ଲେବାନନ ରାଜଧାନୀ ବେରୁଟ ବିସ୍ଫୋରଣ ଘଟଣା, ଗିରଫ ହେଲେ ୧୬ ଜଣ ପୋର୍ଟ କର୍ମଚାରୀ

ଲେବାନନ ରାଜଧାନୀ ବେରୁଟ ସହରରେ ବିସ୍ଫୋରଣରେ ବେରୁଟ ପୋର୍ଟର ୧୬ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ହଜାରରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ଜଣ ଭାରତୀୟ ମଧ୍ୟ ଅଛନ୍ତି । ଲେବାନନ୍‌ ରାଜଧାନୀ ବେରୁଟରେ ଦୁଇ ଦିନ ତଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ସହରର ବନ୍ଦର ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ପ୍ରଥମ ସ୍ତରରେ ପାଖାପାଖି ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଥିବା ବେଳେ ପରେ ମୃତ୍ୟୁ ସଂଖ୍ୟା ବଢି ଚାଲିଥିଲା । ଦୁର୍ଘଟଣାରେ ପ୍ରାୟ ୪ହଜାରରୁ ଅଧିକ ଆହତ ହୋଇଥିବା ନେଇ ରିପୋର୍ଟ ଆସିଛି । ବିସ୍ଫୋରଣ ପରେ ଅଂଚଳର ଆକାଶ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ଏହାବାଦ ସହରକୁ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡିଛି । ଅନେକ ବିଲ୍‌ଡିଂ କ୍ଷତିଗ୍ରସ୍ତ ହୋଇଛି। ଅନେକ ଘର ଭୁଶୁଡ଼ି ପଡ଼ିଛି । ସୂଚନା ଅନୁଯାୟୀ, ଏକାଥରକେ ଦୁଇ ଦୁଇଟି ବିସ୍ଫୋରଣ ହୋଇଥିଲା । ଏକ ଗୋଦାମଘରେ ପ୍ରାୟ ୬ବର୍ଷ ଧରି ଗଚ୍ଛିତ ଥିବା ବିସ୍ଫୋରକରୁ ଏହି ବିସ୍ଫୋରଣ ଘଟିଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରପତି ମାଇକେଲ ଆଉନ୍‌ ଟ୍ଵିଟ୍‌ କରି କହିଛନ୍ତି ପ୍ରାୟ ୨ହଜାର ୭୫୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଅସୁରକ୍ଷିତ ଭାବେ ଗଚ୍ଛିତ ରଖାଯାଇଥିଲା। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। ଘଟଣାରେ ଯିଏ ଦୋଷୀ ଥିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିରକ୍ଷା ମୁଖ୍ୟ ପ୍ରତିଶ୍ରୁତି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.