ଏମିତି କାମ କଲେ ଖଳନାୟକ ସଞ୍ଜୟ ଭୋଳ ଯେ ଯାତ୍ରା ପାର୍ଟି ବନ୍ଦ ହୋଇଗଲା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜଣେ କଳାକାର ପାଇଁ ବନ୍ଦ ହୋଇଗଲା ଗୋଟିଏ ଯାତ୍ରା ପାର୍ଟି । ଏଭଳି ସ୍ଥିତି ଉପୁଜିଛି ସଚ୍ଚିଦାନନ୍ଦ ଗଣନାଟ୍ୟରେ । ଜଣାଶୁଣା ଖଳ ନାୟକ ସଞ୍ଜୟ ଭୋଳ ଏହି ସଂସ୍ଥା ପାଇଁ ସାଜିଛନ୍ତି ଭିଲେନ୍‌ । ଯାତ୍ରା ଅଧାରୁ ଛାଡ଼ି ପଳାଇବା ଯୋଗୁଁ ସଂସ୍ଥା ପଡ଼ିଛି ହରଡ଼ ଘଣାରେ । ନାଟକ ବନ୍ଦ ହୋଇଯାଇଛି । କାରଣ ସେ ଥିଲେ ନାଟକର ପ୍ରମୁଖ ଚରିତ୍ର । ଏବେ ଏହାକୁ ନେଇ ଯାତ୍ରା ଜଗତରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସେପଟେ ସଞ୍ଜୟଙ୍କର ଏଭଳି ଅଣପେସାଦାର ମନୋବୃତ୍ତିର ବିରୋଧ କରି ତାଙ୍କ ଏକ ବର୍ଷ ପାଇଁ ଯାତ୍ରା ଜଗତରୁ ନିଲମ୍ବିତ କରିଛି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ।
ସଚ୍ଚିଦାନନ୍ଦ ଗଣନାଟ୍ୟର ଅଭିଯୋଗ ଅନୁଯାୟୀ ଗତ ମେ ମାସ ୨୫ ତାରିଖରେ ଅଚାନକ ଯାତ୍ରା ମଝିରୁ ସଞ୍ଜୟ ଘରକୁ ପଳାଇ ଯାଇଥିଲେ ।
ସଂଘ ନିକଟରେ ସଂସ୍ଥା ତରଫରୁ ଏ ନେଇ ଅଭିଯୋଗ କରାଯିବା ପରେ ସଞ୍ଜୟଙ୍କୁ ଯୋଗାଯୋଗ କରାଯାଇଥିଲା । ତେବେ ସେ ତାଙ୍କର ବକେୟା ପାଉଣା ସହ ଅଗ୍ରୀମ ଟଙ୍କା ଦାବି କରି ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ କାମ କରିବେ ବୋଲି କହିଥିଲେ । ସଂଘର ମଧ୍ୟସ୍ଥତାରେ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯାଇଥିଲା ଏବଂ ସେ ଦୁଇଦିନ କାମ କରି କିଛି ଅଭିଯୋଗ ଆଣି ପୁଣି ପଳାଇ ଯାଇଥିଲେ । ଏହା ପରେ ସଂଘ ତରଫରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇଲେ ନାହିଁ କିମ୍ବା କୌଣସି ସୂଚନା ଦେଲେ ନାହିଁ । ଏହା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ସଂଘର ସମ୍ପାଦକ ହୀରାଲାଲ ଏବଂ ସଭାପତି ଦୈତାରୀ ପଣ୍ଡା ଲିଖିତ ଭାବେ ଜଣାଇ ଦେଇଛନ୍ତି ।
ଏହି ଘଟଣାକୁ ନେଇ ଏବେ ଯାତ୍ରା ଜଗତରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି । ଆଉ ମୁହାଁମୁହିଁ ହୋଇଛନ୍ତି ଜଲିଉଡ୍‌ର ଦୁଇ ଖଳନାୟକ ଦୈତାରୀ ପଣ୍ଡା ଓ ସଞ୍ଜୟ ଭୋଳ ।

ସଞ୍ଜୟଙ୍କ ପ୍ରତିକ୍ରିୟା

ସେପଟେ ସଞ୍ଜୟ ଭୋଳ ନୂଆ କରି ଗଠିତ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଯାତ୍ରା କଳାକାର କଲ୍ୟାଣ ସମିତିର ସଭାପତି ନିର୍ବାଚିତ ହୋଇଛନ୍ତି । ସେ କହିଛନ୍ତି ମୋତେ ବଦନାମ କରିବା ଲାଗି ଷଡ଼ଯନ୍ତ୍ର କରାଯାଉଛି । ଏମିତିକି ସେ ଯାତ୍ରା ସଂଘକୁ ସ୍ୱୀକାର କରନ୍ତି ନାହିଁ ଏବଂ ନିଲମ୍ବନ ଆଦେଶକୁ ମଧ୍ୟ ମାନନ୍ତି ନାହିଁ ବୋଲି କହୁଥିବା ଶୁଣିବାକୁ ମିଳିଛି ।

ଅବଶ୍ୟ ଯାତ୍ରା ପାର୍ଟିରୁ କଳାକାରମାନେ ଅଚାନକ ବାହାରି ଅନ୍ୟ ଦଳରେ ଯୋଗ ଦେବା କିଛି ନୂଆ କଥା ନୁହେଁ । ତେବେ ଅନେକ ଘଟଣାରେ କଳାକାରଙ୍କ ଅଣପେସାଦାର ମନୋବୃତ୍ତି ପରସ୍ଥିତିକୁ ସଂଗୀନ କରି ଦେଉଛି । ସଞ୍ଜୟ ଭୋଳ ପାର୍ଟି ଛାଡ଼ିବା ଘଟଣାରେ ଏବେ ପ୍ରଭାବିତ ହୋଇଛି ସମ୍ପୂର୍ଣ୍ଣ ଭାବେ ଗୋଟିଏ ଯାତ୍ରା ପାର୍ଟି । ଯେଉଁଥିରେ ଅନେକ କଳାକାର ଓ କର୍ମଚାରୀ ସେମାନଙ୍କ ପେଟ ପୋଷୁଥିଲେ । ସେମାନଙ୍କ ଜୀବିକା ଉପରେ ଚଡ଼କ ପଡ଼ିଛି । ଆଶା କରୁଛୁ ମୁହାଁମୁହିଁ ପରିସ୍ଥିତି ଛାଡ଼ି ସମସ୍ୟାର ଶୀଘ୍ର ସମାଧାନ କରିବାକୁ ପଦକ୍ଷେପ ନିଆଯିବ ଏବଂ ଅଯଥାରେ ହଇରାଣ ହେବେ ନାହିଁ କଳାକାର ଓ କର୍ମଚାରୀ କିମ୍ବା ଯାତ୍ରା ପାର୍ଟି ।

Leave A Reply

Your email address will not be published.