Below header

ବାନ୍ଦ୍ରା ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ରୁଣ୍ଡ କରେଇଥିବା ଅଭିଯୁକ୍ତ ଗିରଫ, 1,000 ଲୋକଙ୍କ ନାଁରେ ମାମଲା

ମୁମ୍ବାଇର ବାନ୍ଦ୍ରା ରେଲୱେ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ଭିଡ ଜମାଇବା ମାମଲାରେ ପୋଲିସ ବିନୟ ଦୁବେ ନାମକ ବ୍ୟକ୍ତିଙ୍କୁ ଗିରଫ କରିନେଇଛି। ବିନୟଙ୍କୁ ନଭି ମୁମ୍ବାଇ ପୋଲିସ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିଛି। ଲକଡାଉନ ମଝିରେ ପ୍ରବାସୀ ଶ୍ରମିକମାନଙ୍କୁ ରୁଣ୍ଡ କରେଇବା ନେଇ ତାଙ୍କ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

ବିନୟ ‘ଚାଲ ଘରକୁ ଯିବା’ ଅଭିଯାନ ଚଲାଉଥିଲେ। ନିଜ ଫେସବୁକରେ ସେୟାର କରିଥିବା ପୋଷ୍ଟରେ ଟିମ ବାନ୍ଦ୍ରାରେ ଥିବା କଥା ସେ କହିଥିଲେ। ଏହି ମାମଲାରେ ପୋଲିସ 1 ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିନୟଙ୍କ ବିରୋଧରେ ଆଇପିସି ଦଫା 117, 153 ଏ, 188, 269, 270, 505(2) ଏବଂ ଏପିଡେମିକ ଆକ୍ଟର ଧାରା 3 ଅନୁଯାୟୀ ମାମଲା ରୁଜୁ କରାଯାଇଛି।

1

କହି ରଖୁଛୁ, ମଙ୍ଗଳବାର ବାନ୍ଦ୍ରା ରେଲୱେ ଷ୍ଟେସନରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ଭିଡ଼ ଜମାଇଥିଲେ। ସମସ୍ତେ ଘରକୁ ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ। ଶ୍ରମିକମାନଙ୍କ ଆଶା ଥିଲା ଯେ ଲକଡାଉନ ସରିଯିବ। ତେବେ ସେମାନଙ୍କୁ ହଟାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା।

ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ବନ୍ଧରେ ସେ ସିଏମ ଉଦ୍ଧବ ଠାକରେଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଏହି ଶ୍ରମିକମାନଙ୍କର ବନ୍ଦୋବସ୍ଥ କରୁଛି। ସେମାନେ ବ୍ୟସ୍ତବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ। ସେପଟେ ଏହି ପୂରା ଘଟଣାକୁ ନେଇ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଆଦିତ୍ୟ ଠାକରେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ କିମ୍ବା ସେଲଟର ହୋମ ଦରକାର ନାହିଁ। ସେମାନେ ଘରକୁ ଯିବାକୁ ଚାହୁଁଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.