ପୁଣି ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ଚର୍ଚ୍ଚାରେ, ତାଙ୍କ ବିରୋଧରେ ସ୍ୱାମୀ ଗଲେ କୋର୍ଟକୁ

ଟେଲିଭିଜନ୍‌ର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀଙ୍କ ବିରୋଧରେ ତାଙ୍କ ସ୍ୱାମୀ ଅଭିନବ କୋହଲି ଆଣିଛନ୍ତି ବଡ଼ ଅଭିଯୋଗ । ସବୁବେଳେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରୁଥିବା ଶ୍ୱେତା କୁଆଡ଼େ ତାଙ୍କୁ ତାଙ୍କ ପୁଅ ସହ ଦେଖା କରିବାକୁ ଦେଉ ନାହାନ୍ତି । ୪ ବର୍ଷର ପୁଅ ରେୟାଂଶକୁ ସେ ଦେଖା କରି ପାରୁ ନାହାନ୍ତି । ଏ ନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ଅଭିନବଙ୍କ କହିବା କଥା ଯେତେବେଳେ ଶ୍ୱେତାଙ୍କୁ କରୋନା ହୋଇଥିଲା ସେତେବେଳେ ସେ ପୁଅକୁ ଆଣି ତାଙ୍କ ପାଖରେ ଛାଡ଼ି ଦେଇ ଯାଇଥିଲେ । ହେଲେ ସୁସ୍ଥ ହେବା ପରେ ପୁଣି ନେଇ ଯାଇଛନ୍ତି ଏବଂ ତାଙ୍କୁ ଆଉ ଭେଟିବାକୁ ସୁଯୋଗ ଦେଉନାହାନ୍ତି ।

ଏ ନେଇ ଅଭିନବ ମାମଲା ଦାୟର କରିବା ପରେ କୋର୍ଟ ଡିସେମ୍ବରରେ ନୋଟିସ୍‌ ପଠାଇଥିଲେ । ମାମଲାର ଶୁଣାଣି ଜାନୁଆରୀ ୫କୁ ରହିଥିଲା । ସେଦିନ ଶ୍ୱେତା କୋର୍ଟରେ ହାଜର ହୋଇଥିଲେ ଏବଂ ଜବାବ ରଖିବାକୁ ସମୟ ମାଗିଥିଲେ ବୋଲି ଅଭିନବଙ୍କ ଓକିଲ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟ କହିଛନ୍ତି କି ଅଭିନବ ଭିଡିଓ କଲ୍‌ ଜରିଆରେ ପୁଅ ରେୟାଂଶ ସହ ଦେଖା କରି ପାରିବେ । ଏଥିପାଇଁ ପ୍ରତି ଦିନ ସନ୍ଧ୍ୟା ୬ଟାରେ ସମୟ ରଖା ଯାଇଛି ।

ମନେ ପକାଇ ଦେଉଛୁ କି ସୁନ୍ଦରୀ ଶ୍ୱେତା ତିଓ୍ଵାରୀଙ୍କର ପ୍ରଥମ ବିବାହ ପରେ ସ୍ୱାମୀ ସହ ବିବାଦ ଯୋଗୁଁ ଛାଡ଼ପତ୍ର ହୋଇଥିଲା । ଏହାପରେ ସେ ଅଭିନବଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତେବେ ଏହି ବିବାହ ମଧ୍ୟ ସଫଳ ନହବରୁ ଦୁହେଁ ଅଲଗା ରହୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.