ଆଉ ନାହାନ୍ତି ସଫଳ ଫିଲ୍ମ ନିର୍ମାତା ବିଜୟ ଗାଲାନି, ଲଣ୍ଡନରେ ଦେହତ୍ୟାଗ

ବଲିବୁଡର ସୁପରହିଟ ଫିଲ୍ମ ନିର୍ମାତା ବିଜୟ ଗାଲାନି ଆଉ ନାହାନ୍ତି । ତାଙ୍କର ଦେହାନ୍ତ ହୋଇଥିବା ଖବର ଏବେ ବଲିବୁଡରେ ଏକ ଶୂନ୍ୟସ୍ଥାନ ଟାଣିଦେଇଛି । ଖବର ଅନୁଯାୟୀ ଡିସେମ୍ବର ୨୯, ୨୦୨୧ରେ ଲଣ୍ଡନରେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ସେ ବ୍ରିଟେନ ଗସ୍ତର କିଛି ମାସ ପୂର୍ବରୁ କ୍ୟାନସର ରୋଗର ଚିକିତ୍ସା ପାଇଁ ତିନିମାସ ପୂର୍ବରୁ ଲଣ୍ଡନ ଯାଇଥିଲେ । ତେବେ ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ବିଜୟ ଗାଲାନି ବଲିବୁଡର ଜଣେ ସଫଳ ନିର୍ମାତା ଥିଲେ । ଅନେକ କଳାକାରଙ୍କ ନିକଟତର ଥିଲେ ସେ । ୨୦୦୧ରେ ଅଜନବି ଚଳଚିତ୍ର ନିର୍ମାଣ କରିଥିଲେ । ଯେଉଁଥିରେ ଅକ୍ଷୟ କୁମାର, ବବି ଦେୱଲ, କରିନା କପୁର, ବିପାଶା ବସୁ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ୨୦୧୦ରେ ସଲମାନ ଖାନ ଅଭିନୀତ ଭୀର ପ୍ରସ୍ତୁତ କରିଥିଲେ ବିଜୟ । ଶେଷଥର ପାଇଁ ଫିଲ୍ମ ଦ ପାୱାର ର ନିର୍ମାଣ କରିଥିଲେ ଯେଉଁଥିରେ ବିଦ୍ୟୁତ ଜାମୱାଲ, ଶ୍‌ୃତି ହାସନ, ଜାକିର ହୁସେନ, ପ୍ରତୀକ ବାବର, ସଚୀନ ଖେଡକର ଏବଂ ଯିଶୁ ସେନଗୁପ୍ତା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚିତ୍ରଟି ଚଳିତ ବର୍ଷ ଜାନୁଆରୀରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା । ଯାହାର ନିର୍ଦ୍ଦେଶନା ଦେଇଥିଲେ ମହେଶ ମଞ୍ଜରେକର ।

ବିଜୟ ଗାଲାନି ତାଙ୍କ ପତ୍ନୀ ଗୋଟିଏ ପୁଅ ଓ ଝିଅ ସହ ରହୁଥିଲେ । ତାଙ୍କ ଦେହାନ୍ତରେ ହିନ୍ଦି ସିନେମା ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ନିର୍ମାତା ରମେଶ ତୌରାନି କହିଛନ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଖଦାୟକ । ମୋର ବନ୍ଧୁ ବିଜୟ ଗାଲାନି ଆଉ ନାହାନ୍ତି । ଭଗବାନ ତାଙ୍କ ଆତ୍ମାକୁ ବିଶ୍ରାମ ଦିଅନ୍ତୁ । ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପ୍ରତି ମୋର ସମଦେବନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.