ତେଲେଙ୍ଗାନା ପାୱାର ଷ୍ଟେସନରେ ଲାଗିଲା ଭୟଙ୍କର ନିଆଁ , ୯ କର୍ମଚାରୀ ମୃତ

ତେଲେଙ୍ଗାନା: ତେଲେଙ୍ଗାନାର ଶ୍ରୀଶୈଳ ସ୍ଥିତ ଟିଏସ ଜେଙ୍କ ପାୱାର ଷ୍ଟେସନ ପ୍ଲାଣ୍ଟରେ ନିଆଁ ଲାଗିବା କାରଣରୁ ସେଠାରେ ଫସି ରହିଥିବା ୯ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳଙ୍କୁ ମୃତ କର୍ମଚାରୀ ମାନଙ୍କ ଶବ ମିଳିଛି । ଯେବେକି ଏହି ଦଳ ୧୦ ଜଣ କର୍ମଚାରୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇ ପାରିଛନ୍ତି । ନିଆଁ ଲାଗିବା ପଛର କାରଣ ପ୍ୟାନେଲ ବୋର୍ଡରେ ସର୍ଟ ସର୍କିଟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ପାୱାର ଷ୍ଟେସନରେ ଏକ ବିସ୍ଫୋଟ ହେବା ପରେ ଏହି ଭୟଙ୍କର ନିଆଁ ଲାଗିଥିଲା । ଘଟଣା ସମୟରେ ଷ୍ଟେସନରେ ୧୭ ଜଣ ଉପସ୍ଥିତ ଥିଲେ ।

ଡ୍ୟୁଟିରେ ଥିବା ଅଧିକାରୀ ମାନେ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ମଧ୍ୟ ବିଜୁଳି ବନ୍ଦ ହୋଇଯିବା କାରଣରୁ ସେମାନେ ସଫଳ ହୋଇ ପାରିନଥିଲେ ।ପରେ ଏନଡିଆରଏଫ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ଭୟଙ୍କର ନିଆଁ କାରଣରୁ ଚାରିପାଖ ଧୂଆଁ ଛାଇ ଯାଇଥିଲା । ଏହି ଷ୍ଟେସନଟି କୃଷ୍ଣ ନଦୀ କୂଳରେ ହିଁ ଅବସ୍ଥିତ । ଯାହାକି ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ବିଭାଜିତ କରିଥାଏ । ଆହତ କର୍ମଚାରୀ ମାନଙ୍କୁ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଉପରାଷ୍ଟ୍ରପତି ଭେଙ୍କେୟାଙ୍କ ସମେତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଘଟଣାଟି ଖୁବ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହ ଆହତ ମାନଙ୍କ ତୁରନ୍ତ ସୁସ୍ଥତା କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.