ବର ନଥାଇ ବି ହେଲା କନିଆର ବିବାହ, ଜାଣନ୍ତୁ କେମିତି

ଏକ ସାମୁହିକ ବିବାହରେ ବିନା ବରରେ କନିଆମାନେ ବାହା ହୋଇଛନ୍ତି । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରୁ ସାମ୍ନାକୁ ଆସିଛି ।

ବିବାହ କଥା ଆସିଲେ ପ୍ରଥମେ ବର ଓ କନିଆ କଥା ମନକୁ ଆସେ । ବର କନିଆ ପରସ୍ପରକୁ ବିବାହ କରନ୍ତି ଏହା ତ ଆମେ ସମସ୍ତେ ଜାଣିଛୁ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ବିବାହ ବିଷୟରେ କହିବାକୁ ଯାଉଛୁ, ଯେଉଁ ବିବାହରେ ବର ନଥିଲା କିନ୍ତୁ କନିଆର ବିବାହ ହୋଇଛି । ବିଶ୍ୱାସ ହେଉ ନଥିଲେ ବି କଥାଟା ସତ । ଏକ ସାମୁହିକ ବିବାହରେ ବିନା ବରରେ କନିଆମାନେ ବାହା ହୋଇଛନ୍ତି । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରୁ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ହୋଇଛି ବଡ଼ ଧରଣର ଜାଲିଆତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜାନୁଆରୀ ୨୫ ରେ ମନିଆର ବିକାଶ ବ୍ଲକରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ସମାରୋହ ଆୟୋଜିତ ହୋଇଥିଲା ଯେଉଁଥିରେ ୫୬୮ ଯୋଡ଼ି ବିବାହ କରିଥିଲେ । ସାମୁହିକ ବିବାହ ଯୋଜନାର ଲାଭ ପାଇବା ପାଇଁ ବିବାହିତ ଲୋକମାନେ ମଧ୍ୟ ବିବାହ ବେଦୀରେ ବସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ କନିଆଙ୍କର ସନ୍ତାନ ଥିବା ମଧ୍ୟ ଜଣା ପଡ଼ିଛିି । ଏହି ସମୟରେ କନିଆମାନେ ନିଜ ବେକରେ ଫୁଲମାଳ ପକାଇଥିବାର ନଜର ଆସିଥିଲା । ବିବାହ କରୁଥିବା ଅଧିକାଂଶ ମହିଳା ବିବାହ ସମାରୋହରେ ଯୋଗ ଦେବା ପାଇଁ ଆସିଥିଲେ କିନ୍ତୁ ତାଙ୍କୁ ଟଙ୍କାର ଲୋଭ ଦେଖାଇ ବିବାହ କରିବା ପାଇଁ କୁହାଯାଇଥିଲା । କାରଣ ଏଭଳି କରିବା ଦ୍ୱାରା ଜାଲି କାଗଜ ପତ୍ର ପ୍ରସ୍ତୁତ କରିହେବ ଏବଂ ସରକାରୀ ଫଣ୍ଡରୁ ଟଙ୍କା ଉଠାଇ ହେବ ।

କନିଆ ମାନେ ବିନା ବରରେ ବିବାହ କରୁଥିବାର ଭିଡିଓ ଜୋରସୋରରେ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେବା ମାତ୍ରେ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା ଏବଂ ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ପାଇଁ ଡିଏମ ରବିନ୍ଦ୍ର କୁମାରଙ୍କ ନିର୍ଦ୍ଦେଶରେ ତିନିଜଣ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଏକ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତଙ୍କ ନାଁରେ ବର୍ତ୍ତମାନ ମାମଲା ଦାୟର କରାଯାଇଛି ।

ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ଜଣେ ନାବାଳିକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ସାମୁହିକ ବିବାହ ଯୋଜନାରେ ସାମିଲ ହୋଇଥିବା ଅଧିକାଂଶ ଲୋକ ଗତ ବର୍ଷ ବିବାହ କରିଥିଲେ । ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଅନୁସନ୍ଧାନ ପାଇଁ ଟିମ୍‌ ଗଠନ କରାଯାଇଛି ।

ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ସରକାର ୫୧ ହଜାର ଟଙ୍କା ଦେଇଥାନ୍ତି । ପ୍ରତ୍ୟେକ ଜିଲ୍ଲାରେ ଏହି ସମାରୋହ କରାଯାଏ । ତେଣୁ କିଛି ଲୋକ ଏହି ବିବାହରେ ନିଜକୁ ସାମିଲ କରିଥିଲେ । ଟଙ୍କା ଲୋଭରେ ମଣିଷ କିଛି ବି କରିପାରେ, ତାହା ଏଭଳି ଘଟଣାରୁ ପ୍ରକାଶ ପାଉଛି । ତେବେ ଘଟଣାର ଅଧିକ ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.