ବାଉନ୍‌ସର ମୁକ୍ତ ହେବ ଟ୍ବିନ ସିଟିର ବାର୍, ଗାଇଡ଼ଲାଇନ ଜାରି କଲା କମିଶନରେଟ ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ବାର୍‌ରେ ବାଉନ୍‌ସରଙ୍କ ଉପରେ କଟକଣା। ଏଣିକି ବାର୍‌ରେ ଆଉ ରହିବେନି ବାଉନ୍‌ସର । ଏନେଇ କମିସନରେଟ ପୋଲିସ ଗାଇଡଲାଇନ ଜାରି କରିଛି। ଆବଶ୍ୟକ ପଡ଼ିଲେ କୌଣସି ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ସୁରକ୍ଷାକର୍ମୀ ଆଣି ନିୟୋଜିତ କରିପାରିବେ ବାର୍‌ ମାଲିକ । ସୁରକ୍ଷା ଉଦ୍ଦେଶ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ସଂପର୍କରେ ସ୍ଥାନୀୟ ଥାନାରେ ଲିଖିତ ଭାବେ ଜଣାଇବେ ବାର ମାଲିକ। ନିୟୋଜିତ ହେଉଥିବା ସୁରକ୍ଷା କର୍ମୀ ଆଇନଗତ ନିୟମ କାନୁନ ସଂପର୍କରେ ଅବଗତ ଥିବା ଜରୁରୀ।

ସୁରକ୍ଷାକର୍ମୀ ଆଇନ ପାଳନ କରି ସୁରକ୍ଷା ପ୍ରଦାନ କରିବେ। ଅପ୍ରୀତିକର ପରିସ୍ଥିତିରେ ୧୧୨ରେ ପୋଲିସକୁ ଫୋନ କରି ସହାୟତା ମାଗି ପାରିବେ। କୌଣସି ପରିସ୍ଥିତିରେ ନିୟୋଜିତ ସୁରକ୍ଷା କର୍ମୀ ଗ୍ରାହକଙ୍କ ମୌଳିକ ଅଧିକାରରେ ହସ୍ତକ୍ଷେପ କରିପାରିବେ ନାହିଁ। ବାର ପାଇଁ କମିସନରେଟ ପୋଲିସର ଗାଇଡଲାଇନ ଆସନ୍ତାକାଲି ଠାରୁ ଲାଗୁ ହେବ। ପ୍ରାଥମିକ ଭାବେ ଏହାକୁ ୬୦ଦିନ ଅର୍ଥାତ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ଯଦି ଗାଇଡଲାଇନ ପାଳନରେ ନିୟମ ଖିଲାପ ହୁଏ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତ କିଛି ମାସ ମଧ୍ୟରେ ଭୁବନେଶ୍ୱର, କଟକ କମିସନରେଟ ପୋଲିସ ଅଧିନରେ ଥିବା ଅନେକ ବାରରେ ବାଉନ୍‌ସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। କେତେକ ଅପରାଧରେ ମଧ୍ୟ ବାଉନ୍‌ସର ସଂପୃକ୍ତ ଥିବା ଜଣାପଡ଼ିଛି। ଏମାନଙ୍କ ଦ୍ୱାରା ଗ୍ରାହକ ଅନେକ ସମୟରେ ଅସୁବିଧାରେ ପଡ଼ିବା ସହ ଶାନ୍ତିଶୃଙ୍ଖଳା ଭଙ୍ଗ ଅଭିଯୋଗ ଆସିବା ପରେ କମିସନରେଟ ପୋଲିସ ପଦକ୍ଷେପ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.