ଡ୍ରଗ୍ସ ମାମଲା: ଅନନ୍ୟା ପାଣ୍ଡେଙ୍କୁ ଜୋର୍‌ଦାର ଗାଳି କଲେ ସମୀର ଓ୍ଵାନଖେଡ଼େ, ବିଳମ୍ବରେ ପହଞ୍ଚି ଥିଲେ NCB ଅଫିସ୍‌; ସୋମବାର ପୁଣି ପଚରାଉଚରା

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏନ୍‌ସିବିର ତଦନ୍ତ ପରିସର ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡ୍‌ ଷ୍ଟାର୍‌ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏହି ମାମଲାରେ ଜେଲରେ ଅଛନ୍ତି ଏବଂ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଏନ୍‌ସିବିର ରାଡାରକୁ ଆସି ଯାଇଛନ୍ତି। ଶୁକ୍ରବାର ଅନନ୍ୟାଙ୍କୁ ଏହି ମାମଲାରେ ଦ୍ୱିତୀୟ ଥର ପାଇଁ ପଚରାଉଚରା କରାଯାଇଥିଲା, କିନ୍ତୁ ସେ ଏନ୍‌ସିବି ଅଫିସ୍‌ରେ ଧାର୍ଯ୍ୟ ସମୟର ୩ ଘଣ୍ଟା ବିଳମ୍ବରେ ପହଞ୍ଚି ଥିଲେ। ତାଙ୍କର ଏମିତି ବିଳମ୍ବରେ ପହଞ୍ଚିବା ଏନ୍‌ସିବିକୁ ବିଲ୍‌କୁଲ ପସନ୍ଦ ଆସି ନ ଥିଲା, ଯେଉଁ କାରଣରୁ ଅନନ୍ୟାଙ୍କୁ ସମୀର ଓ୍ଵାନଖେଡ଼େଙ୍କଠାରୁ ଗୁଡ଼ିଏ ଗାଳି ଶୁଣିବାକୁ ପଡ଼ିଥିଲା।

ଏନ୍‌ସିବିର ଜୋନାଲ ଡାଇରେକ୍ଟର ସମୀର ଓ୍ଵାନଖେଡେ, ଅନନ୍ୟାଙ୍କୁ ବିଳମ୍ବରେ ଆସିବା କାରଣରୁ ଜୋର୍‌ଦାର ଗାଳି କରିଥିଲେ। ଓ୍ଵାନଖେଡେ କହିଥିଲେ କି, ‘ଆପଣଙ୍କୁ ୧୧ଟାରେ ଡକାଯାଇ ଥିଲା ଏବଂ ଆପଣ ଏବେ ଆସୁଛନ୍ତି। ଅଧିକାରୀମାନେ ଆପଣଙ୍କ ଅପେକ୍ଷାରେ ବସି ନାହାନ୍ତି। ଏହା କୌଣସି ଆପଣଙ୍କର ପ୍ରଡକ୍ସନ ହାଉସ୍‌ ନୁହେଁ, ଏହା ସେଣ୍ଟ୍ରାଲ ଏଜେନ୍ସିର ଅଫିସ୍‌। ଯେଉଁ ସମୟରେ ଡକା ଯାଇଛି, ସେହି ସମୟରେ ପହଞ୍ଚନ୍ତୁ’। ମୁମ୍ବାଇ ଏନ୍‌ସିବି ଅଭିନେତ୍ରୀଙ୍କୁ ଦ୍ୱିତୀୟ ଥର ପଚରାଉଚରା ପାଇଁ ଦିନ ୧୧ଟାରେ ହାଜର ହେବାକୁ କହିଥିଲା। କିନ୍ତୁ ଅନନ୍ୟା ୧୧ଟା ବଦଳରେ ଅପରାହ୍ନ ୨ଟା ପରେ ଏନ୍‌ସିବି ଅଫିସରେ ପହଞ୍ଚି ଥିଲେ।

ଅନନ୍ୟାଙ୍କୁ ଏନ୍‌ସିବି ଶୁକ୍ରବାର ୪ ଘଣ୍ଟା ଧରି ପଚରାଉଚରା କରିଥିଲା। ଗୁରୁବାର ମଧ୍ୟ ଏହି ମାମଲାରେ ଅନନ୍ୟାଙ୍କୁ ୨ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏବେ ଏନ୍‌ସିବି ପୁଣିଥରେ ଅନନ୍ୟାଙ୍କୁ ପଚରାଉଚରା ପାଇଁ ଡକାଇଛି। ଦୁଇ ଦିନ ଅନନ୍ୟାଙ୍କ ସହିତ ତାଙ୍କ ବାପା ଚଙ୍କି ପାଣ୍ଡେ ମଧ୍ୟ ଏନ୍‌ସିବି ଅଫିସ ପହଞ୍ଚି ଥିଲେ। ରିପୋର୍ଟ ମୁତାବକ, ଯେଉଁଭଳି ଭାବେ ଅନନ୍ୟାଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରାଯାଉଛି, ସେହି ହିସାବରେ ଆର୍ଯ୍ୟନଙ୍କ ସମସ୍ୟା ମଧ୍ୟ ବଢ଼ି ପାରେ।

ଅନନ୍ୟା ପାଣ୍ଡେଙ୍କ ସହ ଜଡ଼ିତ ୩ ଚାଟ୍‌ସ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୧୮ରୁ ୨୦୧୯ ମଧ୍ୟରେ ଏହି ଚାଟ୍‌ସ ଗଞ୍ଜେଇକୁ ନେଇ ହୋଇଛି। ଅନନ୍ୟାଙ୍କର ଦୁଇଟି ଫୋନ୍‌କୁ ଏନ୍‌ସିବି ଜବତ କରି ନେଇଛି। ଯେତେବେଳେ ଅଭିନେତ୍ରୀଙ୍କୁ ପ୍ରଶ୍ନବାଣରେ ପୋତି ଦିଆଯାଇ ଥିଲା, ତ ସେ ବହୁତ କନ୍‌ଫ୍ୟୁଜ ନଜର ଆସିଥିଲେ। ଅନନ୍ୟା ଅନେକ ପ୍ରଶ୍ନକୁ ଏହି କହି ଟାଳି ଦେଇଥିଲେ ଯେ ତାଙ୍କୁ ଠିକ୍‌ ଭାବେ ମନେ ପଡ଼ୁନାହିଁ। ଏକ ଚାଟ୍‌ରେ ଆର୍ଯ୍ୟନ ଖାନ୍‌ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ଗଞ୍ଜେଇକୁ ନେଇ କଥାବାର୍ତ୍ତା ହୋଇଥିଲା। ଆର୍ଯ୍ୟନ ପଚାରିଥିଲେ କି, ‘କିଛି ଯୋଗାଡ଼ ହୋଇପାରିବ କି’? ଅନନ୍ୟା ଉତ୍ତର ଦେଇଥିଲେ, ‘ମୁଁ ବନ୍ଦୋବସ୍ତ କରି ଦେବି’। ଏନ୍‌ସିବି ଅନନ୍ୟାଙ୍କୁ ଯେତେବେଳେ ଏହି ଚାଟ୍‌ ଦେଖାଇଥିଲା ଏବଂ ପ୍ରଶ୍ନ ପଚାରିଥିଲା, ତ ଅନନ୍ୟା ଉତ୍ତର ରଖି କହିଥିଲେ ଯେ ‘ମୁଁ କେବଳ ଥଟ୍ଟା କରୁଥିଲି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.