୀ ବାଣ୍ଟିଛନ୍ତି ସିନେମା ହଲ୍‌ ମାଲିକ ।