‘ଥରେ ନୁହେଁ ମୋତେ ୩ ଥର ସାପ କାମୁଡ଼ିଛି’, ଜନ୍ମଦିନରେ ସାପ କାମୁଡ଼ିବାର କାହାଣୀ ଶୁଣାଇଲେ ସଲମାନ୍ ଖାନ୍

ଆଜି ବଲିଉଡ୍ର ଭାଇଜାନ୍ ସଲମାନ୍ ଖାନ୍ଙ୍କ ଜନ୍ମଦିନ। ଡିସେମ୍ବର ୨୭ ତାରିଖ ଅର୍ଥାତ୍ ଆଜି ସଲମାନ୍ ଖାନ୍ ୫୬ ବର୍ଷରେ ପାଦ ଦେଇଛନ୍ତି। ତେବେ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସଲମାନ୍ଙ୍କୁ ସାପ କାମୁଡ଼ିଥିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଆଡମିଟ୍ ହେବାକୁ ପଡ଼ିଥିଲା। କିନ୍ତୁ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘରକୁ ଫେରିବା ପରେ ସଲମାନ୍ ସାପ କାମୁଡ଼ିବା ବେଳର କଥା କହିଛନ୍ତି।
ସଲମାନ୍ ଖାନ୍ କହିଛନ୍ତି, ଗୋଟିଏ ରୁମ୍ରେ ସାପ ପଶିଯାଇଥିଲା। ସାପ କଥା ଶୁଣି ପିଲାମାନେ ଡରିଯାଇଥିଲେ। ଏଣୁ ସାପକୁ ବାହାର କରିବା ପାଇଁ ମୁଁ ସେ ରୁମ୍ ଭିତରକୁ ଯାଇଥିଲି। ମୁଁ ଗୋଟେ ଛୋଟ ବାଡ଼ି ଧରିଥିଲି। ତା’ ପରେ ଏକ ବଡ଼ ଠେଙ୍ଗା ମଗାଇଥିଲି। ସାପଟି ଠେଙ୍ଗା ଉପରକୁ ଆରାମରେ ଚଢ଼ିଯାଇଥିଲା। ତା’ ପରେ ମୁଁ ତାକୁ ବାହାରକୁ ଛାଡ଼ିବା ବେଳେ ଠେଙ୍ଗାକୁ ଗୋଟିଏ ହାତରେ ଧରି ସାପକୁ ଅନ୍ୟ ହାତରେ ଧରିଥିଲି। କିନ୍ତୁ ଏହି ସମୟରେ ସାପଟି ମୋତେ କାମୁଡ଼ି ଦେଇଥିଲା। ଥରେ ନୁହେଁ ସାପଟି ମୋତେ ୩ଥର କାମୁଡ଼ିଥିଲା। ତା’ ପରେ ମୋତେ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡାକ୍ତର ମୋତେ ଆଣ୍ଟି ଭେନମ୍ ଇଞ୍ଜେକସନ୍ ଦେଇଥିଲେ। ହସ୍ପିଟାଲରେ ମୁଁ ୬ ଘଣ୍ଟା ଅବଜରଭେସନ୍ରେ ରହିଲି। ତା’ ପରେ ମୁଁ ଘରକୁ ଫେରିଥିଲି। ଇତି ମଧ୍ୟରେ ମୁଁ ସବୁ ପ୍ରକାରର ଆଣ୍ଟି ଭେନମ୍ ଇଞ୍ଜେକସନ୍ (କ୍ରେଟ୍, ଭାଇପର, କୋବ୍ରା) ନେଇ ସାରିଲିଣି ବୋଲି କହିଛନ୍ତି ସଲମାନ୍ ଖାନ୍।
“Saanp se dosti ho gayi,” says #SalmanKhan as the media questions him about his encounter with a snake. pic.twitter.com/zhOEEw1JMh
— Filmfare (@filmfare) December 27, 2021
ତା’ ପରେ ସଲମାନ୍ ହସି ହସି କହିଥିଲେ, ସାପ କାମୁଡ଼ିବା ପରେ ମୋ ଭଉଣୀ ଅର୍ପିତା ବହୁତ ଡରିଯାଇଥିଲା। ସେତେବେଳକୁ ସାପ ସହ ମୋର ବନ୍ଧୁତା ହୋଇଯାଇଥିଲା। ତା ପରେ ମୁଁ ସାପ ସହ ଏକ ସେଲଫି ନେଇଥିଲି ଆଉ ତାକୁ ଛାଡ଼ି ଦେଇଥିଲି।
ତା’ ପରେ ବାପା ସଲିମ୍ ଖାନ୍ ମୋତେ ପଚାରିଲେ, କ’ଣ ହେଲା? ସାପ ବଞ୍ଚିଛି ତ? ମୁଁ କହିଲି- ହଁ ସାପ ବି ବଞ୍ଚିଛି ଆଉ ଟାଇଗର ବି। ସେ କହିଲେ, ସାପକୁ ମାରିନୁ ତ? ମୁଁ କହିଲି ନା, ଭଲରେ ନେଇ ବାହାରେ ଛାଡ଼ି ଦେଇ ଆସିଛି।
ପ୍ରକାଶ ଯେ ସଲମାନ୍ ଖାନ୍ ନିଜ ୫୬ ତମ ଜନ୍ମ ଦିନ କେବଳ ବନ୍ଧୁ ବାନ୍ଧବ ଓ ପରିବାର ସହ ପାଳନ କରିଛନ୍ତି।