ମହିଳାଙ୍କ ବଡ ସମସ୍ଯା ଭାବେ ଉଭା ହୋଇ ଆଖିତଳ କଳା ପଡିବା, ଜାଣନ୍ତୁ କ’ଣ କଲେ ହେବ ଦୂର

ଆଖି ଚାରିପଟେ କଳାଦାଗ ସମସ୍ୟା ମହିଳାଙ୍କ ଏକ ସାଧାରଣ ସମସ୍ୟା ହୋଇଗଲାଣି। ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବିତାଇବା, ଆଖିକୁ ହାଲିଆ ଲାଗୁଥିବା ଭଳି କାମ କରିବା, ଖାଦ୍ୟପେୟରେ ପୋଷକର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ହୋଇଥାଏ। ତା’ ଛଡା ଅନେକ କାରଣ ରହିଥାଏ। ଯେମିତିକି ସାଇନୋସାଇଟିସ୍ (ବନ୍ଦ ନାକ ସମସ୍ୟା, ଆଲର୍ଜି ଏବଂ ଶ୍ବାସ ରୋଗରେ ପୀଡ଼ିତ ଥିଲେ ଆଖିତଳେ କଳା ଦାଗ ହୋଇଥାଏ।
ଏହା ବ୍ୟତୀତ ପ୍ରସୂତି ପରେ ମହିଳାମାନଙ୍କର ଏହି ସମସ୍ୟା ଅଧିକ ଦେଖାଯାଇଥାଏ। କେତେ କ୍ଷେତ୍ରରେ ବଂଶଗତ କାରଣ ଯୋଗୁଁ ମଧ୍ୟ ଏପରି ହୋଇଥାଏ। ଆଉ କେତେକଙ୍କ ଆଖି ବହୁତ ଗଭୀର ଭାବେ ରହିଥାଏ। ଏହିଭଳି ପରିସ୍ଥିତିରେ ଯଦି ସାମାନ୍ୟ କଳାଦାଗ ବି ହୋଇଥାଏ ତାହା ସ୍ପଷ୍ଟ ରୂପେ ଦେଖାଯାଏ। ଆଖିର ଆଖପାଖ ସ୍ଥାନ କୋମଳ ଏବଂ ସ୍ବଚ୍ଛ ହୋଇଥାଏ। ଏଥିପାଇଁ ପ୍ରଦୂଷଣ ଏବଂ ଖରା ସଂସ୍ପର୍ଶରେ ଆସିବାଦ୍ବାରା ଆଖି ତଳେ ସବୁଠୁ ପ୍ରଥମେ ରଙ୍ଗ ପରିବର୍ତ୍ତନ ହୋଇ କଳା ପଡ଼ିଥାଏ।
କ’ଣ କଲେ ଦୂର ହେବ ?
ପ୍ରତିଦିନ ଅତି କମରେ ଆଠ ଘଣ୍ଟା ବିଶ୍ରାମ କରନ୍ତୁ।
ଦିନରେ ଘରୁ ବାହାରିବା ବେଳେ ସନଗ୍ଲାସ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ।
ଯଦି ଆଖି ଚାରିପଟେ କଳାଦାଗ ଦେଖାଯାଏ ତେବେ କଞ୍ଚାଆଳୁ ଏବଂ କାକୁଡ଼ିକୁ ଲଗାନ୍ତୁ।
ଦିନକୁ ଅତି କମରେ ଦୁଇ ତିନିଥର ତ୍ବଚାରେ ମଇଶ୍ଚରାଇଜର ଲଗାନ୍ତୁ। ଭିଟାମିନ୍ ସି, କେ ଏବଂ ଇ ଯୁକ୍ତ ନାଇଟ୍ କ୍ରିମ୍ ବଜାରରେ ମିଳୁଛି ଯାହାକୁ ନିୟମିତ ଲଗାଇଲେ କଳାଦାଗ ଦୂର ହୋଇଥାଏ।
ବଜାରରେ ବିଭିନ୍ନ ପ୍ରକାର ଅଣ୍ଡର ଆଇ ଜେଲ୍ ଏବଂ କ୍ରିମ୍ ମିଳୁଛି ଯାହାକୁ ଆମେ କଳାଦାଗ ଦୂର କରିବା ପାଇଁ ପ୍ରୟୋଗ କରି ପାରିବା।
ଦିନକୁ ଅତି କମରେ ଆଠରୁ ଦଶ ଗ୍ଲାସ୍ ପାଣି ପିଅନ୍ତୁ।
ନିଜ ଖାଦ୍ୟରେ ଫଳ, ବିଭିନ୍ନ ପ୍ରକାର ଫଳ ରସ, ଲସି ଏବଂ ଲେମ୍ବୁ ପାଣିର ମାତ୍ରା ବଢ଼ାନ୍ତୁ।
ଚିନ୍ତାମୁକ୍ତ ରୁହନ୍ତୁ।
ଡାଇଟିଂରୁ ଦୂରେଇ ରହନ୍ତୁ । କାରଣ ହଠାତ୍ ଓଜନ କମ୍ ହୋଇଗଲେ ତ୍ବଚା ଢିଲା ହୋଇଯାଇଥାଏ। ଏବଂ ଆଖିର ଆଖପାଖରେ ଚର୍ମ କୁଞ୍ଚନ ହୋଇଥାଏ।
ଯଦି ସମସ୍ୟା ଅଧିକ ବଢ଼ିଯାଏ ବ୍ଲେଫରୋପ୍ଲାଷ୍ଟି ନାମକ ପ୍ଲାଷ୍ଟିକ୍ ସର୍ଜରୀ କରାଯାଏ।
କିନ୍ତୁ ଏହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।