ଆଜି ଛାଡ଼ଖାଇ: ଘରେ ବନାନ୍ତୁ ଚିକେନ୍‌ର ନୂଆ ଆଇଟମ୍‌ ‘ଲେମନ୍‌ ଚିକେନ୍‌’

ଆଜି ଛାଡ଼ଖାଇ। ଦୀର୍ଘ ମାସେ କାଳ ନିରାମିଷ ଖାଇବା ପରେ ଆଜି ଲୋକଙ୍କ ପାଟିରେ ଟିକେ ଆଇଁଷ ବାଜିବ। ଏ ଅବସରରେ ଆଜି ପ୍ରାୟ ସମସ୍ତଙ୍କ ଘରେ ମାଛ, ମାଂସ ଓ ଅଣ୍ଡା ଆଦି ହୋଇଥିବ। ତେବେ ଆମିଷରେ ତ ଆପଣ ସବୁବେଳେ ସାଧାରଣ ତରକାରୀ ଖାଉଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଚିକେନ୍‌ର ଆଜି ଏକ ଏମିତି ଚଟ୍‌ପଟା ଆଇଟମ୍‌ ଶିଖାଇବୁ, ଯାହା ଥରେ ଖାଇଲେ ଆପଣ ପୁଣିଥରେ ଖାଇବାକୁ ଚାହିଁବେ। ଏହି ରେସିପିର ନାଁ ହେଉଛି ଲେମନ୍‌ ଚିକେନ୍‌। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

ଚିକେନ୍‌ ୫୦୦ଗ୍ରାମ୍‌, ଅଧ କପ୍‌ ଚିକେନ୍‌ ବ୍ରୋଥ୍‌ ବା ଚିକେନ୍‌ ସିଝା ପାଣି, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ୧/୩ କପ୍‌ ମଇଦା, ୪ ଚାମଚ ବଟର, ୨ ଚାମଚ ଅଲିଭ୍‌ ଅଏଲ୍‌, ୧/୪ କପ୍‌ ଲେମ୍ବୁ ରସ, ୮ଟା କଟା ଲେମ୍ବୁ, ଧନିଆ ପତ୍ର ଓ ସ୍ୱାଦାନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ଚିକେନ୍‌କୁ ପତଳା କରି କାଟି ତା’ ଉପରେ ଲୁଣ ଓ ଗୋଲମରିଚ ଛିଞ୍ଚନ୍ତୁ। ଏବେ ମଇଦାରେ ପାଣି ମିଶାଇ ଏକ ଘୋଳ କରି ସେଥିରେ ଚିକେନ୍‌କୁ ବୁଡ଼ାନ୍ତୁ, ଯେମିତି ଛାଣି ହେବ। ଏବେ ଗ୍ୟାସ୍‌ରେ ଆଉ ଏକ କଡ଼େଇ ବସାଇ ସେଥିରେ ବଟର ଓ ଅଲିଭ ଅଏଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଚିକେନ୍‌କୁ ସୁନେଲି ରଙ୍ଗର ହେବା ଯାଏଁ ଛାଣନ୍ତୁ। ଚିକେନ୍‌ ଭଲ ଭାବେ ଛାଣି ହୋଇଗଲେ ତାହାକୁ ଏକ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

ଏବେ ଆମେ ସସ୍‌ ପ୍ରସ୍ତୁତ କରିବା। ଏଥିପାଇଁ ଚିକେନ୍‌ ବ୍ରୋଥ୍‌ରେ ଲେମ୍ବୁ ରସକୁ ମିଶାଇ ୨ ମିନିଟ୍‌ ଯାଏଁ ଫୁଟାନ୍ତୁ, ଯେମିତି କି ଏହା ଟିକେ ବହଳିଆ ହୋଇଯିବ। ଏବେ ଏଥିରେ ୮ଟି କଟା ଲେମ୍ବୁ ପକାନ୍ତୁ ଓ ଆଉ ଟିକେ ଫୁଟାନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏହି ସସ୍‌ରେ ୨ ଚାମଚ ବଟର ପକାନ୍ତୁ। ଏବେ ଏଥିରେ ଛଣା ଚିକେନ୍‌କୁ ପକାନ୍ତୁ। ଚିକେନ୍‌ ଉପରେ ଏବେ ଧନିଆ ପତ୍ର ଓ କଟା ଲେମ୍ବୁକୁ ସଜାଇ ସର୍ଭ କରନ୍ତୁ ଲେମନ୍‌ ଚିକେନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.