ୟୁପିରେ କରମୁକ୍ତ ହେବ ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’, ସ୍ପେଶାଲ ସ୍କ୍ରିନିଙ୍ଗ୍‌ ପରେ ମୁଖ୍ୟମନ୍ତ୍ରୀ ଯୋଗୀ କଲେ ଘୋଷଣା

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଅଭିନୀତ ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’ର ପ୍ରମୋସନ ସାରା ଦେଶରେ କରୁଛନ୍ତି। ବୁଧବାର ଦିଲ୍ଲୀର ଚାଣକ୍ୟ ଥିଏଟରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସଦସ୍ୟଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ଏପଟେ ଆଜି ୟୁପି ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଫିଲ୍ମର ସ୍ପେଶାଲ ପ୍ରିମିୟର ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କର ପୂରା କ୍ୟାବିନେଟ୍‌ ଉପସ୍ଥିତ ଥିଲା।

ଏହି ସ୍ପେଶାଲ ସ୍କ୍ରିନିଂ ସମୟରେ ସିଏମ୍‌ଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଫିଲ୍ମକୁ ଦେଖିଥିଲେ। ସିଏମ୍‌ ଯୋଗୀ ଆଦିତ୍ୟନାଥ ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ଷ୍ଟାର୍‌ କାଷ୍ଟ୍‍ ଫିଲ୍ମ ‘ସମ୍ରାଟ ପୃଥ୍ଵୀରାଜ’ ଦେଖି ସାରିବା ପରେ ଏହାକୁ ୟୁପିରେ କରମୁକ୍ତ ବା ଟ୍ୟାକ୍ସ ଫ୍ରି କରିବାକୁ ଘୋଷଣା କରିଥିଲେ। ଫିଲ୍ମର ବିଶେଷ ପ୍ରଦର୍ଶନ ଲକ୍ଷ୍ନୌର ଲୋକ ଭବନରେ ହୋଇଥିଲା। ଏଠାରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲରଙ୍କ ବ୍ୟତୀତ ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ମଧ୍ୟ ଉପସ୍ଥିତ ଥିଲେ।

କହି ରଖୁଛୁ, ସମ୍ରାଟ ପୃଥ୍ଵୀରାଜ ୩ ଜୁନରେ ମୁକ୍ତିଲାଭ କରିବ। ନିକଟରେ ୟଶରାଜ ଷ୍ଟୁଡିଓ ବ୍ୟାନରରେ ଫିଲ୍ମର ତୃତୀୟ ଟ୍ରେଲର ରିଲିଜ ହୋଇଥିଲା। ଏଥିରେ ସମ୍ରାଟ ପୃଥ୍ଵୀରାଜ ଚରିତ୍ରରେ ଅକ୍ଷୟ କୁମାରଙ୍କ ସାହସୀ ଅନ୍ଦାଜ ଦେଖିବାକୁ ମିଳିଥିଲା। ଫିଲ୍ମର ପ୍ରମୋସନ ନିମନ୍ତେ ଅକ୍ଷୟ କୁମାର ବାବା ବିଶ୍ୱନାଥଙ୍କ ଦର୍ଶନ ପାଇଁ ବାରାଣସୀରେ ପହଞ୍ଚିଥିଲେ। ସେଠାରେ ସେ ଫିଲ୍ମର ସଫଳତା ପାଇଁ ଗଙ୍ଗାମାତାଙ୍କୁ ପୂଜା କରିଥିଲେ। ଏହି ସମୟରେ ଅକ୍ଷୟ ଗଙ୍ଗା ଘାଟରେ ଆଳତି କରିବା ସହ ବୁଡ଼ ପକାଇଥିଲେ। ସୋସିଆଲ ମିଡିଆରେ ଅକ୍ଷୟ କୁମାର ଗଙ୍ଗା ଘାଟରୁ ନିଜର ଏକ ଫଟୋ ମଧ୍ୟ ସେୟାର କରିଥିଲେ, ଯେଉଁ ଥିରେ ସେ ହାତରେ ପୂଜା ଥାଳି ଧରି ଆଳତି କରୁଥିବାର ଦେଖା ଯାଇଥିଲେ।

ଫଟୋ ସେୟାର କରି ଅଭିନେତା କ୍ୟାପସନ ଲେଖିଥିଲେ କି, ‘ହର ହର ମହାଦେବ’। ଗଙ୍ଗା ଘାଟରେ ଅକ୍ଷୟ ପୂଜା କରୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ଖୁବ୍‌ ପସନ୍ଦ କରିଥିଲେ। ଫିଲ୍ମରେ ଅକ୍ଷୟ ଓ ମାନୁଷୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ସୋନୁ ସୁଦ୍‌ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିକଟରେ ଅକ୍ଷୟ କୁମାର ଫିଲ୍ମର ‘ମଖମଲ୍ଲୀ’ ଗୀତର ଟିଜର ସେୟାର କରିଥିଲେ। ଏହି ରୋମାଣ୍ଟିକ୍‌ ଗୀତରେ ଅକ୍ଷୟ ଓ ମାନୁଷୀଙ୍କ କେମିଷ୍ଟ୍ରୀକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.