Below header

ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ମୃତ, ୧୨ ଗୁରୁତର

ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଘଟଣାରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୨ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଜୟଓ୍ଵାଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ତାହା କାରଖାନାର ଦୁଇ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ଏଠାରେ ୧୭ଜଣ କର୍ମଚାରୀ କାମ କରୁଥିଲେ । ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଥିବା ଅନେକ ଲୋକଙ୍କ ଘର ବିହାରରେ ବୋଲି ଜଣାପଡିଛି । ସେମାନେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଅକ୍କିରେଡ୍ଡିଗୁଡେମ ସ୍ଥିତ ପୋରସ ଲ୍ୟାବ୍ସ ପ୍ରାଇଭେଟ୍ ଲିମିଟେଡ୍ ରେ ନାଇଟ୍ ସିଫ୍ଟ କରୁଥିଲେ । ଅଗ୍ନିଶମ ବିଭାଗ ୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲା।

ପଶ୍ଚିମ ଗୋଦାବରୀ ଜିଲ୍ଲା ଏସପି କହିଛନ୍ତି ଯେ, ପୋରସ ରସାୟନିକ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଠାରେ ପଲିମର ପ୍ରସ୍ତୁତ କରାଯାଉଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଗ୍ୟାସ୍ ପାଇପ୍ ଲାଇନ୍ ଲିକ୍ କିମ୍ବା ଭାଙ୍ଗିଯିବା ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘଟଣାରେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିଜନଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.