ଷ୍ଟେରଲାଇଟ୍‌ ବିରୋଧ ପ୍ରଦର୍ଶନରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ରଜନୀକାନ୍ତ, କୋର୍ଟରେ ହାଜର ହେବାକୁ ସମନ୍‌

ରଜନୀକାନ୍ତଙ୍କୁ ସମନ୍‌। ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ ନିଜ ବୟାନ ଯୋଗୁ ବିବାଦ ମଧ୍ୟକୁ ଟାଣି ହୋଇଛନ୍ତି। ଷ୍ଟେରଲାଇଟ୍‌ ଫ୍ୟାକ୍ଟ୍ରିର ବିରୋଧ ପ୍ରଦର୍ଶନ ମାମଲାରେ ବିବାଦୀୟ ବୟାନ ଦେଇଥିବାରୁ କୋର୍ଟ ରଜନୀକାନ୍ତଙ୍କୁ ସମନ ପଠାଇଛନ୍ତି। ଏଥିସହ ଜାନୁଆରୀରେ ପଚରାଉଚରା ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ତୁତିକୋରିନ୍‌ ସ୍ଥିତ ବେଦାନ୍ତ ଷ୍ଟେରଲାଇଟ୍‌ କପର ୟୁନିଟ୍‌କୁ ବନ୍ଦ କରିବାକୁ ନେଇ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ଅବସରରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଛକାପଞ୍ଝା ହୋଇଥିଲା। ବିକ୍ଷୋଭ ରୋକିବାକୁ ପୋଲିସ ଆନ୍ଦୋଳନକାରୀଙ୍କ ଗାଡ଼ିରେ ମଧ୍ୟ ନିଆଁ ଲଗାଇଦେଇଥିଲା। ଏହି ହିଂସାରେ ୧୩ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଆନ୍ଦୋଳନରେ ରଜନୀକାନ୍ତ ବିବାଦୀୟ ବୟାନ ଦେଇଥିଲେ। ଅଭିନେତା କହିଥିଲେ, କିଛି ଅସାମାଜିକ ତତ୍ତ୍ୱ ବିକ୍ଷୋଭ ବେଳେ ଦଙ୍ଗା କରିଥିଲେ। ରଜନୀକାନ୍ତଙ୍କ ଏହି ବୟାନକୁ ନେଇ ସେତେବେଳେ ସେବାନିବୃତ୍ତ ଜଜ୍‌ ଅରୁଣା ଜଗଦୀଶନ୍‌ ତାଙ୍କୁ ପଚରାଉଚରା ପାଇଁ ତଲବ କରିଥିଲେ। କିନ୍ତୁ ସେତେବେଳେ ରଜନୀକାନ୍ତ ସମୟ ମାଗିଥିଲେ। ମାତ୍ର ଏବେ ଯାଏଁ ସେ କୋର୍ଟରେ ହାଜର ହୋଇନାହାନ୍ତି। ଏଣୁ ପୁନର୍ବାର ତାଙ୍କୁ ୧୯ ଜାନୁଆରୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶ ଯେ ରଜନୀକାନ୍ତ କିଛି ଦିନ ତଳେ ରାଜନୀତିରେ ଏଣ୍ଟ୍ରି କରିବା ନେଇ ଘୋଷଣା କରିଥିଲେ। ରିପୋର୍ଟ ମୁତାବକ, ରଜନୀକାନ୍ତ ନିଜର ଏକ ପାର୍ଟି ତିଆରି କରିବାକୁ ଚାହୁଁଛନ୍ତି। ଏନେଇ ସେ ନୂଆ ବର୍ଷରେ ଘୋଷଣା କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.