ରିଲିଜ୍‌ର ୨ ଦିନ ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ଵୀରାଜ’ ଦେଖିବେ ଗୃହମନ୍ତ୍ରୀ ଅମିତ ଶାହ, ନିର୍ମାତା ଦେଲେ ସୂଚନା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଜୁନ୍‌ ୧ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପୃଥ୍ଵୀରାଜ’ ଦେଖିବେ। ଏ ନେଇ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ଫିଲ୍ମରେ ମହାନ୍‌ ଯୋଦ୍ଧା ରାଜା ପୃଥ୍ଵୀରାଜ ଚୌହ୍ଵାନଙ୍କ ଜୀବନୀ ବର୍ଣ୍ଣନା କରାଯାଇଛି। ଏହି ଫିଲ୍ମରେ ପୃଥ୍ଵୀରାଜ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରୁଛନ୍ତି। ଦ୍ୱିବେଦୀଙ୍କ କହିବାନୁସାରେ, ଫିଲ୍ମ ହଲ୍‌ରେ ରିଲିଜ୍‌ ହେବାର ତାରିଖ ଜୁନ୍‌ ୩ ରହିଛି। କିନ୍ତୁ ଗୃହ ମନ୍ତ୍ରୀ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧ରେ ପୃଥ୍ଵୀରାଜ ଫିଲ୍ମ ଦେଖିବେ।

ଫିଲ୍ମ ନିର୍ମାତା କହିଛନ୍ତି, ଏହା ଆମ ପାଇଁ ଏକ ସମ୍ମାନ କଥା ଯେ ଆମ ଦେଶର ମାନନୀୟ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଜୀ ଭାରତମାତାଙ୍କ ସବୁଠୁ ସାହସୀ ସୁପୁତ୍ର ମାନଙ୍କ ମଧ୍ୟରୁ ଜଣେ ସମ୍ରାଟ୍‌ ପୃଥ୍ଵୀରାଜ ଚୌହ୍ଵାନଙ୍କ ଗୌରବଶାଳୀ ଜୀବନ ଉପରେ ଆଧାରିତ ଫିଲ୍ମ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଇତିହାସ ପୁଣିଥରେ ଲୋକଙ୍କ ପାଖକୁ ଆସୁଛି। ଦେଶ ପାଇଁ ବଳି ଦାନ ଦେଇଥିବା ରାଜାଙ୍କ ମଧ୍ୟରୁ ପୃଥ୍ଵୀରାଜ ଚୌହ୍ଵାନ ଜଣେ। ତାଙ୍କ କାହାଣୀକୁ ଆମେ ପରଦାରେ ଦେଖାଇବୁ ବୋଲି କହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ।

ତେବେ ଏହି ଫିଲ୍ମର ସ୍କ୍ରିନିଂ କେଉଁଠାରେ ହେବ ସେ ନେଇ ଏବେ ଯାଏଁ କୌଣସି ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ୧୯୯୧ ମସିହାରେ ଟେଲିଭିଜନର ଧାରାବାହିକ ଚାଣକ୍ୟ ଓ ୨୦୦୩ ମସିହାରେ ପରଦାକୁ ଆସିଥିବା ବିଭାଜନ ଉପରେ ଆଧାରିତ ଫିଲ୍ମ ପିଞ୍ଜରରେ ନିର୍ଦ୍ଦେଶନା ଦେଇଥିଲେ ଦ୍ୱିବେଦୀ।

ଏହି ଫିଲ୍ମରେ ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ସମ୍ରାଟ୍‌ ପୃଥ୍ଵୀରାଜ ଓ ରାଜକୁମାରୀ ସଂଯୋଗିତାଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଏଥିସହ ଫିଲ୍ମର ଟ୍ରେଲରରେ ୧୧୯୧ ଓ ୧୧୯୨ ରେ ପୃଥ୍ଵୀରାଜ ଚୌହ୍ଵାନ ଓ ମହମ୍ମଦ ଘୋରୀଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଯୁଦ୍ଧର ଝଲକ୍‌ ବି ଦେଖିବାକୁ ମିଳିଛି।

ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ବ୍ୟତୀତ ଟ୍ରେଲରରେ ଅଭିନେତା ସୋନୁ ସୁଦ୍‌ କବି ଚନ୍ଦ୍ରବରଦାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅଭିନେତା ସଞ୍ଜୟ ଦତ୍ତ କାକା କାହ୍ନାଙ୍କ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ଏଥିସହ ଆଶୁତୋଷ ରାଣା ଜୟଚନ୍ଦ୍ର ଓ ମାନବ ବିଜ ମହମ୍ମଦ ଘୋରୀ ଭୂମିକାରେ ନଜର ଆସିବେ। ଏଥିସହ ଫିଲ୍ମରେ ସାକ୍ଷୀ ତଓ୍ଵର, ଲଳିତ ତିଓ୍ଵାରୀ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ।

Also Read: ‘ତାରକ ମେହେତା କା ଉଲ୍‌ଟା ଚଷମା’ ଛାଡ଼ିଲେ ବବିତାଜୀ ଓରଫ୍‌ ମୁନ୍‌ମୁନ୍‌ ଦତ୍ତା! ଏହି ରିଆଲିଟି ଶୋ’ରେ ଆସିବେ ନଜର