Below header

ହୋଲିରେ କେମିତି ରଖିବେ ତ୍ବଚା ଓ କେଶର ଯତ୍ନ, ରଙ୍ଗ ଖେଳିବା ପୂର୍ବରୁ କରିନିଅନ୍ତୁ ଏହି କାମ

ରଙ୍ଗର ପର୍ବ ହୋଲି । ଏହା ଏକ ଏମିତି ପର୍ବ, ଯେଉଁଥିରେ ପରସ୍ପର ଭିତରେ ଥିବା ସମସ୍ତ ଭେଦଭାବକୁ ଭୁଲାଇ ଦେଇଥାଏ। ସମ୍ପର୍କରେ ଏକ ନୂଆ ସେତୁ ଉତ୍ପନ୍ନ କରିଥାଏ । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ। ସମ୍ପର୍କରେ ମଧ୍ୟ ନୂଆ ରଙ୍ଗ ଲାଗିଯାଇଥାଏ। ହୋଲିରେ ରଙ୍ଗ ତ ସମସ୍ତେ ଖେଳିଥାନ୍ତି । କିନ୍ତୁ କେହି ହେଲେ ମଧ୍ୟ କେଶ ଓ ତ୍ବଚା ପ୍ରତି ଧ୍ୟାନ ଦେଇ ନଥାନ୍ତି । ଫଳରେ ତ୍ବଚା ଶୁଷ୍କ ହୋଇଯିବା ସହ କେଶ ରଙ୍ଗୀନ ହୋଇଯାଇଥାଏ । କେମିକାଲ ମିଶା ରଙ୍ଗ ତ୍ବଚା ଏବଂ କେଶକୁ ଖରାପ କରିଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏ ସମ୍ପର୍କରେ କିଛି ଖାସ୍ ଟିପ୍ସ ଜଣାଇବୁ, ଯାହାଦ୍ବାରା ନା କେଶ ଝଡିବ ନା ତ୍ବଚା ମଳିନ ପଡିବ ।

କେଶର ଯତ୍ନ

ହୋଲିରେ କେଶର ଯତ୍ନ ନେବା ପାଇଁ ହେଲେ ସର୍ବପ୍ରଥମେ କେଶର ଅଗ୍ରଭାଗକୁ କାଟି ଦିଅନ୍ତୁ । କାରଣ ରଙ୍ଗ ପ୍ରଭାବରେ କେଶ ଡ୍ରାଏ ଓ ଦୁଇ ମୁହଁ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ହୋଲିର କିଛି ଦିନ ପୂର୍ବରୁ କେଶର ଅଗକୁ କାଟି ଦିଅନ୍ତୁ ।

କେଶରେ ରଙ୍ଗ ଲାଗିଲେ ଏହା ଶୁଷ୍କ ହେବା ସହ ଉପୁଡିଥାଏ। ତେଣୁ ହୋଲି ଖେଳିବାକୁ ଯିବାର ଅଧାଘଣ୍ଟା ପୂର୍ବରୁ ନଡିଆ ତେଲ, ବାଦାମ ତେଲ ନ ହେଲେ ଅଲିଭ ତେଲ ଲଗାନ୍ତୁ । ଏହାଦ୍ବାରା ରଙ୍ଗ ପ୍ରତ୍ୟକ୍ଷ ଭାବେ କେଶରେ ଲାଗି ନଥାଏ। ତେଣୁ ଏକପାତ୍ରରେ ତେଲ ଆଣି କେବଳ କେଶ ମୂଳରେ ନୁହେଁ, ସମ୍ପୂର୍ଣ୍ଣ କେଶରେ ତେଲ ଲଗାନ୍ତୁ । ଏହାଦ୍ବାରା କେଶ ରୁକ୍ଷ ହେବାରୁ ବଞ୍ଚି ଥାଏ। ସହଜରେ ରଙ୍ଗ କେଶରେ ଲାଗି ନଥାଏ। ଫଳରେ ହୋଲି ଖେଳି ଗାଧୋଇବା ପରେ ସହଜରେ କେଶରୁ ରଙ୍ଗ ଛାଡି ଯାଇଥାଏ ।

କର୍ଡିଶନର୍ କେଶକୁ ଅଧିକ ସୁରକ୍ଷା ଦେଇଥାଏ । ତେଣୁ କେଶକୁ କଣ୍ଡିଶନର୍ କରିବା ଆଦୌ ଭୂଲନ୍ତୁ ନାହିଁ । କଣ୍ଡିଶନର୍ କୁ ୧୦ ମିନିଟ୍ ପର୍ଯ୍ୟନ୍ତ କେଶରେ ରଖିବାକୁ ଦିଅନ୍ତୁ । ଏହାପରେ କେଶ କୁ ଭାବରେ ଧୋଇ ଦିଅନ୍ତୁ । ଏହାପରେ କେଶକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ ।

