ଯୁଦ୍ଧରେ ମରିଛନ୍ତି ୯ ହଜାର ୟୁକ୍ରେନ ସୈନିକ, ୫,୫୮୭ ନାଗରିକଙ୍କର ଯାଇଛି ଜୀବନ! ତଥାପି ଯୁଦ୍ଧ ଶେଷ ହେବାର ନାହିଁ ସଙ୍କେତ

ଚଳିତ ବର୍ଷ ଫେବୃୟାରୀ ଶେଷ ଆଡ଼କୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ୍‌। ଆଉ ଏବେ ମଧ୍ୟ ଜାରି ରହିଛି ଆକ୍ରମଣ ପ୍ରତିଆକ୍ରମଣ। ଏହାରି ଭିତରେ ୟୁକ୍ରେନ ସେନା ପ୍ରମୁଖ ଜେନେରାଲ ଭେଲେରୀ ଜାଲୁଜନୀ ସୂଚନା ଦେଇ କହିଛନ୍ତି, ଯୁଦ୍ଧ ପରଠାରୁ ଏ ପର୍ଯ୍ୟନ୍ତ ୟୁକ୍ରେନର ପାଖାପାଖି ୯ ହଜାର ସୈନିକ ମୃତ୍ୟୁବରଣ କରି ସାରିଲେଣି।

ଜାଲୁଜନୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ୟୁକ୍ରେନର କିଛି ଶିଶୁଙ୍କ ଦେଖାଶୁଣାର ଆବଶ୍ୟକ ରହିଛି। କାରଣ, ସେମାନଙ୍କ ବାପାମାନେ ଫ୍ରଣ୍ଟ୍‌ ଲାଇନ ଓ୍ଵାର୍କର ରୂପେ କାମ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପାଖାପାଖି ୯୦୦୦ ନାୟକ ଜୀବନ ହାରି ସାରିଲେଣି।

ଜଣେ ଅଧିକାରୀଙ୍କ ମୁତାବକ, ନିକୋପୋଲରେ ରୁଷ୍‌ର ଗୁଳି ବିନିମୟରେ ୪ ଜଣ ଆହତ ହୋଇଛନ୍ତି। ନାଇପର ନଦୀ ତଟରେ ଅବସ୍ଥିତ ଏହି ସହରରେ ୧୨ ଜୁଲାଇରୁ ରୁଷ୍‌ର ଆକ୍ରମଣ ଜାରି ରହିଛି। ଏଥିରେ ୮୫୦ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଧାରୁ ଅଧିକ ନାଗରିକ ସହର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି।

ମିଳିତ ଜାତିସଙ୍ଘ ମୁତାବକ, ରୁଷ୍‌ ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା। ଏହା ପରଠାରୁ ୫,୫୮୭ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭,୮୯୦ ଲୋକ ଗୁରୁତର ଆହତ ହୋଇଛନ୍ତି।

ସେହିପରି ମିଳିତ ଜାତିସଙ୍ଘ ଶିଶୁ ପାଣ୍ଠି ‘ୟୁନିସେଫ୍‌’ କହିଛି ଯେ ରୁଷ୍‌ର ଆକ୍ରମଣ ଆରମ୍ଭ ହେବା ପରଠାରୁ ୯୭୨ ୟୁକ୍ରେନ ଶିଶୁଙ୍କ ମୃତ୍ୟୁ ଘଟିଛି। ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ କ୍ୟାଥରିନ୍‌ ରସେଲ କହିଛନ୍ତି, ଏହା ମିଳିତ ଜାତିସଙ୍ଘ ଦ୍ୱାରା ଯାଞ୍ଚ ହୋଇଥିବା ଆକଳନ, କିନ୍ତୁ ବାସ୍ତବିକ ସଂଖ୍ୟା ଏହାଠୁ ଅଧିକ ରହିଛି ବୋଲି ଆମେ ଅନୁମାନ କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.