Below header

ଦୁବାଇରେ ଫସିଛନ୍ତି ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ଘରୋଇ ସହାୟିକା; କାନ୍ଦି କାନ୍ଦି ମୁକ୍ତ କରିବାକୁ କଲେ ଗୁହାରି…ଭିଡିଓ ଭାଇରାଲ

ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ପିଛା ଛାଡ଼ୁନାହିଁ ସମସ୍ୟା। ଏବେ ତାଙ୍କ ଘରୋଇ ସହାୟିକାଙ୍କ ଭିଡିଓ ଭାଇରାଲ ହେବା ପରେ ସମସ୍ୟା ଆହୁରି ବଢ଼ି ଯାଇଛି। ସହାୟିକା ଜଣକ ନଓ୍ଵାଜୁଦ୍ଦିନଙ୍କ ଦୁବାଇସ୍ଥିତ ଘରେ ଫସି ରହିଥିବା କାନ୍ଦି କାନ୍ଦି ଜଣାଇଛନ୍ତି।

ନଓ୍ଵାଜୁଦ୍ଦିନ ସିଦ୍ଦିକି ପୁଣିଥରେ ଅସୁବିଧାରେ ଫସିଛନ୍ତି। ସୂଚନା ରହିଛି କି, ସପନା ନାମ୍ନୀ ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଝିଅଟି କାନ୍ଦି କାନ୍ଦି ନିଜର କଷ୍ଟ ଜଣାଉଛନ୍ତି। ତାଙ୍କୁ ଦୁବାଇରେ ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ପିଲାମାନଙ୍କ ଦେଖାଶୁଣା ପାଇଁ ରଖାଯାଇଥିଲା। କିନ୍ତୁ ଏବେ ସେ ସେଠାରେ ନିଜେ ଫସିଯାଇଥିବା ଅନୁଭବ କରୁଛନ୍ତି। ଭିଡିଓରେ ଝିଅ ଭାରତ ଫେରିବାକୁ ଏବଂ ନିଜର ଦରମା ବିଷୟରେ କାନ୍ଦି କାନ୍ଦି କହୁଛି।

ଓକିଲ ରିଜଓ୍ଵାନ ସିଦ୍ଦିକି ଟ୍ଵିଟରରେ ଏହି ଝିଅର ଭିଡିଓ ସେୟାର କରିଛନ୍ତି। ସେ ନଓ୍ଵାଜୁଦ୍ଦିନଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ଜଣେ ଝିଅ ତାଙ୍କ ଯୋଗୁ ଦୁବାଇରେ ଫସି ରହିଛି, ଯିଏ କି, ‘ଇଷ୍ଟ’ ନାମକ କମ୍ପାନୀର ସେଲ୍ସ ମ୍ୟାନେଜର ହୋଇ ଦୁବାଇରେ ପହଞ୍ଚିଥିଲେ। କିନ୍ତୁ ତାଙ୍କର ଅସଲି କାମ ଥିଲା ଅଭିନେତାଙ୍କ ଦୁବାଇସ୍ଥିତ ଘରେ ତାଙ୍କ ପିଲାମାନଙ୍କର ଦେଖାଶୁଣା କରିବା। ଯଦିଓ ସ୍ୱାମୀ, ସ୍ତ୍ରୀଙ୍କ ଝଗଡ଼ା ପରେ ପିଲାମାନେ ଏବେ ମା’ ପାଖରେ ଅଛନ୍ତି।

ଓକିଲ ଭାରତ ସରକାରର ଅଧିକାରୀମାନଙ୍କୁ ସପନାଙ୍କୁ ତୁରନ୍ତ ମୁକୁଳାଇବାକୁ ନିବେଦନ କରିଛନ୍ତି। କହି ରଖୁଛୁ, ରିଜଓ୍ଵାନ ସିଦ୍ଦିକି ଅଭିନେତାଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କ ଓକିଲ। ସପନା ଭିଡିଓରେ କହୁଛନ୍ତି ଯେ ‘ମୁଁ ନଓ୍ଵାଜୁଦ୍ଦିନ ସାର୍‌ଙ୍କ ଘରେ ଫସି ରହିଛି। ସାର୍‌ ମ୍ୟାଡାମ୍‌ ଯିବା ପରେ ଭିସା ଲଗାଇଥିଲେ। ଭିସାର ପଇସା ମୋ ଦରମାରୁ କଟିଥିଲା। ମୋତେ ଦୁଇ ମାସରୁ ଦରମା ଦିଆଯାଇ ନାହିଁ। ମୁଁ ଅସୁବିଧାରେ ଅଛି’।

ସପନା ଆହୁରି କହୁଛନ୍ତି ଯେ ସେ ଘରେ ଏକୁଟିଆ ଅଛନ୍ତି ଏବଂ ତାଙ୍କ ପାଖରେ ଖାଇବା ପାଇଁ ପଇସାଟିଏ ବି ନାହିଁ। ସେ ସାହାଯ୍ୟ ପାଇଁ ଅପିଲ୍‌ କରୁଛନ୍ତି ଏବଂ ଭାରତ ଫେରିବାକୁ କହୁଛନ୍ତି। କହି ରଖୁଛୁ, ନଓ୍ଵାଜୁଦ୍ଦିନ୍‌ ଓ ତାଙ୍କ ପତ୍ନୀଙ୍କ ମାମଲା କୋର୍ଟରେ ବିଚାରାଧୀନ ରହିଛି।

ଏଠାରେ ଆଲିଆ ପ୍ୟାଟରନିଟି ଟେଷ୍ଟ ପାଇଁ ପିଟିସନ ଦାଖଲ କରିଥିଲେ, ଯାହାଫଳରେ କି, ସେ ପ୍ରମାଣିତ କରିପାରିବେ ଯେ ନଓ୍ଵାଜୁଦ୍ଦିନ ହିଁ ତାଙ୍କ ପୁଅର ବାପା। ୪୮ ବର୍ଷୀୟ ନଓ୍ଵାଜୁଦ୍ଦିନଙ୍କ ମା’ ମେହରୁନିସା ଆଲିଆଙ୍କ ଛୋଟ ପୁଅ ତାଙ୍କ ପୁଅର ସନ୍ତାନ ବୋଲି ବିଶ୍ୱାସ କରୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.