ଚଣ୍ଡିଗଡ଼ରେ ଆପ୍ ପ୍ରାର୍ଥୀ କୁଲଦୀପ କୁମାର ହେବେ ମେୟର, ବିଜେତା ଘୋଷଣା କଲେ ସୁପ୍ରିମ୍କୋର୍ଟ
ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି । କୋର୍ଟ ପୁରୁଣା ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି ।

ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି । କୋର୍ଟ ପୁରୁଣା ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତି ।
ଶୁଣାଣି ସମୟରେ ପ୍ରଧାନ ବିଚାରପତି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଅବୈଧ ଘୋଷିତ ସମସ୍ତ ୮ଟି ଭୋଟ୍କୁ ବୈଧ ବୋଲି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ଭୋଟ୍ର ବାଲାଟ ପେପରରେ ରିଟର୍ଣ୍ଣିଂ ଅଫିସର କ୍ରସ ଲଗାଇଥିଲେ ।
ମାମଲାର ଶୁଣାଣି କରି ସିଜେଆଇ କହିଛନ୍ତି ଯେ ସମସ୍ତ ୮ଟି ଭୋଟ୍ ଆବେଦନକାରୀ ପ୍ରାର୍ଥୀ କୁଲଦୀପ କୁମାରଙ୍କ ପକ୍ଷରେ ଥିଲା । ରିଟର୍ଣ୍ଣିଂ ଅଫିସର ନିଜ ଅଧିକାର ବାହାରେ ଯାଇ କାର୍ଯ୍ୟ କରିଛନ୍ତି । ସେ ଅପରାଧ କରିଛନ୍ତି । ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ବାସ୍ତବରେ, ସିଜେଆଇଙ୍କ ବେଞ୍ଚ ସମ୍ମୁଖରେ ସୋମବାର ରିଟର୍ଣ୍ଣିଂ ଅଫିସର ସ୍ୱୀକାର କରିଥିଲେ ଯେ ସେ ହିଁ ବାଲାଟ ପେପରରେ କ୍ରସ ଲଗାଇଥିଲେ । ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାରଦିଓ୍ଵାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
ଆପ୍ର କାଉନସିଲର କୁଲଦୀପ କୁମାର ମେୟର ଏବଂ ଡେପୁଟି ମେୟର ନିର୍ବାଚନରେ ୮ଟି ଭୋଟ୍ ଅବୈଧ ଘୋଷଣା କରିବାକୁ ନେଇ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କୁଲଦୀପ କୁମାର କହିଛନ୍ତି ଯେ ‘ମୁଁ କୋର୍ଟଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଚଣ୍ଡିଗଡ଼ରେ ପ୍ରଥମେ ସ୍ଥଗିତ ବିକାଶ କାର୍ଯ୍ୟ ମୋ ଦ୍ୱାରା କରାଯିବ’ ।