ସକାଳ ଜଳଖିଆରେ ଖାଆନ୍ତୁ କଡ଼ମଡ଼ିଆ ସୁଜି ଦୋସା, କିଛି ହିଁ ମିନିଟ୍‌ ଭିତରେ ହୋଇଯିବ ପ୍ରସ୍ତୁତ; ପୁଣି ନଡ଼ିଆ ଚଟଣି ସହିତ ନିଅନ୍ତୁ ଖାଦ୍ୟର ମଜା

ଦକ୍ଷିଣ ଭାରତୀୟ ଖାଦ୍ୟରେ ଡୋସାକୁ ବହୁତ ପସନ୍ଦ କରାଯାଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ରାଓ୍ଵା ଦୋସା ବା ସୁଜି ଦୋସାର ରେସିପି ନେଇ ଆସିଛୁ। ଆପଣ ଚାହିଁଲେ ସକାଳ ଜଳଖିଆରେ ସୁଜି ଦୋସାର ସ୍ୱାଦ ନେଇ ପାରିବେ। କାହିଁକିନା, ଏହାକୁ ତିଆରି କରିବା ବହୁତ ସହଜ। ଖୁବ୍‌ କମ୍‌ ସମୟ ଭିତରେ ଏହା ପ୍ରସ୍ତୁତ ହୋଇଯାଇଥାଏ। ପିଲା ହୁଅନ୍ତୁ କି ବୟସ୍କ, ସମସ୍ତେ ଏହାର ସ୍ୱାଦ ନେବାକୁ ପସନ୍ଦ କରି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

ସୁଜି: ୧ କପ୍

ଚାଉଳ ଅଟା: ୧ କପ୍

ଅଦା କଟା: ଅଧା ଇଞ୍ଚ

ଜିରା: ଅଧା ଚାମଚ

କଞ୍ଚା ଲଙ୍କା କଟା: ୩ଟି

ଗୋଲମରିଚ ଗୁଣ୍ଡ: ଅଧା ଚାମଚ

ହେଙ୍ଗୁ: ୧ ଚୁଟ୍‌କି

ଭଜା କାଜୁ: ୩ ଚାମଚ

ଲୁଣ: ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ସୁଜି ଦୋସା ତିଆରି କରିବା ପାଇଁ ପ୍ରଥମେ ସୁଜି ଓ ଚାଉଳ ଚୁନା ନିଅନ୍ତୁ। ଉଭୟକୁ ଏକ ପାତ୍ରରେ ମିଶାନ୍ତୁ ଏବଂ ମିଶ୍ରଣ ନରମ ହେବା ପର୍ଯ୍ୟନ୍ତ ଏହାକୁ ମିଶାଇ ଚାଲନ୍ତୁ। ଏବେ ଏଥିରେ ହେଙ୍ଗୁ, ଜିରା ଏବଂ ସ୍ୱାଦ ଅନୁସାରେ ଲୁଣ ମିଶାନ୍ତୁ। ଏହାକୁ କିଛି ଘଣ୍ଟା ପାଇଁ କୌଣସି ଏକ ଗରମ ସ୍ଥାନରେ ରଖି ଦିଅନ୍ତୁ। ଏହାରି ଭିତରେ ଗୋଲମରିଚ, ଭଜା କାଜୁ ବାଦାମ, କଞ୍ଚା ଲଙ୍କା ଏବଂ ଅଦାକୁ ମିଶାଇ ଏକ ପାତ୍ରରେ ଅଲଗା ରଖି ଦିଅନ୍ତୁ। ଏବେ ଦୋସା ମିଶ୍ରଣକୁ ନେଇ ସେଥିରେ ପାଣି ମିଶାଇ ଏକ ପତଳା ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏବେ ଏକ ନନ୍ ଷ୍ଟିକ୍ ପ୍ୟାନ/ତାୱା ନେଇ ଏହାକୁ ଗ୍ୟାସ୍ ଉପରେ ରଖି ଗରମ କରନ୍ତୁ। ଏକ ଚାମଚ ତେଲ ନେଇ ପ୍ୟାନ ଉପରେ ଘଷନ୍ତୁ। ଅଧା କପ୍ ଦୋସା ମିଶ୍ରଣକୁ ନେଇ ପ୍ୟାନ ମଝିରେ ରଖି ଦିଅନ୍ତୁ ଏବଂ ଗୋଲାକାରରେ ଏହାକୁ ଚାରିଆଡ଼େ ବିସ୍ତାର କରନ୍ତୁ। ଧ୍ୟାନ ରଖନ୍ତୁ ଯେ ଦୋସାକୁ ଯଥାସମ୍ଭବ ପତଳା କରି ବିସ୍ତାର କରିବା ଆବଶ୍ୟକ। ବର୍ତ୍ତମାନ ଦୋସା ଉପରେ ମିକ୍ସ ହୋଇଥିବା କାଜୁ, କଞ୍ଚା ଲଙ୍କା, ଅଦା ଓ ଗୋଲମରିଚର ମିଶ୍ରଣ ପକାନ୍ତୁ। ଏବେ ଦୋସା ଚାରିପଟେ ତେଲ ଲଗାନ୍ତୁ ଏବଂ ଦୋସା ଲାଇଟ୍‌ ଗୋଲ୍ଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ସେକନ୍ତୁ। ଶେଷରେ ଦୋସାକୁ ମୋଡି ପ୍ୟାନରୁ ପ୍ଲେଟକୁ ଆଣନ୍ତୁ।

-ବର୍ତ୍ତମାନ ଆପଣଙ୍କ ସୁଜି ବା ରାଓ୍ଵା ଦୋସା ପ୍ରସ୍ତୁତ ହୋଇଗଲା। ଜଳଖିଆ ପାଇଁ ସର୍ଭ କରିବା ପୂର୍ବରୁ ଆପଣ ଚାହିଁଲେ ନଡ଼ିଆ ଚଟଣି ମଧ୍ୟ ପ୍ରସ୍ତୁତ କରି ପାରିବେ। ଏହା ବ୍ୟତୀତ ସୁଜି ଦୋସାକୁ ଟମାଟୋ କେଚଅପ୍ ସହିତ ମଧ୍ୟ ପରସା ଯାଇପାରିବ। ଏହା ବହୁତ କମ୍‌ ସମୟ ଭିତରେ ପ୍ରସ୍ତୁତ ହୋଇ ପାରୁଥିବା ରେସିପି, ଯାହାକି ଆପଣଙ୍କ ପରିବାର ସଦସ୍ୟଙ୍କୁ ବହୁତ ପସନ୍ଦ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.