Below header

କାର୍ତ୍ତିକରେ ସାଦା ଭାତ ଖାଇ ଖାଇ ବିରକ୍ତ ହୋଇଯାଇଛନ୍ତି କି! ଆଜି ଟ୍ରାଏ କରନ୍ତୁ ‘ଜିରା ରାଇସ୍‌’

ବର୍ତ୍ତମାନ ଚାଲିଛି ଧର୍ମମାସ କାର୍ତ୍ତିକ। କୁହାଯାଏ, ଏହି ମାସରେ ବଗ ବି ଆମିଷ ଛାଡ଼ିଥାଏ। ଏଣୁ ଏହି ମାସରେ ଅନେକ ଲୋକ ଆମିଷ ଛାଡ଼ି କେବଳ ନିରାମିଷ ଖାଦ୍ୟ ଖାଇଥାନ୍ତି। ଯଦି ଆପଣ ବି କାର୍ତ୍ତିକ ମାସରେ ଆମିଷ ଖାଉନାହାନ୍ତି ଓ କିଛି ନୂଆ ଟେଷ୍ଟ ଚାହୁଁଛନ୍ତି, ତେବେ ଆଜି ହିଁ ଘରେ ଟ୍ରାଏ କରନ୍ତୁ ଜିରା ରାଇସ୍‌। ସାଦା ଭାତ ଖାଇ ଖାଇ ବୋର୍‌ ହୋଇଯାଇଥିଲେ, ଏହି ଜିରା ରାଇସ୍‌ର ସ୍ୱାଦ ଆପଣଙ୍କୁ ନିହାତି ଭାବେ ଭଲ ଲାଗିବ। ତେବେ ଆସନ୍ତୁ ଜାଣିବା ଜିରା ରାଇସ୍‌ର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

୧ କପ୍‌ ଚାଉଳ

୧ ବଡ଼ ଚାମଚ ଜିରା

୧ ବଡ଼ ଚାମଚ ଲୁଣ

୨ ବଡ଼ ଚାମଚ ଘିଅ

ଆବଶ୍ୟକ ମୁତାବକ ପାଣି

ପ୍ରସ୍ତୁତି ପ୍ରଣାଳୀ:

ଜିରା ରାଇସ୍‌ ତିଆରି କରିବା ପାଇଁ ପ୍ରଥମେ ଅରୁଆ ଚାଉଳକୁ ଭଲ ଭାବେ ଧୋଇଦିଅନ୍ତୁ। ଏହି ଚାଉଳକୁ ୨୦ ମିନିଟ୍‌ ଯାଏଁ ପାଣିରେ ଭିଜାନ୍ତୁ। ଏବେ ଗ୍ୟାସ୍‌ରେ ଏକ ପାତ୍ର ବସାଇ ସେଥିରେ ପାଣି ଗରମ କରନ୍ତୁ। ପାଣି ଗରମ ହୋଇଗଲେ ସେଥିରେ ଚାଉଳ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଚାଉଳ ଫୁଟି ଆସିଲେ ଆଞ୍ଚ କମ୍‌ କରି ୨ ମିନିଟ୍‌ ଯାଏଁ ହାଲ୍‌କା ଆଞ୍ଚରେ ବସାନ୍ତୁ। ଭାତ ହୋଇଗଲେ, ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଏବେ ଭାତକୁ ଗାଳି ଦିଅନ୍ତୁ। ଏବେ ଏକ ବଡ଼ ଥାଳିରେ ଭାତକୁ ଖେଳାଇଦିଅନ୍ତୁ।

ଏବେ ଆଉ ଏକ ପାତ୍ରକୁ ଗ୍ୟାସ୍‌ରେ ବସାଇ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ୧ ବଡ଼ ଚାମଚ ଜିରା ପକାନ୍ତୁ। ଜିରା ଫୁଟିଗଲେ ସେଥିରେ ଖେଳାଇ ରଖିଥିବା ଭାତକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଧ୍ୟାନ ରଖିବେ ଭାତ ଯେମିତି ନ ଭାଙ୍ଗେ। ଏବେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିରା ରାଇସ୍‌। ଏହାକୁ ଆପଣ ଟମାଟୋ ଓ ଲଙ୍କାରେ ସଜାଇ ସର୍ଭ କରିପାରିବେ। ଜିରା ରାଇସ୍‌ ସହ ଆପଣ ପନିର ତରକାରୀ କିମ୍ବା ଛତୁ ତରକାରୀ ଖାଇପାରିବେ। ନିରାମିଷ ଖାଉଥିବା ଲୋକଙ୍କ ପାଇଁ ଏହା ଏକ ପୁଷ୍ଟିକର ଖାଦ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.