ଲକ୍‌ଡାଉନ୍‌ର ଭୟାନକ ପ୍ରତିଛବି, ପରିବାର ଚଳାଇବାକୁ ୪ ମାସର ଝିଅକୁ ୪୫ ହଜାର ଟଙ୍କାରେ ବିକିଦେଲେ ବାପ

କଥାରେ ଅଛି ‘ବୁଭୁକ୍ଷିତଂ କିଂ ନ କରୋତି ପାପମ୍‌’..। ଅର୍ଥାତ ଭୋକିଲା ଲୋକ କିଛ ବି ପାପ କରିପାରେ । କରୋନା ଲକ୍‌ଡାକଉନ୍‌ ଏବେ ବହୁ ହସ ଖୁସିର ସଂସାର ଭାଙ୍ଗି ଦେଇଛି । ଲୋକଙ୍କ୍‌ୁ କିଛି ବି କରିବାକୁ ବାଧ୍ୟ କରିଛି । ଭୋକର ଜ୍ୱାଳା ସହି ନପାରି ଜଣେ ବାପା ତା’ର ସନ୍ତାନ ବିକିବାକୁ ବାଧ୍ୟ ହୋଇଛି ।

ଏମିତି ଏକ ଘଟଣା ଘଟିଛି ଆସାମର କୋକରାଝାର ଜିଲ୍ଲାରେ । ଦୀର୍ଘ ଦିନ ଧରି ପରିବାରକୁ ଭୋକରେ ରଖିବା ପରେ ନିଜର ୪ ମାସର ଝିଅକୁ ମାତ୍ର ୪୫ ହଜାର ଟଙ୍କାରେ ବିକି ଦେଇଛି ବାପ । ଏହି ପିତା ଜଣକ ହେଉଛନ୍ତି ଆସାମ୍‌ କୋକରାଝର ଜିଲ୍ଲାର ଦୀପକ ବ୍ରହ୍ମା । ପେଶାରେ ଦୀପକ ଜଣେ ଶ୍ରମିକ । ଗୁଜୁରାଟରେ କାମ ଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିଲେ ।

କରୋନା ଲକ୍‌ଡାଉନ୍‌ ତାଙ୍କ ପାଇଁ ସାଜିଲା କାଳ । ସବୁ କାମ ଧନ୍ଦା ବନ୍ଦ ହୋଇଗଲା ପରେ ସେ ଘରକୁ ଫେରିବାକୁ ବାଧ୍ୟ ହେଲେ । ଯାହା କିଛି ଟଙ୍କା ସଂଚୟ କରିଥିଲେ ଘରକୁ ଫେରିବାରେ ଖର୍ଚ୍ଚ ହୋଇଗଲା । ଘରେ ପହଞ୍ଚିବା ପରେ ସଂସାର ଚଳାଇବା ଚିନ୍ତା ଘାରିଲା ତାଙ୍କୁ । ପତ୍ନୀ ସହ ଅନ୍ୟ ୩ ଝିଅଙ୍କୁ ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଲା ।

ଭୋକ ଉପବାସରେ କିଛି ଦିନ ରହିବା ପରେ ଶେଷରେ ଦୀପକଙ୍କ ପାଖରେ ଝିଅକୁ ବିକିବା ଛଡା ଅନ୍ୟ କିଛି ବିକଳ୍ପ ନଥିଲା । ଏହି ଘଟଣା ପଡ଼ିଲା ଏକ ଏନ୍‌ଜିଓ କାନରେ  । ଏନ୍‌ଜିଓ ପୋଲିସ୍‌ରେ ଅଭିଯୋଗ କରିବା ସହ ଉକ୍ତ ଝିଅକୁ ଉଦ୍ଧାର କଲେ । ପୋଲିସ ଏବେ ଏହି ମାମଲାରେ ଆଇପିସି ଧାରା ୩୭୦ ଅନୁଯାୟୀ ୩ ଜଣଙ୍କୁ ଗିରଫ କରିଛି । ଏଥିରେ ଝିଅର ବାପା ସହ ଝିଅକୁ କିଣିଥିବା ବ୍ୟକ୍ତି ଓ ଜଣେ ଦଲାଲ୍‌ ଥିବା ଜଣାଯାଇଛି । ଭୋକ ଜ୍ୱାଳାର ଏପରି ଭୟାନକ ସ୍ଥିତି ଏହି ଘଟଣା ଜାହିର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.