Below header

କେବଳ ମାନସିକ ନୁହେଁ, ପାକିସ୍ତାନୀ ସେନା ଶାରୀରିକ ନିର୍ଯାତନା ବି ଦେଇଥିଲା ଅଭିନନ୍ଦନଙ୍କୁ

ପାକିସ୍ତାନ କବ୍‌ଜାରେ ମୋଟ୍‌ ୬୫ ଘଣ୍ଟା ରହିଥିଲେ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ତେବେ ତା ଭିତରୁ ୨୪ ଘଣ୍ଟା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ତାଙ୍କ ଠାରୁ ପାକ୍‌ ସେନା ଗୁପ୍ତ ତଥ୍ୟ ହାସଲ କରିବାକୁ ପୂରା ଦମ୍‌ରେ ଲାଗି ଯାଇଥିଲା । ଭାରତ ଫେରିବା ପରେ କହିଥିଲେ, ପାକିସ୍ତାନ ତାଙ୍କୁ ମାନସିକ ନିର୍ଯାତନା ଦେଇଛି । ହେଲେ ପ୍ରକୃତରେ ସେଇ ୨୪ ଘଣ୍ଟା ତାଙ୍କ ପାଇଁ କିଭଳି ଥିଲା ଏବଂ କେଉଁ ପରିସ୍ଥିତିର ସେ ସାମନା କରିଥିଲେ ସେକଥା କହିନଥିଲେ । ଏବେ ଧୀରେ ଧୀରେ ତାଙ୍କୁ ନେଇ ଘଟିଥିବା ଘଟଣାରୁ ପରଦା ଉଠିଛି । ଅଭିନନ୍ଦନ ତାଙ୍କ ବରିଷ୍ଠ ବାୟୁସେନା ଅଧିକାରୀଙ୍କୁ ଯାହା କହିଥିଲେ ସେ ସବୁ ପଦାକୁ ଆସିଛି । କିଭଳି ଭାବେ ପାକିସ୍ତାନରେ ତାଙ୍କୁ କେବଳ ମାନସିକ ନୁହେଁ ଶାରୀରିକ ନିର୍ଯାତନା ଦିଆଯାଇଥିଲା ସେ କଥା କହିଛନ୍ତି ।

ଫେବ୍ରୁଆରୀ ୨୬ । ବାଲାକୋଟରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା । ଫେବ୍ରୁଆରୀ ୨୭ । ଠିକ୍‌ ତା ପରଦିନ ମିଗ୍‌ ଯୁଦ୍ଧ ବିମାନ ନେଇ ପାକ୍‌ ଏଫ୍‌-୧୬କୁ ଧ୍ୱଂସ କରିବା ପରେ ଅଭିନନ୍ଦନଙ୍କ ବିମାନରେ ନିଆଁ ଲାଗିଯାଇଥିଲା । ଅଭିନନ୍ଦନ ତୁରନ୍ତ ପାରାସୁଟ୍‌ରେ ଓହ୍ଲାଇ ପଡ଼ିଥିଲେ ଏବଂ ପଡ଼ିଥିଲେ ପାକିସ୍ତାନ ଅଧିକୃତ କଶ୍ମୀରରେ । ପାକ୍‌ ସେନା ହାତରେ ଧରାପଡ଼ିବା ପରେ ତାଙ୍କ ଠାରୁ ସେନା ଅଧିକାରୀମାନେ ଭାରତୀୟ ବାୟୁସେନାର ଗୁପ୍ତ ତଥ୍ୟ ହାସଲ କରିବାକୁ ଭରପୂର ପ୍ରୟାସ କରିଥିଲେ । ଅଭିନନ୍ଦନ ପାରାସୁଟ୍‌ରେ ଓହ୍ଲାଇବା ପରେ ତାଙ୍କ ପିଠି ଓ ଅଣ୍ଟାରେ ଆଘାତ ଲାଗିଥିଲା । ହେଲେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଗଲା ନାହିଁ । ତାଙ୍କୁ ଶୋଇବାକୁ ଦିଅଗଲା ନାହିଁ । ଘଣ୍ଟା ଘଣ୍ଟା ଧରି ଠିଆ କରି ରଖାଗଲା । ପୁଣି ମାଡ଼ ମଧ୍ୟ ମାରିଥିଲେ ପାକ୍‌ ସେନା ଅଧିକାରୀମାନେ । ତାଙ୍କ ମୁଣ୍ଡକୁ ପାଣିରେ ବୁଡ଼ାଇ ଦେଇଥିଲେ । ଖୁବ୍‌ ଜୋରରେ ଗୀତ ବଜାଇ ତାଙ୍କୁ ବିରକ୍ତ କରିବାକୁ ଚେଷ୍ଟା କରାଯାଇଥିଲା । ଯେଉଁଥିରେ ଜଣେ ଭାଙ୍ଗିପଡ଼ିବ ଓ ତାଠାରୁ ଗୁପ୍ତ ତଥ୍ୟ ଆଦାୟ ହୋଇ ପାରିବ ।
ସେଇ ୨୪ ଘଣ୍ଟା ଅଭିନନ୍ଦନଙ୍କ ପାଇଁ ଥିଲା ଜୀବନର ସବୁଠାରୁ ବଡ଼ ପରୀକ୍ଷା । ଶତ୍ରୁ ଆଗରେ ମୁହଁ ନଖୋଲି ନିଜର ଦମ୍ଭ ଦେଖାଇବା । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖା ଯାଉଥିଲା ।

ସେନାରେ ତାଲିମ ଦିଆଯାଏ ଯେ ଶତ୍ରୁ ହାତରେ ଧରାପଡ଼ିଲେ ପ୍ରଥମ ୨୪ ଘଣ୍ଟାରେ ଭାଙ୍ଗି ପଡ଼ିବ ନାହିଁ । ସେମାନଙ୍କ ଆଗରେ ମୁହଁ ନଖୋଲିବାକୁ ପୂରା ଚେଷ୍ଟା କରିବ । କାରଣ ଏହି ସମୟ ଭିତରେ ବିଭାଗ ତାର ରଣନୀତି ଏବଂ ମୁତୟନ ଥିବା ଫୋର୍ସର ଜାଗା ବଦଳାଇ ପାରିବ । ଆଉ ଠିକ୍‌ ତାହାହିଁ କରିଥିଲେ ଅଭିନନ୍ଦନ । ପାକ୍‌ ସେନା ଓ ବୟୁସେନାର ଟିମ୍‌ ତାଙ୍କୁ ଲଗାତର ପଚରା ଉଚରା କରିଥିଲେ । ହେଲେ ଭାରତ ମାତାର ଜଣେ ସଚ୍ଚା ସନ୍ତାନ ଭାବେ ସାହସ ଓ ଦମ୍ଭ ଦେଖାଇ ଅଭିନନ୍ଦନ ସବୁ ପ୍ରତିଘାତର ମୁକାବିଲା କରିଥିଲେ । କିଛି ବି କହିନଥିଲେ ଗୁପ୍ତ କଥା । ଶେଷରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଇଁ ପାକିସ୍ତାନ ଅଭିନନ୍ଦନଙ୍କୁ ଆଣି ଭାରତକୁ ଅର୍ପଣ କରିଥିଲା ଓ୍ଵାଘା ସୀମାରେ । ଅଭିନନ୍ଦଙ୍କୁ ତାଙ୍କର ଦମ୍ଭ ଓ ସାହସ ପାଇଁ ସଲାମ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.