ହୋଲି ଖେଳିବା ସମୟରେ କେଶ ଖୋଲା କରନ୍ତୁ ନାହିଁ, ଖୋସା କରନ୍ତୁ ନଚେତ୍ ବେଣୀ କରି ବାନ୍ଧି ଦିଅନ୍ତୁ । ରଙ୍ଗ ଖେଳିବାକୁ ଯିବା ପୂର୍ବରୁ କେଶରେ ସ୍କ୍ରାର୍ଫ କିମ୍ବା ଓଢଣୀ ବାନ୍ଧି ଦିଅନ୍ତୁ । ଫଳରେ କେଶ ଉକ୍ତ ଓଢଣୀ କିମ୍ବା ସ୍କ୍ରାର୍ଫରେ ହିଁ ରହିଯାଏ । ପ୍ରତ୍ୟକ୍ଷ ଭାବେ କେଶରେ ରଙ୍ଗ ଲାଗି ନ ଥାଏ ଏବଂ ଏକ ଷ୍ଟାଇଲିଶ ଲୁକ୍ ଦେଇଥାଏ ।

ତ୍ବଚାର ଯତ୍ନ:

ହୋଲିରେ ତ୍ବଚାର ଯତ୍ନ ରଖିବା ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଥାଏ । କେଶ ଠାରୁ ଆରମ୍ଭ କରି ପାଦ ନଖ ପର୍ଯ୍ୟନ୍ତ ବେଶ ଧ୍ୟାନ ଦେବାକୁ ପଡିଥାଏ। ନଚେତ୍ କେମିକାଲ ରଙ୍ଗ ପ୍ରଭାବରେ ତ୍ବଚା ଓ ନଖ ଖରାପ ହୋଇଯାଇଥାଏ । ତେଣୁ ଚାଲନ୍ତୁ ଜାଣିବା କେମିତି ରଖିବେ ଯତ୍ନ:

ଖରାରୁ ରକ୍ଷା ପାଇବା ପାଇଁ ସମସ୍ତେ ସନସ୍କ୍ରିନ ଲୋସନ ଲଗାଇଥାଆନ୍ତି । ଘରୁ ବାହାରିବା ପୂର୍ବରୁ ତ୍ବଚାରେ ସମସ୍ତେ ଏହି ଲୋସନ ଲଗାନ୍ତି । କିନ୍ତୁ ହୋଲିରେ ବିଶେଷ ଭାବେ ସନସ୍କ୍ରିନ ଲୋସନ ବ୍ୟବହାର କରନ୍ତୁ । ହୋଲି ଖେଳିବାକୁ ଯିବା ପୂର୍ବରୁ ସମ୍ପୂର୍ଣ୍ଣ ଶରୀରରେ ଆପଣଙ୍କ ମନପସନ୍ଦ ଅନୁଯାୟୀ ଲୋସନ ଲଗାନ୍ତୁ । ଏହା ଦ୍ବାରା ତ୍ବଚା ସୁସ୍ଥ ରହିଥାଏ। ନଚେତ୍ ଖରା ଏବଂ ରଙ୍ଗ ପ୍ରଭାବରେ ତ୍ବଚା ମଳିନ ପଡିଯାଇଥାଏ। ଆଲର୍ଜିର ଶିକାର ମଧ୍ୟ ହୋଇପାରନ୍ତି ।

କେବଳ ଲିପ୍ ବାମ୍ କିମ୍ବା ଲିପଷ୍ଟିକ ନୁହେଁ, ହୋଲି ଖେଳିବାକୁ ଯିବା ପୂର୍ବରୁ ଓଠରେ ଭେସଲିନ ଜେଲି ଲଗାନ୍ତୁ। ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ କେମିକାଲ ରଙ୍ଗ ଓଠରେ ଲାଗି ନ ଥାଏ। ଓଠ ଫାଟିବାରୁ ରକ୍ଷା ପାଇଯାଇଥାଏ ।

ହୋଲି ଦିନ ଆଖିରେ ମନମୁତାବକ ସନଗ୍ଲାସ ଲଗାନ୍ତୁ । ଫଳରେ ରଙ୍ଗର ପାଣି ଏବଂ ରଙ୍ଗ ଆଖିରେ ପ୍ରଭାବ ପକାଇନଥାଏ । ଷ୍ଟାଇଲିଶ ଲୁକ୍ ପ୍ରଦାନ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.