ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ରେସିପି ‘ସାଗୁ ଉପମା’

ସାଉଥ୍‌ ଇଣ୍ଡିଆନ୍‌ ଖାଦ୍ୟ ଉପମା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହାର ସ୍ୱାଦ ବେଶ୍‌ ରୁଚିକର ହୋଇଥାଏ। ସକାଳ ଜଳଖିଆରେ ଏହା ଆପଣଙ୍କ ପାଇଁ ଏକ ବେଷ୍ଟ ଅପଶନ ଅଟେ। ତେବେ ଉପମା ବିଭିନ୍ନ ପ୍ରକାରର ରହିଛି। ସେଥିମଧ୍ୟରୁ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ହେଉଛି ସାଗୁଦାନା ଉପମା। ଏହା ବନାଇବା ଅତି ସହଜ। ଆପଣ ଚାହିଁଲେ ଏହାକୁ ଚଟାପଟ ବନାଇ ପିଲାଙ୍କୁ ଖାଇବାକୁ ଦେଇପାରିବେ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ।

ସାମଗ୍ରୀ

-୧ କପ୍‌ ସାଗୁ
-ଭଜା ବାଦାମ ୧ ବଡ଼ ଚାମଚ
-ସିଝା ଆଳୁ ୨ଟି ମଧ୍ୟମ ଆକାର
-ଅଦା ୧/୨ ଇଞ୍ଚ ଲମ୍ବା ଖଣ୍ଡ
-କଞ୍ଚା ଲଙ୍କା ୨ଟି
-ଜିରା ଅଧ ଛୋଟ ଚାମଚ
-ଭୃସଙ୍ଗ ପତ୍ର ୪ଟି
-ଛୁଙ୍କ ପାଇଁ ତେଲ

ଏହାସହ ପଢ଼ନ୍ତୁ: ବାଦାମ ଲହୁଣୀ, ଜାଣନ୍ତୁ ଫାଇଦା

ପ୍ରସ୍ତୁତ ପ୍ରଣାଳୀ

ଏକ ନନ୍‌ଷ୍ଟିକ୍‌ କଡ଼େଇ ନେଇ ଆଞ୍ଚରେ ରଖନ୍ତୁ। ଏଥିରେ ସାଗୁ ପକାଇ ହାଲୁକା ଭାବେ ଭାଜନ୍ତୁ। ବାସ୍‌ ଏହାକୁ ଗରମ କରନ୍ତୁ, ଯେପରି ଏହାର ରଙ୍ଗ ବଦଳିବ ନାହିଁ। ଏକ ପାତ୍ରରେ ସାଗୁକୁ ୫ରୁ ୬ ଘଣ୍ଟା ବତୁରାଇ ରଖନ୍ତୁ। ୫-୬ ଘଣ୍ଟା ପରେ ଏହାକୁ ନିଜ ହାତରେ ଖେଳାଇ ଦିଅନ୍ତୁ। ଯଦି ଆପଣ ଭଜା ସାଗୁକୁ ବତୁରାଇବେ, ତା’ହେଲେ ଏହା ଗୋଟି ଗୋଟି ରହିବ। ଏବେ ଏହା ଉପମା ପାଇଁ ପ୍ରସ୍ତୁତ ହୋଇଗଲା। ସିଝା ଆଳୁକୁ ଛୋଟ ଛୋଟ ସାଇଜ୍‌ରେ କାଟି ଦିଅନ୍ତୁ। ବାଦାମ ପେଶି ଏଥିରେ ଲେପ ଦିଅନ୍ତୁ। କଞ୍ଚା ଲଙ୍କା ଏବଂ ଅଦାକୁ ଛୋଟ ଛୋଟ ଆକାରରେ କାଟି ରଖନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ, ସେଥିରେ ଭୃସଙ୍ଗ ପତ୍ର, ଅଦା ପକାଇ ଛୁଙ୍କ ଦିଅନ୍ତୁ। ପୁଣି କଞ୍ଚାଲଙ୍କା, ସାଗୁଦାନା ଏବଂ ଅଧ ଚାମଚ ଲୁଣ ମିଶାନ୍ତୁ। ଏହାକୁ ଆଞ୍ଚରେ ୫ରୁ ୬ ମିନିଟ୍‌ ଯାଏ ଭାଜନ୍ତୁ। ଏଥିରେ ପାଣି ଦେବେ ନାହିଁ। ଯେତେବେଳେ ଏହା ରାନ୍ଧି ହୋଇଯିବ, ପେଶା ବାଦାମ ଏବଂ ସିଝା ଆଳୁ ପକାନ୍ତୁ। ଏବେ ଆପଣଙ୍କ ସାଗୁ ଉପମା ପ୍ରସ୍ତୁତ ହୋଇଗଲା। ଏଥିରେ ଲେମ୍ବୁ ଚିପୁଡ଼ି ଧନିଆ ପତ୍ରରେ ଗାର୍ନିଶ୍‌ କରନ୍ତୁ।