ଆରପାରିରେ ବଲିଉଡର ଭଏସ ଅଫ୍ ଲଭ୍, “ହମ୍ ରହେଁ ୟା ନା ରହେଁ କଲ୍”… ଏହି ଗୀତ ପାଇଁ ସବୁ ଦିନ ଅମର ରହିବେ କେ.କେ

ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ (କେକେ ଭାବେ ଲୋକପ୍ରିୟ) ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଦେହାନ୍ତ ହୋଇଯାଇଛି। ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । କୋଲକାତାରେ ନଜରୁଲ ମଞ୍ଚ ଗୁରଦାସ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ ଲାଇଭ୍ ପରଫର୍ମ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। କେକେ ସାରା ଭାରତରେ ଜଣେ ଲୋକପ୍ରିୟ ଗାୟକ ଭାବେ ପରିଚିତ ଥିଲେ।

ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ କେକେଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ଶୁଣିବାକୁ ମିଳୁଛି । ସିଙ୍ଗର କେ.କେଙ୍କ ମୃତଦେହକୁ ମଧ୍ୟାହ୍ନ ୧୨ ଟାରେ ଘରୋଇ ଡାକ୍ତରଖାନାରୁ SSKM ଡାକ୍ତରଖାନାକୁ ନିଆଯିବ, ଯେଉଁଠାରେ ପୋଷ୍ଟମର୍ଟମ କରାଯିବ। ତାଙ୍କ କପାଳ ଏବଂ ମୁହଁରେ ଆଘାତ ଚିହ୍ନ ଥିବା ସୂତ୍ରରୁ ପ୍ରକାଶ। ଆଘାତ ବିଷୟରେ ଅଧିକ ବିବରଣୀ ବିଷୟରେ ତାଙ୍କର ମୃତଦେହ ପୋଷ୍ଟମର୍ଟମ ହେବା ପରେ ପ୍ରକୃତ କାରଣ ଜଣାପଡ଼ିବ । ସୂଚନାଯୋଗ୍ୟ, ୨ଦିନିଆ କନସର୍ଟ ପାଇଁ କେକେ କୋଲକାତା ଆସିଥିଲେ । ତାଙ୍କର ଦ୍ୱାରା ସୋମବାର ଗୋଟିଏ କଷ୍ଟନ ଅୟୋଜିତ ହୋଇଥିଲା । ବିବେକାନନ୍ଦ କଲେଜରେ ସେ କାର୍ଯ୍ୟକ୍ରମ କରିଥିଲେ । କିନ୍ତୁ ଦ୍ୱିତୀୟ ଦିନ କଷ୍ଟନ ପରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିଥିଲା । ଦେଖୁ ଦେଖୁ ସେ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ, ଯେଉଁଠାରୁ ଆଉ କେହି ଫେରନ୍ତି ନାହିଁ ।

୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ । ରେହ ନା ହେ ତେରେ ଦିଲ ମେ ର ସଚ କେହରାହା ହେ ଦିୱାନା ଦୀଲ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ନାମ । ଏହାପରେ ବଲିଉଡକୁ ସେ ହିଟ୍ ପରେ ହିଟ୍ ଗୀତ ଦେଇଥିଲେ । ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି । ଯେଉଁଥିପାଇଁ ଲୋକମାନେ ଚାହିଁଲେ ମଧ୍ୟ ତାଙ୍କୁ ଭୁଲି ପାରିବେ ନାହିଁ ।

ପ୍ରଥମ ଥର ପାଇଁ ସେ ୧୯୯୬ରେ ଗୁଲଜାରଙ୍କ ହମ୍ ବ୍ୱ ଗଲିଆଁ ଗୀତ ଗାଇଥିଲେ । ଏହା ଏକ ଫିଲ୍ମର ଗୀତ ଥିଲା । ସେହିପରି ୧୯୯୯ରେ କେ.କେ ‘ପ୍ୟାର୍ କେ ପଲ୍’ ଗୀତଗାଇ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଏହା ପରେ ସେ ସଙ୍ଗୀତପ୍ରେମୀ ତଥା ସଙ୍ଗୀତ ବିଶେଷଜ୍ଞଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ।

