ବିବାହ ପରେ ବିରାଟ-ଅନୁଷ୍କାଙ୍କ ପଡ଼ୋଶୀ ହେବେ ଭିକ୍କି-କ୍ୟାଟ୍ରିନା, ମୋଟା ଅଙ୍କ ଦେଇ ନେଲେ ନୂଆ ଘର

ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବିବାହ ଚର୍ଚ୍ଚା ଏବେ ସବୁ ଆଡ଼େ। ଉଭୟଙ୍କ ବିବାହ ଡିସେମ୍ବରରେ ହେବ ବୋଲି କୁହାଯାଉଛି। ଇତି ମଧ୍ୟରେ ନୂଆ ଅପ୍‌ଡେଟ୍‌ ବି ଲଗାତାର ଆସୁଛି। ପ୍ରଥମେ କୁହାଯାଉଥିଲା ଯେ ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ କ୍ୟାଟ୍ରିନା ଓ ଭିକ୍କିଙ୍କ ନିର୍ବନ୍ଧ ଶେଷ ହୋଇଛି। ଏବେ ମିଳିଥିବା ତାଜା ରିପୋର୍ଟ ମୁତାବକ, ଏହି କପଲ ବିବାହ ପରେ ରହିବାକୁ ନୂଆ ଘର ବି ଖୋଜିସାରିଲେଣି।

ଭିକ୍କି କୌଶଲ ବିବାହ ପରେ କ୍ୟାଟ୍ରିନାଙ୍କ ସହ ରହିବାକୁ ନୂଆ ଘର ଖୋଜିଥିବା ଜଣାଯାଇଛି। ଜୁହୁ ସ୍ଥିତ ଏହି ଘର ପାଇଁ ଭିକ୍କି ମୋଟା ଅଙ୍କର ଭଡ଼ା ଦେଇଥିବା ଜଣାଯାଇଛି। କୁହାଯାଉଛି ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଦୀର୍ଘ ଦିନ ହେବ ମୁମ୍ବାଇରେ ଭଲ ଘର ଖୋଜୁଥିଲେ। କିନ୍ତୁ ସେମାନଙ୍କୁ ମନ ପସନ୍ଦର ଘର ମିଳୁନଥିଲା। ମାତ୍ର ଏବେ ତାଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଶେଷ ହୋଇଛି ଓ ଏହି ପ୍ରେମୀ ଯୁଗଳଙ୍କୁ ଘର ମିଳିଯାଇଛି।

ଜୁହୁ ଅଞ୍ଚଳର ଏକ ଲଗ୍‌ଜ୍ୟୁରିୟସ୍‌ ଆପାର୍ଟମେଣ୍ଟକୁ ଏହି ପ୍ରେମୀ ଯୁଗଳ ଭଡ଼ା ସୂତ୍ରରେ ନେଇଛନ୍ତି। ଏହି ଆପାର୍ଟମେଣ୍ଟର ବିଲ୍ଡିଂରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ମଧ୍ୟ ରହୁଛନ୍ତି। ଏହି ଆପାର୍ଟମେଣ୍ଟରେ ରହିବା ପରେ କ୍ୟାଟ୍ରିନା କୈଫ୍‌ ନିଜ ବେଷ୍ଟ୍‍ ଫ୍ରେଣ୍ଡ୍‌ ଅନୁଷ୍କାଙ୍କର ପଡ଼ୋଶୀ ବନିଯିବେ।

