ବିବାହ ପୂର୍ବରୁ ନିଶ୍ଚୟ କରନ୍ତୁ ଏସବୁ ମେଡିକାଲ ଟେଷ୍ଟ, ନଚେତ୍‌ ଦାମ୍ପତ୍ୟ ଜୀବନ ହୋଇପାରେ ବରବାଦ

ଆରମ୍ଭ ହୋଇଗଲାଣି ବିବାହ ଋତୁ। ଏହି ସିଜନ୍‌ରେ ଅନେକ କୁମାର କୁମାରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ପ୍ରସ୍ତୁତ ହୋଇସାରିବେଣି। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ତଥା ପାର୍ଟନରଙ୍କୁ ବୁଝିବାକୁ ଏହି ସମୟରେ ସମସ୍ତେ ଚେଷ୍ଟା ଚଳାଇଥାନ୍ତି। କିନ୍ତୁ ଏହା ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ରହିଛି ଯାହା ପ୍ରତ୍ୟେକ ଯୋଡ଼ି ବିବାହ ପୂର୍ବରୁ କରିବା ଆବଶ୍ୟକ। ତାହା ହେଉଛି ମେଡିକାଲ ଟେଷ୍ଟ। ବିବାହ ପରବର୍ତ୍ତୀ ଜୀବନ ଖୁସିରେ ବିତାଇବା ପାଇଁ ପ୍ରତ୍ୟେକ ଯୋଡ଼ି କିଛି ମେଡିକାଲ ଟେଷ୍ଟ କରି ନେବା ଜରୁରୀ। ଆପଣ ବି ଯଦି ବିବାହ କରିବାକୁ ଯାଉଛନ୍ତି ତେବେ ଏସବୁ ସ୍ୱାସ୍ଥ୍ୟ ପରୀକ୍ଷା ନିଶ୍ଚୟ କରାନ୍ତୁ…

ଡାଇବେଟିସ୍‌ ଟେଷ୍ଟ:

ବିବାହ ପୂର୍ବରୁ ପ୍ରତ୍ୟେକ ପୁଅ ଓ ଝିଅ ବ୍ଲଡ୍‌ସୁଗାର ଟେଷ୍ଟ କରିନେବା ଉଚିତ। ଏହା ଦ୍ୱାରା ଡାଇବେଟିସ୍‌ ଅଛି କି ନାହିଁ ଜଣାପଡ଼ିଯିବ। କାରଣ ଡାଇବେଟିସ୍‌ ଏକ ବଂଶଗତ ରୋଗ। ଏହା ଖୁବ୍‌ଶୀଘ୍ର୍ର ବ୍ୟକ୍ତିକୁ ନିଜ କବ୍ଜାକୁ ନେଇଯାଇଥାଏ। ଏଣୁ ବିବାହ ପୂର୍ବରୁ ଏହି ପରୀକ୍ଷା କରାଇଲେ ପୂର୍ବରୁ ହିଁ ଆପଣ ସଚେତନ ହୋଇପାରିବେ।

ହିମୋଗ୍ଲୋବିନ୍‌ ଟେଷ୍ଟ:

ବିବାହ ପୂର୍ବରୁ ଉଭୟ ପୁଅ ଝିଅଙ୍କୁ ହିମୋଗ୍ଲୋବିନ୍‌ ପରୀକ୍ଷା କରାଇନେବା ଉଚିତ। ଏହା ଦ୍ୱାରା ଥାଲସେମିଆ ଓ ସିକଲସେଲ ଭଳି ମାରାତ୍ମକ ରୋଗ ସମ୍ପର୍କରେ ଆଗୁଆ ଜଣାପଡ଼ିଯିବ। ଫଳରେ ଆପଣ ବିବାହକୁ ନେଇ ଆଗକୁ ବଢ଼ିବେ କି ନାହିଁ ଆଉ ଥରେ ଚିନ୍ତା କରିପାରିବେ।

ବ୍ଲଡ୍‌ ଗ୍ରୁପ୍‌ ଯାଞ୍ଚ:

ବାହାଘର ପୂର୍ବରୁ ଉଭୟ ବର କନ୍ୟା ବ୍ଲଡ୍‌ ଗ୍ରୁପ୍‌ ଯାଞ୍ଚ କରିନେବା ଆବଶ୍ୟକ। ଏହା ଦ୍ୱାରା ଉଭୟଙ୍କର ଆର୍‌ଏଚ୍‌ ଫ୍ୟାକ୍ଟର ବିଷୟରେ ଜଣାପଡ଼ିବ। ଯଦି ଜଣଙ୍କ ଆରଏଚ୍‌ ନେଗେଟିଭ୍‌ ଓ ପାର୍ଟନରଙ୍କ ପଜିଟିଭ୍‌ ଥିବ ତେବେ ଆରଏଚ୍‌ ମିଶିବନାହିଁ। ଏଭଳି ସମସ୍ୟା ଥିଲେ ସନ୍ତାନ ହେବା ନେଇ ଆଶଙ୍କା ରହିଛି। ଆଉ ଯଦି ସନ୍ତାନ ହୁଏ ତେବେ ତାକୁ ଏନିମିଆ ଭଳି ରୋଗ ହୋଇପାରେ ବୋଲି ଡାକ୍ତର ମତ ଦିଅନ୍ତି।

ଏଚ୍‌ଆଇଭି ଟେଷ୍ଟ:

ବିବାହ ପୂର୍ବରୁ ସମସ୍ତ ଯୋଡ଼ିଙ୍କୁ ଏଚ୍‌ଆଇଭି ଟେଷ୍ଟ ନିହାତି କରିବା ଆବଶ୍ୟକ। ଏହା ଦ୍ୱାରା ଭବିଷ୍ୟତରେ ବଡ଼ ରୋଗ ହେବା ଆଶଙ୍କା ନଥାଏ। ମା’କୁ ଏଚ୍‌ଆଇଭି ହୋଇଥିଲେ ଛୁଆ ବି ସଂକ୍ରମିତ ହେବା ସମ୍ଭାବନା ରହିଥାଏ। ଏଣୁ ସମ୍ପର୍କରେ ବାନ୍ଧି ହେବା ପୂର୍ବରୁ ଏଚ୍‌ଆଇଭି ଟେଷ୍ଟ କରିନେବା ଜରୁରୀ।

Leave A Reply

Your email address will not be published.