ମୋ ମୃତ୍ୟୁ ମୋତେ ନିର୍ଦ୍ଦୋଷ ସାବ୍ୟସ୍ତ କରିବ, ଏମିତି ଲେଖି ଜୀବନ ହାରିଦେଲେ ଜଣେ ମହିଳା ଡାକ୍ତର

ଜୟପୁର : ‘‘ଡାକ୍ତରମାନେ ନିର୍ଦ୍ଦୋଷ। ସେମାନଙ୍କୁ ଏମିତି ହଇରାଣ କରନି।’’ । ଇଏ ଥିଲା ଜଣେ ମହିଳା ଡାକ୍ତରଙ୍କ ଶେଷ କଥା । ଏଭଳି ନିଜ ସୁଇସାଇଡ୍‌ ନୋଟ୍‌ରେ ଲେଖି ସେ ଜୀବନ ହାରି ଦେଇଛନ୍ତି ।

ଏ ଘଟଣା ଘଟିଛି ରାଜସ୍ଥାନର ଦଉସା ଠାରେ । ଏଠାକାର ଏକ ବେସରକାରୀ ହସପିଟାଲର ମାଲିକାଣି ହେଉଛନ୍ତି ଅର୍ଚ୍ଚନା ଶର୍ମା । ସେ ଜଣେ ଗାଇନୋକୋଲଜିଷ୍ଟ । ଗତ ମଙ୍ଗଳବାର ଦିନ ଜଣେ ଗର୍ଭବତୀ ତାଙ୍କ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପିଲା ଜନ୍ମ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଉତ୍ତେଜନା ମଧ୍ୟ ସୃଷ୍ଟି ହେଲା । ମୃତ ମହିଳାଙ୍କ ପରିବାର ଲୋକେ ଏଥିପାଇଁ ଅର୍ଚ୍ଚନାଙ୍କ ଅବହେଳାକୁ ଦୋଷ ଦେଲେ ।

ପରେ ସେମାନେ ସ୍ଥାନୀୟ ପୋଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ମଧ୍ୟ ରୁଜୁ କଲେ । ଯାହାପରେ ପୋଲିସ୍‌ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛି । ଏଥିରେ ଅତ୍ୟନ୍ତ ବ୍ୟଥିତ ଓ ବିବ୍ରତ ହୋଇ ଅର୍ଚ୍ଚନା ଆତ୍ମହତ୍ୟା କରିଦେଇଛନ୍ତି । ମୃତ୍ୟୁ ପୂର୍ବରୁ ନିଜ ସୁଇସାଇଡ୍‌ ନୋଟ୍‌ରେ ସେ ଲେଖିଛନ୍ତି କି ‘‘ସଂପୃକ୍ତ ଗର୍ଭବତୀଙ୍କର ଅବସ୍ଥା ଗୁରୁତର ଥିଲା । ତାଙ୍କର ହାମରେଜ୍‌ ହୋଇଥିଲା । ମୋର ଶତ ଚେଷ୍ଟା ସତ୍ତ୍ୱେ ମୁଁ ତାଙ୍କ ବଞ୍ଚାଇ ପାରିଲିନି । ଏଭଳି ଘଟଣାରେ ଡାକ୍ତରମାନଙ୍କୁ ଦୋଷ ଦିଅନ୍ତୁ ନାହିଁ । ମୋର ମୃତ୍ୟୁ ହିଁ ମୋତେ ନିର୍ଦ୍ଦୋଷ ସାବ୍ୟସ୍ତ କରିବ’’ । ଏଭଳି ଲେଖି ସାରା ଦେଶକୁ ଆଜି ସ୍ତବଧ କରି ଦେଇଛନ୍ତି ଏହି ମହିଳା ଡାକ୍ତର । ଆହୁରି ମଧ୍ୟ ପୋଲିସ୍‌ ତାଙ୍କ ସ୍ୱାମୀକୁ ମଧ୍ୟ ହଇରାଣ ନକରୁ ବୋଲି ସେ ଲେଖିଛନ୍ତି ।

ଏ ନେଇ ଅର୍ଚ୍ଚନାଙ୍କ ସ୍ୱାମୀ ଡାକ୍ତର ସୁନୀଲ ଉପାଧ୍ୟାୟ କହିଛନ୍ତି କି ପୋଲିସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ସେମାନେ କେମିତି ମୋ ସ୍ତ୍ରୀ‘ଙ୍କ ନାଁରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କଲେ । ଅନ୍ୟ ଡାକ୍ତରମାନେ କଣ ଏଭଳି ସ୍ଥିତିର ସାମନା କରିବେ ? ଅନ୍ୟପକ୍ଷରେ ଭାରତୀୟ ମେଡିକାଲ ଆସୋସସିଏସନ୍‌ର ରାଜସ୍ଥାନ ଶାଖା ଘଟଣାର ବିରୋଧ କରି ୨୪ ଘଣ୍ଟିଆ ଆନ୍ଦୋଳନ ପାଇଁ ଡାକରା ଦେଇଛି । ଦିଲ୍ଲୀ ସ୍ଥିତ ଏମ୍‌ସ ରେସିଡେଣ୍ଟ ଡାକ୍ତରମାନେ କଳା ବ୍ୟାଜ୍‌ ପିନ୍ଧି ବିରୋଧ ପ୍ରଦର୍ଶନ କରିବେ ବୋଲି ଜଣାଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି କି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

Leave A Reply

Your email address will not be published.