ପଞ୍ଜାବର ଲୋକପ୍ରିୟ ସିଙ୍ଗର ଦିଲଜାନଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ, ୨ ଏପ୍ରିଲରେ ହୋଇଥାଆନ୍ତା ନୂଆ ଗୀତ ରିଲିଜ୍‌

ପଞ୍ଜାବୀ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପଞ୍ଜାବର ଲୋକପ୍ରିୟ ସିଙ୍ଗର ଦିଲଜାନଙ୍କ ଅମୃତସରରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ମଙ୍ଗଳବାର ଭୋର୍‌ ପାଖାପାଖି ୩ଟା ୪୫ରେ ଜଣ୍ଡିୟାଲା ଗୁରୁ ନିକଟରେ ଘଟିଛି। କୁହାଯାଉଛି କି, ଦିଲଜାନ ବିଳମ୍ବିତ ରାତିରେ ନିଜ କାର୍‌ରେ ଅମୃତସରରୁ କରତାରପୁର ନିଜ ଘରକୁ ଫେରୁଥିଲେ। ଫେରିବା ବାଟରେ ହିଁ ଏହି ଦୁର୍ଘଟଣା ଘଟିଥିଲା।

କାର୍‌ର ବେଗ ଅଧିକ ଥିବାରୁ ହଠାତ୍‌ ସନ୍ତୁଳନ ବିଗିଡ଼ି ଯାଇଥିଲା। ଫଳରେ ସେ ଡିଭାଇଡରରେ ଯାଇ ପିଟି ହୋଇଯାଇଥିଲେ। କାର୍‌ ଏତେ ଜୋର୍‌ରେ ପିଟି ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ପରିବାର ଲୋକଙ୍କ କହିବା ହେଲା, ୨ ଏପ୍ରିଲରେ ଦିଲଜାନଙ୍କ ଏକ ନୂଆ ଗୀତ ରିଲିଜ୍‌ ହେବାର ଥିଲା। ଏଥିପାଇଁ ସେ ଏକ ମିଟିଂ ପାଇଁ ଅମୃତସର ଯାଇଥିଲେ। ଘରକୁ ଫେରିବା ବାଟରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ କାର୍‌ରେ ଏକୁଟିଆ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.