ଉତ୍ତରପ୍ରଦେଶ ସମ୍ଭଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍-ଟ୍ଯାଙ୍କର ଧକ୍କା, ୭ ମୃତ, ୨୫ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସମ୍ଭଲ ଜନପଦର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଧନରୀ ଥାନା ଅନ୍ତର୍ଗତ ୫୦୯ ନମ୍ବର ଜାତୀୟ ରାଜପଥରେ ରେଡୱେଜ୍ ବସ୍ ଓ ଟ୍ୟାଙ୍କର୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲା ଅଧିକାରୀ, ଏସପିଙ୍କ ସମେତ ତମାମ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି।

ଜିଲ୍ଲା ପ୍ରଶାସନ ୭ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରେଡୱେଜ୍ ବସର ଗୋଟିଏ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ଧକ୍କା ଏତେ ଜୋରରେ ଥିଲା ଯେ, ଗାଡିର ଚକା ଉଡିଯାଇଛି।

ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ତତ୍କାଳୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ଯ, ଦୁର୍ଘଟଣା ହୋଇଥିବା ବସ୍ ଅଲିଗଢ ଡିପୋର। ଯାହା ଚନ୍ଦୋସୀରୁ ଅଲିଗଢ ଯାଉଥିଲା। ଏହି ସମୟରେ ଗ୍ଯାସ ଟ୍ଯାଙ୍କର ସହିତ ଧକ୍କା ହେବା ଫଳରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.