ଅନଲାଇନ ଠକାମୀରେ ଗୋଟିଏ ମାସରେ ୪ କୋଟି ଟଙ୍କା ଲୁଟ, ଜାଣନ୍ତୁ କେମିତି ପାଇବେ ସୁରକ୍ଷା

ଗୋଟିଏ ମାସରେ ୩୦୦ ଜଣଙ୍କୁ ଠକିବା ସହ ତାଙ୍କ ନିକଟରୁ ୪ କୋଟି ଟଙ୍କା ଲୁଟ ହୋଇଛି । ଓ୍ଵାର୍କ ଫ୍ରମ ହୋମ ଏବଂ ଘରେ ରହି ବ୍ୟବସାୟ କରିବାର ସୁବିଧା ଦେବା କହି ଲୁଟେରାମାନେ ଲୁଟିଛନ୍ତି କୋଟି କୋଟି ଟଙ୍କା ।

ଟଙ୍କା ଲୁଟ କରିବା ପାଇଁ ମଡର୍ଣ୍ଣ ଟେକ୍ନୋଲୋଜିକୁ ଆପଣାଉଛନ୍ତି ସାଇବର ଠକ । ଅନଲାଇନ ମାଧ୍ୟମରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହି ଠକାମୀର ଶିକାର ହେଉଛନ୍ତି ସାଧାରଣ ଜନତା । ତେବେ କେରଳରେ ଏହି ଅନଲାଇନ ଠକେଇର ମାମଲା ବୃଦ୍ଧି ଘଟିଛି । ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ରାଜ୍ୟରେ ଗୋଟିଏ ମାସରେ ୩୦୦ ଜଣଙ୍କୁ ଠକିବା ସହ ତାଙ୍କ ନିକଟରୁ ୪ କୋଟି ଟଙ୍କା ଲୁଟ ହୋଇଛି । ଓ୍ଵାର୍କ ଫ୍ରମ ହୋମ ଏବଂ ଘରେ ରହି ବ୍ୟବସାୟ କରିବାର ସୁବିଧା ଦେବା କହି ଲୁଟେରାମାନେ ଲୁଟିଛନ୍ତି କୋଟି କୋଟି ଟଙ୍କା । ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି ।

ଏହି ଠକମାନେ ପ୍ରଥମେ ଲୋକଙ୍କ ବିଶ୍ୱାସ ହାସଲ କରିବା ପାଇଁ କିଛି ଟଙ୍କା ଦେଇଥାନ୍ତି, ପରେ ସେମାନଙ୍କୁ ଅଧିକ କାର୍ଯ୍ୟରେ ପ୍ରବେଶ କରିବା ପାଇଁ ଟଙ୍କା ଇନଭେଷ୍ଟ କରିବାକୁ ବୁଝାଇଥାନ୍ତି । ଅଭିଯୋଗକାରୀଙ୍କ ଇ-ୱାଲେଟରେ ଟଙ୍କା ପଠାଇଥାନ୍ତି ଏହି ଠକ କିନ୍ତୁ ସେମାନେ ଏହାକୁ ଉଠାଇ ପାରନ୍ତି ନାହିଁ । ଯେତେବେଳେ ଏହାକୁ ନେଇ ସେମାନେ ଅଭିଯୋଗ କରନ୍ତି, ଠକମାନେ ସେମାନଙ୍କର ପୋର୍ଟାଲ ଡିଲିଟ କରି ଦିଅନ୍ତି ।

ପୋଲିସ କହିବା ଅନୁସାରେ ରାଜ୍ୟରୁ ଗାୟବ ହୋଇଥିବା ଟଙ୍କା ଅନ୍ୟ ରାଜ୍ୟ ଯେପରିକି ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଉଠାଯାଇଛି । ତେବେ ଏହି ଫ୍ରଡର ଶିକାର ଅଧିକତର ମହିଳା ଏବଂ ହୋମମେକର୍ସମାନେ ହୋଇଥିବା ଜଣା ପଡ଼ିଛି । ଅଧିକାଂଶ ଅଭିଯୋଗ ଥିରୁଅନନ୍ତପୁରମ, କୋଚି ଏବଂ କୋଜିକୋଡରେ ରେଜିଷ୍ଟର ହୋଇଛି । ପାଖାପାଖି ୨୪୦ ଲକ୍ଷ ଟଙ୍କା ଏଠାରୁ ହିଁ ଲୁଟ ହୋଇଛି । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କେରଳ ହିଁ ଟପ୍‌ ଲିଷ୍ଟରେ ରହିଛି ଯେଉଁଠାରେ ଏଭଳି ମାମଲା ଅଧିକ ଦେଖାଯାଇଛି । ପୋଲିସ ଦେଇଥିବା ତଥ୍ୟ ଅନୁସାରେ ଅନଲାଇନ ଠକମାନେ କେରଳର ଅଧିବାସୀଙ୍କ ଠାରୁ ପ୍ରତ୍ୟେକ ମାସ ପାଖାପାଖି ୧୦ କୋଟି ଟଙ୍କା ଲୁଟ କରୁଛନ୍ତି ।