କେକେଙ୍କ ‘ପ୍ୟାର୍ କେ ପଲ୍’ ପରେ “ୟାରୋ” ଗୀତ ମଧ୍ୟ ଏକ ବଡ଼ ହିଟ୍ ହୋଇଥିଲା । ଦଶନ୍ଧି ପୂର୍ବରୁ ଗାଇଥିବା କେ.କେ.ଙ୍କ ଏହି ଗୀତଟି ବନ୍ଧୁତ୍ୱର ଏକ ଉଦାହରଣ ସାଜିଥିଲା ଆଜି ମଧ୍ୟ ଫ୍ୟାନ୍ସ ମାନେ ଏହି ସଙ୍ଗୀତକୁ ମାନେ ରଖିଛନ୍ତି ।

ଭୁଲ ଭୁଲେୟା ଫିଲ୍ମର ଲବୋ କୋ ଏହି ରୋମାଣ୍ଟିକ୍ ଗୀତରେ କେ.କେ ତାଙ୍କ ସ୍ୱର ଦେଇଥିଲେ । ସେ ଏହି ଗୀତକୁ ଏତେ ସୁନ୍ଦର ଭାବରେ ଗାଇଥିଲେ ଯେ ଆପଣ ଏହି ଗୀତ ଶୁଣିବା ପରେ କଦାପି ବିରକ୍ତ ହୋଇପାରିବେ ନାହିଁ ।

ସେହିପରି ମାଚିସ ଫିଲ୍ମ ବଲିଉଡର ସୁପରହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ ।ଏହି ଚଳଚ୍ଚିତ୍ରଟି ଏକ ହିଟ୍ ଥିଲା, କିନ୍ତୁ ଏହି ଫିଲ୍ମର ‘ଛୋଡ୍ ଆଏ ହମ୍ ୱୋ ଗଲିୟାନ୍’ ଗୀତ ମଧ୍ୟ ସୁପରହିଟ ହୋଇଥିଲା । ଆଜିର ସମୟରେ ଲୋକମାନେ ଫିଲ୍ମର ନାମ ଭୁଲିପାରନ୍ତି, କିନ୍ତୁ ଏହି ଗୀତକୁ କେବେବି ପ୍ରସଶଂସକ ମାନେ ଭୁଲିପାରିବେ ନାହିଁ ।

ସଲମାନ ଖାନ ଏବଂ ଐଶ୍ୟର୍ଯ୍ୟା ରାୟଙ୍କ ଅଭିନୀତ ହମ୍ ଦିଲ୍ ଦେ ଚୁକେ ସନମ୍ ଫିଲ୍ମର “ଲୁଟ ଗଏ’ ଗୀତ ଆଜି ବି ସମସ୍ତଙ୍କ ହୃଦୟକୁ ଛୁଇଁ ଯାଏ । ଏହି ଗୀତ ଶୁଣିବା ମାତ୍ରେ ସମସ୍ତଙ୍କ ଆଖିରେ ନିଶ୍ଚିତ ଭାବେ ଲୁହ ଆସିଛି ଯାଏ ।

ଏକ ସମୟ ଥିଲା ଯେତେବେଳେ କେ. କେଙ୍କ ରେହନା ହେ ତେରେ ଦିଲ ମେନ୍ ର ଗୀତ ‘ସଚ୍ଚ କାହା ଦେୱାନା’ର ଗୀତକୁ କଲର୍ ଟ୍ୟୁନ୍ ସେଟ୍ କରୁଥିଲେ। କିନ୍ତୁ ଆଜି ବି ଏହି ଗୀତ ଶୁଣିଲେ ପୁରୁଣା ବୋଲି ମନେ ହୋଇନଥାଏ। ସେହିପରି ଇମ୍ରାନ ହାଶମୀଙ୍କ ଚଳଚ୍ଚିତ୍ର ଦି ଟ୍ରେନର ଲୋକପ୍ରିୟ ଗୀତ ଆଜି ବି ବେଶ ଜଣାଶୁଣା । କେବଳ ଏତିକି ନୁହେଁ ଅଭିଷେକ ବଚ୍ଚନଙ୍କ ଦସ ଫିଲ୍ମର ଟାଇଟେଲ ଟ୍ରାକ ଦସ୍ ବାହାନେ, ପ୍ରିୟଙ୍କା ଚୋପ୍ରା ଏବଂ ଅର୍ଜୁନ କପୁରଙ୍କ ଗୁଣ୍ଡେ ଫିଲ୍ମର ତୁନେ ମୋରି ଏଂଟ୍ରି ଇତ୍ୟାଦି ଅନେକ ଗୀତ ଗାଇଛନ୍ତି ।

