ସେପ୍ଟେମ୍ବର ୩୦ ପରେ ଗ୍ରହଣୀୟ ହେବ ନାହିଁ ଅଫ୍‌ଲାଇନ୍‌ରେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌, କେବଳ ଅନଲାଇନ ହେବ ଆବେଦନ

ଭୁବନେଶ୍ବର(କେନ୍ୟୁଜ୍):  ସେପ୍ଟେମ୍ବର ୩୦ ପରେ ଆଉ ଗ୍ରହଣୀୟ ହେବ ନାହିଁ ଅଫ୍‌ଲାଇନ୍‌ରେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌। ଅକ୍ଟୋବର ୧ ତାରିଖରୁ ଅନ୍‌ଲାଇନରେ PUC ସାର୍ଟିଫିକେଟ ବାଧ୍ୟତାମୂଳକ ହୋଇଛି। ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା। ଅର୍ଥାତ ବିନା ବାହାନରେ ଜାରି ହୋଇଥିବା PUC ଆଉ ଗ୍ରହଣୀୟ ହେବ ନାହିଁ। ଅକ୍ଟୋବର ୧ ତାରିଖ ପରେ ଆଉ ସାଙ୍ଗରେ ପ୍ରଦୂଷଣ ସାର୍ଟିଫିକେଟ ଧରି ଯିବାକୁ ପ଼ଡ଼ିବ ନାହିଁ। MParivan ଆପରେ ରହିବ ଡାଟା। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ, ଏହି ନିୟମ ଏପ୍ରିଲ ୧ ତାରିଖରୁ ଲାଗୁ ହେବାର ଥିଲା। ତେବେ ରାଜ୍ୟରେ ଭିତ୍ତିଭୂମିର ଅଭାବ ଯୋଗୁ ଅନ୍‌ଲାଇନ ବ୍ୟବସ୍ଥା ପାଇଁ ଏହାକୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୩ଟି ବୈଧ ପଲ୍ୟୁସନ୍‌ ଟେଷ୍ଟିଂ ସେଣ୍ଟର ରହିଛି। ଏହା ଭିତରୁ ୧୦୬ଟି ବାହାନ ସହ ଲିଙ୍କ୍‌ ହୋଇଛି। ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ତିନି ମାସ କୋହଳ ହୋଇଛି। କିନ୍ତୁ ଅକ୍ଟୋବର ପରେ ଅଫଲାଇନ୍‌ ପଲ୍ୟୁସନ୍‌ ସାର୍ଟିଫିକେଟ ଗ୍ରହଣୀୟ ନୁହେଁ ।