ଉତ୍ତର ପ୍ରଦେଶ: କାର୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା; ୪ ୟୁଟ୍ୟୁବର୍‌ଙ୍କ ମୃତ୍ୟୁ, ୨ ଆହତ

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ରେ ବସିଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି । ହସନପୁର ଗଜରୋଲା ରୋଡରେ ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ସୂଚନା ଅନୁସାରେ, ସମସ୍ତ ମୃତ ବ୍ୟକ୍ତି ୟୁଟ୍ୟୁବର୍ ବୋଲି ଚିହ୍ନଟ ହୋଇଛନ୍ତି । ସେମାନେ ‘ରାଉଣ୍ଡ ଟୁ ୱାର୍ଲ୍ଡ’ ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିଲେ ।

ଗତ ବିଳମ୍ବିତ ରାତିରେ ହସନପୁର ଗଜରୋଲା ରାସ୍ତାରେ ମନୋଟା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସହ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା । କାର୍‌ରେ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଯେତେବେଳେ କି, ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ ।

ସେପଟେ ବୋଲେରୋରେ ମଧ୍ୟ ୪ ଜଣ ଲୋକ ଥିଲେ, ସେମାନେ ବି ଆହତ ହୋଇଥିବା ସୂଚନା ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଆହତମାନେ ଚିକିତ୍ସାଧୀନ ଅଛନ୍ତି ।

କୁହାଯାଉଛି ଯେ ୟୁଟ୍ୟୁବରମାନେ ଅମରୋହାର ହସନପୁରରୁ ଭୋଜି ଖାଇ ଘରକୁ ଫେରୁଥିଲେ । ସମସ୍ତେ ଅମରୋହା ଅଲିପୁରର ବାସିନ୍ଦା । ସେମାନେ ରାଉଣ୍ଡ ଟୁ ୱାର୍ଲ୍ଡ ନାମକ ଚ୍ୟାନେଲ ପାଇଁ କମେଡି ଭିଡିଓ ପ୍ରସ୍ତୁତ କରୁଥିଲେ । ମୃତକମାନେ ହେଉଛନ୍ତି ରାଉଣ୍ଡ ୱାର୍ଲ୍ଡର ଲକି, ସଲମାନ, ଶାହରୁଖ ଓ ଶେହନୱାଜ । ଡାକ୍ତରଙ୍କ ଅନୁସାରେ, ଦୁର୍ଘଟଣାରେ ଏହି ୪ ଜଣଙ୍କୁ ଯେତେବେଳେ ଡାକ୍ତରଖାନା ଅଣାଯାଇଥିଲା, ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା ।

Leave A Reply

Your email address will not be published.