୧୯୬୮ ମସିହା ଅଗଷ୍ଟ ୨୩ରେ ନୂଆଦିଲ୍ଲୀରେ କେକେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ କ୍ୟାରିଅରରେ ଅନେକ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ। କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗଣମାଧ୍ୟମର ଆଖିରୁ ଦୂରେଇ ରଖୁଥିଲେ। ଅନେକ ଲୋକ ଜାଣନ୍ତି ନାହିଁ ଯେ କେ.କେ ତାଙ୍କ ପିଲାଦିନର ପ୍ରେମିକାଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନାମ ଜ୍ୟୋତି। ଜ୍ୟୋତିଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ଦି କପିଲ ଶର୍ମା ସୋ’ରେ କେ.କେ କହିଥିଲେ ଯେ ଜ୍ୟୋତିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଷଷ୍ଠ ଶ୍ରେଣୀରେ ଥିଲା। ସେଠାରୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଏକାଠି ଥିଲେ। ସେ ଜଣେ ପ୍ରକୃତ ୱାନ୍ ମ୍ୟାନ୍ ମଧ୍ୟ ଥିଲେ | ସେ କହିଥିଲେ, ‘ମୁଁ ମୋ ଜୀବନରେ କେବଳ ଗୋଟିଏ ଝିଅକୁ ଡେଟ କରିଥିଲି ଏବଂ ସେ ମୋର ପତ୍ନୀ ଜ୍ୟୋତି। ମୁଁ ଜଣେ ଲାଜୁଆ ଲୋକ ଥିଲି ଏବଂ ତାଙ୍କୁ ସଠିକ୍ ଭାବରେ ଡେଟ ମଧ୍ୟ କରି ପାରିଲି ନାହିଁ।

କେ.କେ ଏବଂ ଜ୍ୟୋତି ପିଲାଦିନରୁ ଏକାଠି ଥିଲେ। ୧୯୯୧ ରେ ଉଭୟ ବିବାହ କରିଥିଲେ। କିନ୍ତୁ ବିବାହ ପୂର୍ବରୁ କେ.କେଙ୍କୁ ନିଜ ପାଇଁ ଚାକିରି ଖୋଜିବାକୁ ପଡ଼ିଲା।ଯେତେବେଳେ ସେ କିଛି ପାଇଲେ ନାହିଁ, ସେତେବେଳେ ସେ ସେଲସମ୍ୟାନ ଚାକିରି କରିଥିଲେ। ଏହା ପରେ ସେମାନେ ବିବାହ କଲେ। ମାତ୍ର ୬ ମାସ ମଧ୍ୟରେ ସେ ତାଙ୍କ ଚାକିରିକୁ ନେଇ ଅସୁବିଧାରେ ପଡ଼ିଲେ । ତାଙ୍କ ପତ୍ନୀ ଏବଂ ପିତାଙ୍କ ସମର୍ଥନ ପରେ ସେ ଚାକିରି ଛାଡି ସଂଗୀତ ଜଗତରେ ପାଦ ଦେଲେ ସେଥିପାଇଁ ସେ ମୁମ୍ବାଇ ଆସିଥିଲେ। ଏହା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ସୁପରହିଟ ସିଙ୍ଗର ଭାବେ ପରିଚିତ ହୋଇଥିଲେ ।

ଅନ୍ୟପଟେ କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମତେ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦୀ ଟ୍ୱିଟ କରି କହିଛନ୍ତି ଯେ, କ୍ରିଷ୍ଣକୁମାର ଜଣେ ଭଲ ଗାୟକ ଥିଲେ । ସେ ପ୍ରତ୍ୟେକ ବର୍ଗର ଲୋକଙ୍କ ମନକୁ ଛୁଇଁଲା ଭଳି ଗୀତ ଗାଇଥିବାବେଳେ ଅନେକ ଭାଷାରେ ବି ଗୀତ ଗାଇ ସମସ୍ତଙ୍କୁ ମୁଗ୍ଧ କରିଛନ୍ତି । ତାଙ୍କ ଅକାଳ ମୃତ୍ୟୁ ସଙ୍ଗୀତ ଜଗତ ପାଇଁ ଅପୁରଣୀୟ କ୍ଷତି ପହଞ୍ଚାଇଛନ୍ତି । ସେହିପରି ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ମ୍ୟୁଜିକ ଡିରେକ୍ଟର ଭିଶାଲ ଆଦି ଅନେକ ସହଯୋଗୀଙ୍କୁ ହରାଇ ଶୋକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.