ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଆଜି ରକୁଲ ଓ କରିସ୍ମାଙ୍କୁ କରାଯିବ ଜେରା

ଆସନ୍ତାକାଲି ଏନସିବିରେ ହାଜର ହେବେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଆଜି ଏନ୍ସିବି ଆଗରେ ହାଜର ହୋଇଥାନ୍ତେ, ହେଲେ ଶନିବାର ହାଜର ହେବା ନେଇ ଜଣାପଡିଛି । ସମନ୍ ପାଇବା ପରେ ଗତକାଲି ରାତି ୯ଟାରେ ସ୍ୱାମୀ ରନ୍ବୀର କପୁରଙ୍କ ସହ ଦୀପିକା ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିଛନ୍ତି । ଡ୍ରଗ୍ସ ଲିଙ୍କ୍ ନେଇ ଏନ୍ସିବିର ସମନ୍ ପରେ ଏବେ ଟେନ୍ସନ୍ରେ ଦୀପିକା । ଏଥିସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁରଙ୍କୁ ମଧ୍ୟ କାଲି ଏନ୍ସିବିରେ ହାଜର ପାଇଁ ସମନ୍ ହୋଇଛି ।
ଏହାପୂର୍ବରୁ ମାଆ ଅମ୍ରିତା ସିଂଙ୍କ ସହ ସାରା ଅଲ୍ଲୀ ଖାନ୍ ବି ଗୋଆରୁ ମୁମ୍ବାଇ ଫେରିଛନ୍ତି । ଏପଟେ ଆଜି ସାଉଥ୍ ଅଭିନେତ୍ରୀ ରକୁଲ ପ୍ରିତ ସିଂ ଏବଂ କରିସ୍ମା ପ୍ରକାଶ ଏନ୍ସିବିରେ ହାଜର ହେବେ । ଗତକାଲି ରକୁଲ ହାଇଦ୍ରାବାଦରୁ ମୁମ୍ବାଇ ଫେରିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଲଫେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ୍ରେ ଗିରଫ ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଡ୍ରଗ୍ସ ଲିଙ୍କ୍ରେ ଏପର୍ଯ୍ୟନ୍ତ ରିୟାଙ୍କ ସମେତ ୧୬ ଜଣ ଗିରଫ ହେଲେଣି ।