‘ଗୁଗଲରୁ ବହୁତ ପଢ଼ିଥିଲି କିନ୍ତୁ କିଛି ପଚାରିଲେନି’- କେବିସି ପାଇଁ କେମିତି ପ୍ରସ୍ତୁତି କରିଥିଲେ, ତାହା ବଖାଣିଲେ ହେମାମାଳିନୀ

ଅମିତାଭ ବଚ୍ଚନଙ୍କ ଶୋ’ କୌନ୍‌ ବନେଗା କରୋଡପତିରେ ହେମାମାଳିନୀ। ଡ୍ରିମ୍‌ଗାର୍ଲ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ଓ ନିର୍ଦ୍ଦେଶକ ରମେଶ ସିପ୍ପି ଶୁକ୍ରବାର ସେଲିବ୍ରିଟି ସ୍ପେଶାଲ ଏପିସୋଡ୍‌ ‘ଶାନ୍‌ଦାର ଶୁକ୍ରବାର’ରେ ଏକାଠି ପହଞ୍ଚିଥିଲେ। ଶୋଲେ ସ୍ପେଶାଲ ଏପିସୋଡ୍‌କୁ ନେଇ ଉଭୟ ହେମାମାଳିନୀ ଓ ରମେଶ ସିପ୍ପି ନର୍ଭସ ଥିଲେ। ସେମାନେ ଏହି ଏପିସୋଡ୍‌ ପାଇଁ ଖୁବ୍‌ ପ୍ରସ୍ତୁତି ମଧ୍ୟ କରିଥିଲେ। କିନ୍ତୁ ହେମାମାଳିନୀ କହିଛନ୍ତି ଯେ ସେ ଯେତିକି ପଢ଼ିଥିଲେ ସେଥି ମଧ୍ୟରୁ ତାଙ୍କୁ କୌଣସି ପ୍ରଶ୍ନ ପଚରାଯାଇନଥିଲା।

ସୋନି ଟିଭି ପକ୍ଷରୁ ଶୋ’ ସହ ଜଡ଼ିତ ଏକ ପ୍ରୋମୋ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ହେମାମାଳିନୀ ଓ ରମେଶ ନିଜ ପ୍ରସ୍ତୁତି ବିଷୟରେ କହୁଛନ୍ତି। ରମେଶ ହେମାମାଳିନୀଙ୍କୁ ପଚାରୁଛନ୍ତି ଯେ ଶୋ’ରେ ଆପଣଙ୍କ ଅନୁଭବ କେମିତି ଥିଲା? ଜବାବରେ ହେମାମାଳିନୀ କହିଥିଲେ, ପ୍ରଥମେ ତ ବହୁତ ନର୍ଭସ ଥିଲେ ଆମେ ଦୁହେଁ। ସତରେ ବହୁତ ନର୍ଭସ ଥିଲୁ।

ରମେଶ ସିପ୍ପି କହିଥିଲେ, ‘ଠିକ୍‌ କହିଲ। ଆମେ ଭାବିଥିଲୁ ଏତେ ବର୍ଷ ମଧ୍ୟର ଇଜ୍ଜତ ମାତ୍ର କିଛି ଘଣ୍ଟାରେ ଚାଲିଯିବ। କିନ୍ତୁ ଏମିତି ହେଲା ନାହିଁ।’ ତାଙ୍କ କଥା ଶୁଣି ହେମାମାଳିନୀ କହିଛନ୍ତି, ‘ମୁଁ କେତେ ପଢ଼ିଛି ଜଣାନାହିଁ। ମୁଁ ଗୁଗଲ ଦେଖି ଖୁବ୍‌ ପଢ଼ିଛି… ଭାବିଥିଲି କଣ କଣ ପଚାରିବେ… କିଛି ବି ଆସିପାରେ। କିନ୍ତୁ ଆମେ ଯେତେ ପ୍ରସ୍ତୁତ ହୋଇଥିଲୁ ସେସବୁ କିଛି ବି ଆସିଲା ନାହିଁ। ଏହା ଏକ ଖୁବ୍‌ ସୁନ୍ଦର ପ୍ରୋଗ୍ରାମ। ଏହା ଇଣ୍ଟେଲିଜେଣ୍ଟ ପ୍ରୋଗ୍ରାମ’।

ତେବେ ଶୋ’ରେ ହେମାମାଳିନୀ ଓ ଅମିତାଭ ବଚ୍ଚନ ଫିଲ୍ମ ଶୋଲେର ଅନେକ ଡାଇଲଗ୍‌କୁ ରିକ୍ରିଏଟ୍‌ କରିଥିଲେ। ଅମିତାଭ ହେମାମାଳିନୀଙ୍କୁ ପଚାରିଥିଲେ, ତୁମ୍‌ହାରା ନାମ୍‌ କ୍ୟା ହେ ବସନ୍ତୀ? ଜବାବରେ ହେମାମାଳିନୀ କହିଥିଲେ, ‘ସାଲା ନୌଟଙ୍କୀ, ଜବ୍‌ ଦେଖୋ ଡ୍ରାମା କରତା ହେ’। ଶୋ’ରେ ଧର୍ମେନ୍ଦ୍ର ମଧ୍ୟ ଭିଡିଓ କଲ୍‌ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହି ଶୋ’ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.