ପିଡ଼ିତ ବ୍ୟକ୍ତିଙ୍କ ନିକଟକୁ ପ୍ରଥମେ ଫେସବୁକ କିମ୍ବା ହ୍ଵାଟ୍ସଆପରେ ମେସେଜ ଆସିଥାଏ । ଯେଉଁଥିରେ କାମ ସମ୍ବନ୍ଧୀୟ ଅଫର ଥାଏ ଯାହା ଘରେ ରହି କରିହେବ । ଯେତେବେଳେ ପଜିଟିଭ ରେସପନ୍ସ ଆସିଥାଏ ଦୁଇଟି ବ୍ୟବସାୟ ସମ୍ବନ୍ଧୀୟ ଭିଡିଓର ଲିଙ୍କ ସେମାନଙ୍କ ନିକଟକୁ ଆସିଥାଏ । ପିଡ଼ିତ ବ୍ୟକ୍ତି ଏହି ଭିଡିଓକୁ ଦେଖିବା ପରେ ତାଙ୍କୁ ୧୦୦୦ଟଙ୍କାର ରିଓ୍ଵାର୍ଡ ମିଳିଥାଏ । ପ୍ରତ୍ୟେକ ଭିଡିଓରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ ହୋଇଥାଏ ।

ପରେ ପିଡ଼ିତଙ୍କ ନିକଟକୁ ଆଉ ୧୦ଟି ଭିଡିଓ ଆସିଥାଏ । ପରେପଏଣ୍ଟ ଅନୁସାରେ ପେମେଣ୍ଟ ମିଳିଥାଏ । ଅନ୍ୟ ଟାସ୍କ ମଧ୍ୟ ପିଡ଼ିତଙ୍କ ନିକଟକୁ ଆସିଥାଏ । ଏକ ଲକ୍ଷ ପଏଣ୍ଟ ହେବା ପରେ ପିଡ଼ିତଙ୍କୁ ୫୦,୦୦୦ ଟଙ୍କା ଡିପୋଜିଟ କରିବା ପାଇଁ କୁହାଯାଇଥାଏ ବଦଳରେ ସେମାନଙ୍କ ଆକାଉଣ୍ଟକୁ ୧ ଲକ୍ଷ ଆସିବ ବୋଲି କୁହାଯାଇଥାଏ । ପିଡ଼ିତ ୫୦, ୦୦୦ ଟଙ୍କା ଡିପୋଜିଟ କରିବା ପରେ ସେମାନଙ୍କ ୧୦,୦୦୦ ଟଙ୍କାର ଟ୍ୟାକ୍ସ ମଧ୍ୟ ଜମା କରିବାକୁ କୁହାଯାଏ । ଏଭଳି ଭାବେ ସେମାନଙ୍କ ନିକଟରୁ ଲୁଟ ହୁଏ ଟଙ୍କା । ଅନ୍ୟପଟେ ଭିନ୍ନ ଭିନ୍ନ ପ୍ରଡକ୍ଟ ବିକି ଲାଭ କରିବା ପାଇଁ ମଧ୍ୟ ଏହି ଫ୍ରଡମାନେ ପିଡ଼ିତଙ୍କୁ ବୁଝାଇଥାନ୍ତି ।

ତେବେ ଆପଣମାନେ ଯଦି ଠକାମିର ଶିକାର ହେଉଛନ୍ତି ତେବେ 1930 ନମ୍ବରକୁ କଲ କରିପାରିବେ । ଏହା ଦ୍ୱାରା ଆପଣଙ୍କ ପ୍ରଥମ ତିନୋଟି ଟ୍ରାନଜାକ୍ସନ ବନ୍ଦ କରିବା ପାଇଁ ବ୍ୟାଙ୍କ ସମର୍ଥ ହେବ । ଯଦି ଆପଣଙ୍କ ଟଙ୍କା ଅନ୍ୟ କୌଣସି ଆକାଉଣ୍ଟକୁ ଯାଇ ନଥିବ କିମ୍ବା କୌଣସି ଏଟିଏମରୁ ଉଠାଯାଇ ନଥିବ ତେବେ ଆପଣଙ୍କର ସମସ୍ତ ଟଙ୍କା ରିକଭର ହୋଇ ପାରିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.