୯ ଦିନ ପରେ ଧାରଣାରୁ ଓହରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍
ଆପ୍ ମନ୍ତ୍ରୀମାନେ ଡାକିଥିବା ଭିନ୍ନଭିନ୍ନ ବୈଠକରେ ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ଆଇଏଏସ୍ ଅଧିକାରୀମାନେ ଯୋଗଦେଇଥିଲେ ।
ନୂଆଦିଲ୍ଲୀ : ୯ ଦିନ ପରେ ଧାରଣାରୁ ଓହରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ସଚିବାଳୟରେ ଆପ୍ ମନ୍ତ୍ରୀମାନଙ୍କ ସହ ଆଇଏଏସ୍ ଅଧିକାରୀଙ୍କ ବୈଠକ ପରେ କେଜ୍ରିୱାଲ୍ ଧାରଣାରୁ ଓହରିଛନ୍ତି । ଆପ୍ ମନ୍ତ୍ରୀମାନେ ଡାକିଥିବା ଭିନ୍ନଭିନ୍ନ ବୈଠକରେ ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ଆଇଏଏସ୍ ଅଧିକାରୀମାନେ ଯୋଗଦେଇଥିଲେ । ଆଇଏଏସ୍ ଅଧିକାରୀଙ୍କ ସହ ଏହି ବୈଠକ ପରେ ରାଜ ନିବାସରେ ଧାରଣାରୁ ଓହରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ତେବେ କେଜ୍ରିୱାଲଙ୍କ କୋର୍ଟକୁ ବଲ୍ ଫିଙ୍ଗିଥିଲେ ଉପରାଜ୍ୟପାଳ । ଆଇଏଏସ୍ ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ବୈଠକ ଡାକିବାକୁ କେଜ୍ରିୱାଲଙ୍କୁ ସେ ପରାମର୍ଶ ଦେଇଥିଲେ ।
କେଜ୍ରିୱାଲ୍ ଧାରଣାରୁ ଓହରିବା ପରେ ବିଜେପି ନେତା ମଧ୍ୟ ଧାରଣାରୁ ଓହରିଛନ୍ତି । କେଜ୍ରିୱାଲଙ୍କ ଧାରଣାକୁ କାଉଣ୍ଟର କରି ବିଜେପି ପକ୍ଷରୁ ତାଙ୍କ ବାସଭବନ ଆଗରେ ଧାରଣା ଦିଆଯାଇଥିଲା । ୯୯ ପ୍ରତିଶତ ଆଇଏଏସ୍ ଅଧିକାରୀ ଭଲ ମଣିଷ ଏବଂ ସେମାନଙ୍କ ସହ ମିଶି ଦିଲ୍ଲୀର ବିକାଶ ପାଇଁ ଆମେ ବହୁ କାମ କରିଛୁ ବୋଲି ଧାରଣା ପ୍ରତ୍ୟାହାର ପରେ କେଜ୍ରିୱାଲ କହିଛନ୍ତି । ଗତ ୪ ମାସ ହେବ ଆଇଏଏସ୍ ଅଧିକାରୀମାନେ କାମ କରୁନଥିବା ଅଭିଯୋଗ କରି ସେ ଧାରଣା ଦେଇଥିଲେ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ଆଉ ଦୁଇ ଜଣ ମନ୍ତ୍ରୀ ଧାରଣାରେ ସାମିଲ ହୋଇଥିଲେ ।.