ରିୟଲ ଇଷ୍ଟେଟ୍‌ ପୋର୍ଟାଲ ସମ୍ଭାଳୁଥିବା ବରୁଣ ସିଂହଙ୍କ ଠାରୁ ମିଳିଥିବା ସୂଚନା ମୁତାବକ, ଭିକ୍କି କୌଶଲ ଜୁହୁର ରାଜମହଲରେ ଆପାର୍ଟମେଣ୍ଟ ଭଡ଼ାରେ ନେଇଛନ୍ତି। ଗତ ୮ ବର୍ଷ ହେଲା ଏହି ଅଲ୍ଟା ଲଗ୍‌ଜ୍ୟୁରିୟସ୍‌ ବିଲ୍ଡିଂରେ ବଡ଼ ବଡ଼ ସେଲିବ୍ରିଟି ରହୁଛନ୍ତି। ଭିକ୍କି ଜୁଲାଇ ୨୦୨୧ରେ ଏହି ବିଲ୍ଡିଂର ୮ମ ମହଲାରେ ଥିବା ଆପାର୍ଟମେଣ୍ଟକୁ ଭଡ଼ାରେ ନେଇଛନ୍ତି। ଏହାର ସିକ୍ୟୁରିଟି ଭାବେ ସେ ୧.୭୫ କୋଟି ଟଙ୍କା ଜମା କରିଛନ୍ତି। ପ୍ରଥମ ୩୬ ମାସ ପାଇଁ ସେ ପ୍ରତି ମାସରେ ୭.୮ ଲକ୍ଷ ଟଙ୍କା ଭଡ଼ା ଦେବେ। ଏହା ପରେ ୧୨ ମାସ ପାଇଁ ପ୍ରତି ମାସରେ ୮.୪୦ ଲକ୍ଷ ଦେବେ ଓ ତା’ ପରେ ୧୨ ମାସ ପାଇଁ ଭିକ୍କି କୌଶଲ ପ୍ରତି ମାସରେ ୮.୮୨ ଲକ୍ଷ ଭଡ଼ା ଦେବେ।

ପ୍ରକାଶ ଯେ ଦୀପାବଳି ଦିନ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଲୁଚାଛପାରେ ନିର୍ବନ୍ଧ କରିଥିବା କୁହାଯାଉଛି। ‘ଏକ ଥା ଟାଇଗର’ର ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ଦୀପାବଳି ପାର୍ଟି ବେଳେ ଭିକ୍କି ଓ କ୍ୟାଟ୍ରିନା ପରିବାର ଲୋକଙ୍କ ଉପସ୍ଥିତିରେ ଦୁହିଁଙ୍କର ନିର୍ବନ୍ଧ ଶେଷ ହୋଇଛି। ଭିକ୍କି ଓ କ୍ୟାଟ୍ରିନାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ବେଶ୍‌ ସୁନ୍ଦର ଥିଲା। କ୍ୟାଟ୍ରିନା ଏକ ଖୁବ୍‌ ସୁନ୍ଦର ଲେହେଙ୍ଗା ପିନ୍ଧିଥିଲେ। ଲାଇଟ୍‌ ଓ ଡେକୋରେସନ୍‌ ମଧ୍ୟ ମନକୁ ଛୁଇଁଗଲା ଭଳି ଥିଲା। ଦୀପାବଳି ଦିନ ଶୁଭ ମୁହୂର୍ତ୍ତ ଥିବାରୁ ଉଭୟ ପରିବାର ଏହି ଦିନ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଦେଶକ କବୀର ଖାନ୍‌ ଓ ତାଙ୍କ ପତ୍ନୀ ମିନି ମାଥୁର କ୍ୟାଟ୍ରିନାଙ୍କ ପାଇଁ ତାଙ୍କ ପରିବାର ଭଳି। କ୍ୟାଟ୍ରିନା କବୀର ଖାନ୍‌ଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଏଣୁ ସେ ତାଙ୍କ ପରିବାର ସହ ଖୁବ୍‌ କ୍ଲୋଜ୍‌। କୁହାଯାଉଛି ଯେ କବୀର ଖାନ୍‌ କ୍ୟାଟ୍ରିନା ଓ ଭିକ୍କି କୌଶଲଙ୍କ ନିର୍ବନ୍ଧ ସେରିମନିକୁ ଖୁବ୍‌ ସୁନ୍ଦର ଭାବେ ହୋଷ୍ଟ କରିଥିଲେ।

ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା କୈଫ୍‌ ନିଜ ବିବାହ କଥା ବାହାରକୁ ଆସୁ ବୋଲି ଚାହୁଁ ନାହାନ୍ତି। ଏଣୁ ସେ ଇଣ୍ଡଷ୍ଟ୍ରୀର ସାଙ୍ଗମାନଙ୍କୁ ମଧ୍ୟ ବାହାଘରରେ ନିମନ୍ତ୍ରଣ କରୁନାହାନ୍ତି। କୁହାଯାଉଛି ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଶେଷ ମୁହୂର୍ତ୍ତରେ ବି ନିଜ ବିବାହ ସ୍ଥାନ ବଦଳାଇ ପାରନ୍ତି। ଉଭୟେ ନିଜ ଡେଟିଂ ଲାଇଫ୍‌ ଓ ରିଲେସନ୍‌ସିପ୍‌କୁ ମିଡିଆ ଠାରୁ ଦୂରରେ ରଖିବାକୁ ପସନ୍ଦ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.