ଜନ୍ମଦିନରେ ଦିଲ୍ଲୀପ କୁମାରଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ, ଭାବବିହ୍ଵଳ ହୋଇ ଏମିତି ଟ୍ଵିଟ୍‌ କଲେ ଟ୍ରାଜେଡି କିଙ୍ଗ୍‌

ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଭାବେ ପରିଚିତ ଦିଲ୍ଲୀପ କୁମାର ଆଜି ୯୭ ବର୍ଷରେ ପାଦ ଥାପିଛନ୍ତି। ଏ ଅବସରରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନ କାମନା କରିଛନ୍ତି। ଦିଲ୍ଲୀପ କୁମାର ମଧ୍ୟ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ସହ ସେ ନିଜର ଏକ ଫଟୋ ସେୟାର କରିଛନ୍ତି।

ଦିଲ୍ଲୀପ ଟ୍ଵିଟ୍‌ କରି ଲେଖିଛନ୍ତି ୯୭ତମ ଜନ୍ମଦିନରେ କାଲି ରାତିଠାରୁ କଲ ଓ ମେସେଜ୍‌ ଆସୁଛି। ଏଥିପାଇଁ ଧନ୍ୟବାଦ। ଉତ୍ସବ ମହତ୍ତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆପଣଙ୍କୁ ଅସୀମ ପ୍ରେମ, ସ୍ନେହ ଓ ଆଶୀର୍ବାଦ ଦେଖି ମୋ ଆଖି କୃତଜ୍ଞତାର ଲୁହରେ ଭିଜିଯାଉଛି।

ସୂଚନାଯୋଗ୍ୟ ଯେ, ଦିଲ୍ଲୀପ କୁମାରଙ୍କ ଟ୍ଵିଟରକୁ ତାଙ୍କ ପତ୍ନୀ ସାୟରା ବାନୁ ବ୍ୟବହାର କରିଥାନ୍ତି। ସେ ପ୍ରାୟତଃ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅପ୍‌ଡେଟ୍‌ ଦେଇଥାନ୍ତି। ଦିଲ୍ଲୀପ କୁମାର କିଛି ଦିନ ହେବ ରୋଗାଗ୍ରସ୍ତ ଅଛନ୍ତି। ଏଭଳି ସ୍ଥିତିରେ ପତ୍ନୀ ସାୟରା ତାଙ୍କର ଖୁବ୍‌ ଯତ୍ନ ନେଉଛନ୍ତି।

୧୯୪୭ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ଜୁଗନୁରେ ପ୍ରଥମ ଥର ପାଇଁ ଦିଲ୍ଲୀପ ସଫଳତାର ସ୍ୱାଦ ଚାଖିଥିଲେ। ତା’ପରଠୁ ସେ ଆଉ ପଛକୁ ଫେରିନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଦିଲ୍ଲୀପ ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଜାଗା ତିଆରି କରିଥିଲେ। ସେ ଦେବଦାସ, ମୁଗଲ-ଏ-ଆଜମ ଭଳି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ। ଶେଷ ଥର ପାଇଁ ୧୯୯୮ ମସିହାରେ କିଲା ଚଳଚ୍ଚିତ୍ରରେ ସେ ନଜର ଆସିଥିଲେ। ୧୯୯୪ ମସିହାରେ ତାଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୫ ମସିହାରେ ଦିଲ୍ଲୀପ କୁମାରଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.